ଲୋକଙ୍କ କାମରେ ଆସୁନି ପାଇଖାନା, ବାହ୍ୟ ମଳମୁକ୍ତ କାଗଜ କଲମରେ ସୀମିତ

ବଙ୍ଗୋମୁଣ୍ଡା: ଗ୍ରାମାଞ୍ଚଳର ସ୍ୱଚ୍ଛତା ଏବଂ ପରିମଳର ସୁଧାର ପାଇଁ ବିଭିନ୍ନ ଯୋଜନାରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ତଥାପି ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଛି। ପ୍ରଶାସନିକ ଉଦାସୀନତା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନା ବାଟବଣା ହେବା ସହ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହେଉଛି। ବଙ୍ଗୋମୁଣ୍ଡା ବ୍ଲକର ୨୬ ଟି ପଞ୍ଚାୟତର ଗରିବ ହିତାଧିକାରୀ ଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ବ୍ଲକର ଅଧିକାଂଶ ହିତାଧିକାରୀଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଇଛି। କିନ୍ତୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ହିତାଧିକାରୀ ବ୍ୟକ୍ତିଗତ ଭାବେ ଏହି ଯୋଜନାରେ ତିଆରି କରିଥିବା ପାଇଖାନା ଗୁଡିକ ଠିକ ଭାବେ ନିର୍ମାଣ ହେଉଥିବା ବେଳେ ବିଲ ପ୍ରଦାନ ରେ ବିଭାଗୀୟ ଅଧିକାରୀ ବିଳମ୍ବ କରୁଥିବା ନେଇ ପୂର୍ବରୁ ଅଭିଯୋଗ ମଧ୍ୟ ହୋଇଆସୁଛି। ବିଲ ପ୍ରଦାନରେ ବିଳମ୍ବ ଯୋଗୁଁ ଅନେକ ଗରିବ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ ରେ ଆଗ୍ରହ ପ୍ରକାଶ କରିନଥିଲେ। ପାଇଖାନା ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉଦ୍ଦେଶ୍ୟରେ ବିଭିନ୍ନ ଏସଏଚଜି,ଏନଜିଓ,ଠିକାଦାର ଙ୍କୁ ବିଭାଗୀୟ ଯନ୍ତ୍ରୀ ଅନୁକମ୍ପା ପ୍ରଦର୍ଶନ କରି ପାଇଖାନା ନିର୍ମାଣ ପାଇଁ ଦାୟିତ୍ୱ ଦେଇଥିବା ବେଳେ ନିମ୍ନ ମାନର ପାଇଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ନିରବତା ପ୍ରକାଶ କରି ବିଲ ପାସ କରି ଦେଉଥିବା ନେଇ ବିଭାଗୀୟ ଯନ୍ତ୍ରୀ ଙ୍କ ସ୍ୱଚ୍ଛତା ପ୍ରତି ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି। କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ବାହ୍ୟ ମଳମୁକ୍ତ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଥିବା ଅଭିଯୋଗ ହେଉଛି। ବ୍ଲକର ବିଭିନ୍ନ ଗାଁରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ଉପେଯାଗୀ ହୋଇନଥିବାରୁ ଜାଳେଣୀ କାଠ, ପାଳ, କୁଟା ଆଦି ବିଭିନ୍ନ ସାମଗ୍ରୀ ରଖାଯାଉଥିବା ଦେଖିବାକୁ ମିଳୁଛି। ଅନେକ ପାଇଖାନା ରେ ଗାତ ଖୋଳାନଯାଇ କିମ୍ବା ପାଇପ ସଂଯୋଗ ହୋଇନଥିବା ବେଳେ ବିଲ କରା୍‍ଯାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଛି। ବାରମ୍ବାର ଅଭିଯୋଗ ସତ୍ତେ୍ୱ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହି ଦୁର୍ନୀତି ରେ ତଳୁ ଉପର ପର୍ଯ୍ୟନ୍ତ ବଡ ବଡିଆ ଙ୍କ ହାତ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଭାଗୀୟ ଯନ୍ତ୍ରୀ ତଥା ଅଧିକାରୀ ଙ୍କ ଠିକାଦାର ପ୍ରୀତି ତଥା ଖାମଖିଆଲି ମନୋଭାବ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ପାଇଖାନା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Comments are closed.