କରୋନା କଟକଣା: ୨ ପଞ୍ଚାୟତର ୨ଟି ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ବଙ୍ଗୋମୁଣ୍ଡା/ସିନ୍ଧେକେଲା:ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ଆଜି ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ଲୋକଙ୍କ କରୋନା ଆକ୍ରାନ୍ତ ବ୍ୟାପୀବା ଆଶଙ୍କାରେ ୨ଟି ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି।
ପୂର୍ବରୁ ବଙ୍ଗୋମୁଣ୍ଡା ବ୍ଲକରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିିବା ବେଳେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ବ୍ଲକର ମୁଣ୍ଡପଦର ପଞ୍ଚାୟତର କନ୍ଧବାହାଲ,ଏବଂ ଅଲଣ୍ଡା ପଞ୍ଚାୟତର ପୁତୁଲାତଲାଇ(ନୂଆପଡା)ର ଜଣେ ଲେଖାଏଁ ପ୍ରବାସୀ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ନୂଆପଡାର ଯୁବକ ମହାରଷ୍ଟ୍ରରୁ ଫେରି ମେ ୧୪ ତାରିଖରେ କ୍ୱାରାଣ୍ଟାଇନ ସେଣ୍ଟରରେ ରହି ମେ ୨୫ ତାରିଖରେ ହୋମ କ୍ୱାରାଣ୍ଟାଇନ ରହିଥିଲେ। ହୋମ କ୍ୱାରାଣ୍ଟାଇନକୁ ଯିବାର ପାଖାପାଖି ୨ ମାସ ପରେ ରିପୋର୍ଟ ଆସିଥିବା ବେଳେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହି ପରିପ୍ରେକ୍ଷୀରେ ଅଲଣ୍ଡା ସରପଞ୍ଚ ଅର୍ଜୁନ ଯାଦବ ନୂଆପଡା ଗାଁକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। କନ୍ଧବାହାଲ ଗାଁର ଜଣେ ଯୁବକ ସିକନ୍ଦରାବାଦରୁ ଫେରିଥିବା ବେଳେ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରର ଅବଧି ପୂରଣ ପରେ ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ଘରେ ରହିଥିବା ବେଳେ ଅସୁସ୍ଥତା ଅନୁଭବ କରିବା ପରେ ସିନ୍ଧେକେଲାର ସୋନୁ କ୍ଲିନିକରେ ଚିକିତ୍ସିତ ହୋଇଥିଲେ। ଆଜି କରୋନା ଆକ୍ରାନ୍ତ ଜଣାପଡିବା ପରେ ସ୍ଥାନୀୟ ନିର୍ବାହୀ ମାଜିଷ୍ଟ୍ରେଟ ତଥା ତହସିଲଦାର ଗୁଣମଣି ସୁନାନୀ ସିନ୍ଧେକେଲା ପହଞ୍ଚି ସୋନୁ କ୍ଲିନିକକୁ ସିଲ କରିଥିଲେ। ଏବଂ ସ୍ଥାନୀୟ ସମସ୍ତ ପ୍ରାଇଭେଟ କ୍ଲିନିକ ଗୁଡିକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Comments are closed.