୨୬ ଟି ପଞ୍ଚାୟତରେ ରହିଛି ୧୪୮୪ଟି ନଳକୂପ ଓ ୪୦ଟି ଜଳ ଯୋଗାଣ ପ୍ରକଳ୍ପ; ପ୍ରହସନ ପାଲଟିଛି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ

ବଙ୍ଗୋମୁଣ୍ଡା:ଜଳ ହିଁ ଜୀବନ। ତେବେ ବଲାଙ୍ଗିର ଜିଲାର ଉପାନ୍ତ ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗ୍ରାମରେ ଜଳ ଜୀବନ ବଦଳରେ ଅଭିଶାପ ପାଲଟିଛି। ଲୋକେ ପାଣି ପିଇ ଦୂରାରୋଗର ଶିକାର ହେଉଛନ୍ତି। ତଥାପି ପ୍ରଶାସନିକ ସ୍ତରରେ ଏଥି ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବଙ୍ଗୋମୁଣ୍ଡା ବ୍ଲକର ୨୬ ଟି ପଞ୍ଚାୟତରେ ୧୪୮୪ଟି ନଳକୂପ ଓ ୪୦ଟି ଜଳ ଯୋଗାଣ ପ୍ରକଳ୍ପ ରହିଛି। ସେଥି ମଧ୍ୟରୁ ୨ଟି ଜଳ ଯୋଗାଣ ପ୍ରକଳ୍ପ ଗତ ୬ ମାସରୁ ଅଧିକ ହେବ ଅଚଳ ହୋଇପଡିଛି। ଅନେକ ନଳକୂପ ଅଚଳ ଥିବା ବେଳେ ବିଭାଗୀୟ ଯନ୍ତ୍ରୀ ମଞ୍ଜୁଲତା ଗୌଡ ଏହାକୁ ଖଣ୍ଡନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ନଳକୂପ ଅଚଳ ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି।

ସରକାରୀ ନିର୍ଦେଶ ଅନୁସାରେ, ପାନୀୟ ଉପଯୋଗୀ ନଳକୂପଗୁଡିକୁ ସବୁଜ ରଙ୍ଗ ଓ ଅନୁପଯୋଗୀ ନଳକୂପଗୁଡିକୁ ଲାଲ ରଙ୍ଗରେ ଚିହ୍ନିତ କରିବାର ବ୍ୟବସ୍ଥା ରହିଛି। ବଙ୍ଗୋମୁଣ୍ଡା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବିଭାଗୀୟ ଯନ୍ତ୍ରୀ ନଳକୂପର ପାଣି ପରୀକ୍ଷା କରାଯାଉଥିବା ମତ ଦେଇଛନ୍ତି। ଏଭଳି ସ୍ଥିତିରେ ଲୋକେ ପାନୀୟ ଜଳ ଅନୁପଯୋଗୀ ନଳକୂପରୁ ପାଣି ମଧ୍ୟ ବ୍ୟବହାର କରୁଛନ୍ତି। ଯାହା ଫଳରେ ଲୋକେ ବିଭିନ୍ନ ରୋଗରେ ସଂକ୍ରମଣ ହେଉଥିବା ଅଭିଯୋଗ ହେଉଛି। ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଗଲେ ସାଧାରଣ ଲୋକେ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା ମିଳନ୍ତା ବୋଲି ମତ ଦେଇଛନ୍ତି।
ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ମୌଳିକ ଅଧିକାର। କିନ୍ତୁ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଇଁ ସାତ ସପନ ହୋଇଛି ବଙ୍ଗୋମୁଣ୍ଡା ବ୍ଲକରେ। ଏହି ବ୍ଲକର ଅନେକ ଗ୍ରାମର ଲୋକେ ସ୍ୱଚ୍ଛ ପାନୀୟ ଜଳ ନପାଇ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପଲସଖଣ୍ଡ, ବଲଧା, ସିନ୍ଧଭାଡି, ବର୍ଲାବାହାଲି, ଝଲପ, ଭଁତାସର, ଦେହେଲି, ତାଲଚକେଲ, ଡୁମେରମୁଣ୍ଡା ଭଳି ଅନେକ ଗ୍ରାମର ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜୁଛନ୍ତି। ବିଭିନ୍ନ ସ୍ଥାନରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ କିଡନୀ ରୋଗ ଭଲ ହେବାର ନାଁ ଧରୁନାହିଁ। ବିଭିନ୍ନ କାରଣରୁ କିଡନୀ ରୋଗ ସଂକ୍ରମିତ ହେଉଥିବା ବେଳେ ବିଶେଷ ଭାବେ ପାନୀୟ ଜଳ ପାଇଁ ଏ ଅଞ୍ଚଳରେ କିଡନୀ ରୋଗ ବୃଦ୍ଧି ପାଉଥିବା ପୂର୍ବରୁ ହୋଇଥିବା ବିଭିନ୍ନ ସର୍ଭେରୁ ଜଣାପଡିଛି।
ବର୍ତ୍ତମାନ ବଙ୍ଗୋମୁଣ୍ଡା ଅଞ୍ଚଳରେ ବିଭିନ୍ନ ମିନେରାଲ ୱାଟରର ବେପାର ମଧ୍ୟ ଜୋର ଧରିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏହା ଅପହଞ୍ଚ। ସ୍ୱଚ୍ଛ ପାଣି ନାଁରେ ମିନେରାଲ୍ ୱାଟର ବିକ୍ରି କରାଯାଉଥିଲେ ବି ଏହି ସଂସ୍ଥାଗୁଡ଼ିକର ବୈଧତା ଓ କାଗଜପତ୍ରରେ ସେମାନେ ଠିକ୍ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରିବାକୁ ଦାବି ହେଉଛି। ଅନ୍ୟପଟେ ନଳକୂପର ଗୁଣାତ୍ମକ ମାନ ବୃଦ୍ଧି ଓ ଲୋକଙ୍କ ହିତ ପାଇଁ ପ୍ରଶାସନ ଅତ୍ୟାବଶ୍ୟକ ପାନୀୟ ଜଳ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା ପାଇଁ ଲୋକେ ମତ ଦେଉଛନ୍ତି। ଏଥିସହିତ ବ୍ଲକର ବିଭିନ୍ନ ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରିବା ପାଇଁ ଦାବି ହେଉଛି।

Comments are closed.