କ୍ବାଡ୍‌କୁ ନେଇ ଚୀନର ଚେତାବନୀ ପରେ କଡ଼ା ଜବାବ ଦେଲା ବାଂଲାଦେଶ

ଢାକା: କ୍ବାଡ୍‌ ରାଷ୍ଟ୍ର ସମୂହକୁ ନେଇ ଚୀନ ବାଂଲାଦେଶକୁ ଚେତାବନୀ ଦେଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବାଂଲାଦେଶ। ଏହା ସହିତ ଚୀନକୁ କଡ଼ା ଜବାବ ବି ଦେଇଛି ଏହି ରାଷ୍ଟ୍ର।

ବାଂଲାଦେଶରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ଲି ଜିମିଙ୍ଗ ଦୁଇଦିନ ତଳେ କହିଥିଲେ ଯେ, ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍‌ ସହିତ ବାଂଲାଦେଶ ସାମିଲ ହେବା ଅନୁଚିତ। ଯଦି ବାଂଲାଦେଶ କ୍ବାଡ୍‌ରେ ଅଂଶଗ୍ରହଣ କରି ବେଜିଂ ବିରୋଧୀ ‘କ୍ଲବ’ରେ ସାମିଲ ହୁଏ, ତେବେ ତା ସହିତ ଚୀନର ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବ।

ଜିମିଙ୍ଗଙ୍କ ଏପରି ମନ୍ତବ୍ୟ ପରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡା. ଏ.କେ. ମୋମନ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଚୀନ ରାଷ୍ଟ୍ରଦୂତଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଆକ୍ରମଣାତ୍ମକ। ସେ କହିଛନ୍ତି, ଆମେ ଏକ ସ୍ବାଧୀନ ଏବଂ ସର୍ବଭୌମ ରାଷ୍ଟ୍ର। ଆମେ ଆମର ବିଦେଶ ନୀତି ନିଜେ ସ୍ଥିର କରିଥାଉ।

ବାଂଲାଦେଶର କୂଟନୈତିକ ପ୍ରତିନିଧି ସଂଘ ତରଫରୁ ଗତ ସୋମବାର ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଚୀନ ରାଷ୍ଟ୍ରଦୂତ ଜିମିଙ୍ଗ କହିଥିଲେ ଯେ, ୪ଟି ଦେଶକୁ ନେଇ ଗଠିତ କ୍ବାଡ୍‌ ଭଳି ଏକ ଛୋଟ କ୍ଲବରେ ବାଂଲାଦେଶ ସାମିଲ ହେବା ଭଲ ହେବନାହିଁ। କାରଣ ଏହାଦ୍ବାରା ଚୀନ ସହ ବାଂଲାଦେଶର ଦ୍ବିପାକ୍ଷିକ ସମ୍ପର୍କ କ୍ଷତିଗ୍ରସ୍ତ ହେବ।

ଏହାକୁ ନେଇ ବାଂଲାଦେଶ ବିଦେଶ ମନ୍ତ୍ରୀ ମୋମନ କହିଛନ୍ତି, ଆମେ କେବେ​‌ କୌଣସି ଚୀନ ରାଷ୍ଟ୍ରଦୂତଙ୍କଠାରୁ ଏପରି ମନ୍ତବ୍ୟ ଶୁଣିନାହୁଁ। ଚୀନଠାରୁ ଆମେ ଏପରି ବ୍ୟବହାର ଆଶା କରି ନ ଥିଲୁ। ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ବୋଲି ମୋମନ କହିଛନ୍ତି। ବାଂଲାଦେଶ ନିରପେକ୍ଷ ଏବଂ ସନ୍ତୁଳନ ନୀତି ପାଳନ କରିଥାଏ।

ବାଂଲାଦେଶ ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଢାକା ବର୍ତ୍ତମାନ ସୁଦ୍ଧା କ୍ବାଡକୁ ନେଇ କୌଣସି ଚିନ୍ତା କରିନାହିଁ କି କେହି କ୍ବାଡ୍‌ରେ ସାମିଲ ହେବା ଲାଗି ବାଂଲାଦେଶ ସହିତ ସମ୍ପର୍କ କରିନାହାନ୍ତି। ସେଥିଲାଗି ଚୀନର ମନ୍ତବ୍ୟ ଅପ୍ରାସଙ୍ଗିକ।

ଅନ୍ୟପଟେ କ୍ବାଡ୍‌କୁ ନେଇ ଚୀନର ଚେତାବନୀ ପରେ ଆମେରିକା ଏହାର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ନେଡ୍‌ ପ୍ରାଇସ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବାଂଲାଦେଶ ସହିତ ଆମେରିକାର ଅବିଶ୍ଵସନୀୟ ଭାବେ ମଜଭୁତ ସମ୍ପର୍କ ରହିଛି। ଚୀନ ରାଷ୍ଟ୍ରଦୂତଙ୍କ ମନ୍ତବ୍ୟକୁ ଆମେ ଉଲ୍ଲେଖ କରିଛୁ। ଆମେ ଏହା କହିବାକୁ ଚାହୁଁଛୁ ଯେ, ଆମେରିକା ବାଂଲାଦେଶର ସର୍ବଭୌମକୁ ସମ୍ମାନ କରେ ଏବଂ ନିଜ ପାଇଁ ବିଦେଶ ନୀତି ନିର୍ଦ୍ଧାରଣ କରିବା ନେଇ ବାଂଲାଦେଶର ଅଧିକାରକୁ ଆମେ ସମ୍ମାନ କରୁଛୁ।

Comments are closed.