ଖାଲେଦା ଜିଆ କାରାମୁକ୍ତ

ଢ଼ାକା : ବାଂଲାଦେଶର ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ୍ ଖାଲେଦା ଜିଆ ଦୀର୍ଘ ପ୍ରାୟ ୧୨ବର୍ଷ ପରେ ବୁଧବାର ଦଣ୍ଡମୁକ୍ତ ହେବା ସହ କାରାଗାରରୁ ମୁକ୍ତ ହୋଇଛନ୍ତି। ଦେଶର ସରକାର ଏହି ୭୫ବର୍ଷୀୟ ନେତ୍ରୀଙ୍କ ଦଣ୍ଡ ହ୍ରାସ କରିବା ସହ ମାନବିକତା ଦୃଷ୍ଟିକୋଣରୁ ତାଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସେହି ଅନୁସାରେ ବଙ୍ଗବନ୍ଧୁ ଶେଖ୍‌ ମୁଜିବ ମେଡିକାଲ ବିଶ୍ବବିଦ୍ୟାଳୟରେ ଥିବା ଖାଲେଦାଙ୍କୁ ଅପରାହ୍ଣରେ ମୁକ୍ତ କରାଯାଇଛି। ବାଂଲାଦେଶ ନ୍ୟାସନାଲ ପାର୍ଟି ମୁଖ୍ୟ ଖାଲେଦା ତାଙ୍କ ଭଉଣୀ ସେଲିମା ରହମନ ଓ ଭାଇ ସମିମ ଏସ୍‌କାନ୍ଦର ତଥା ଭାଉଜ କାନିଜ୍‌ ଫତିମାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଥିଲେ। ୨୦୧୯ ଏପ୍ରିଲରୁ କାରାଗାର ଭାବେ ବ୍ୟବହୃତ ହସ୍ପିଟାଲର ସ୍ବତନ୍ତ୍ର କୋଠରିରେ ଚିକିତ୍ସାଧୀନ ଥିବା ଖାଲେଦା ଆସନ୍ତା ୬ମାସ ଯାଏ ସାନ ଭାଇ ସମିମଙ୍କ ହେପାଜତରେ ରହିବେ ବୋଲି ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଆସାଦୁଜ୍ଜମନ୍‌ ଖାଁ କମଲ କହିଛନ୍ତି। ସେ ଦେଶ ବାହାରକୁ ଯିବେ ନାହିଁ ଓ ଘରେ ଚିକିତ୍ସାରେ ରହିବେ ବୋଲି ସରକାର ସର୍ତ୍ତାରୋପ କରିଛନ୍ତି। ଖାଲେଦା ୧୯୯୧ରୁ ୧୯୯୬ ଓ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଶେଖ୍‌ ହାସିନାଙ୍କ ସରକାର ଗଠନ ପରେ ୨୦୦୮ ଜୁଲାଇରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ସ୍ବାମୀଙ୍କ ଦ୍ବାରା ପରିଚାଳିତ ଟ୍ରଷ୍ଟ ନାଁରେ ଅର୍ଥ ସଂଗ୍ରହ କରି ପ୍ରାୟ ୨​କୋଟି ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଦେଶର ଦୁର୍ନୀତି ବିରୋଧୀ ଅଦାଲତ ତାଙ୍କୁ ୨୦୧୮ ଜାନୁଆରୀ ୨୮ରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ କାରାଦଣ୍ଡାଦେଶ ଦେଇଥିଲା। ସେବେଠାରୁ ସେ କାରାଗାରରେ ଥିଲେ। ଠିକ୍‌ ବର୍ଷକ ପରେ ହାଇକୋର୍ଟ କାରାଦଣ୍ଡ ଅବଧିକୁ ଦୁଇଗୁଣ କରିଥିଲେ। ତାଙ୍କ ମୁକ୍ତି ପାଇଁ ଖାଲେଦାଙ୍କ ପରିବାର ପକ୍ଷରୁ ଚଳିତ ମାସରେ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା

 

 

Comments are closed.