ଶାହାଙ୍କ ମନ୍ତବ୍ୟ ପରେ ଭାରତ ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କଲେ ବାଂଲାଦେଶ ବିଦେଶ ମନ୍ତ୍ରୀ

ଢାକା: ବାଂଲାଦେଶ ବିଦେଶ ମନ୍ତ୍ରୀ ଡ. ଏ.କେ. ଅବଦୁଲ ମୋମିନ ତାଙ୍କ ୩ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛନ୍ତି। ନାଗରିକତା ସଂଶୋଧନ ବିଲ୍‌ ଉପରେ ସଂସଦରେ ଆଲୋଚନା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ନେଇ ମୋମିନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଶାହ ଗତ ୯ ତାରିଖରେ ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଆଗତ ସମୟରେ କହିଥିଲେ, ବାଂଲାଦେଶରେ ହିନ୍ଦୁମାନେ ନିଜର ଧାର୍ମିକ କାର୍ଯ୍ୟକଳାପ କରିପାରୁ ନାହାନ୍ତି। ଶାହଙ୍କ ଏହି ମନ୍ତବ୍ୟ ଉପରେ ମୋମିନ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ​ସେ ଗସ୍ତକୁ ବାତିଲ କରିଥିବାରୁ ଏଥିପାଇଁ ଶାହାଙ୍କ ମନ୍ତବ୍ୟକୁ କାରଣ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଶାହା ଲୋକସଭାରେ କହିଥିଲେ, ୧୯୪୭ରେ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ୨୨ ପ୍ରତିଶତ ଥିଲା। ୨୦୧୧ରେ ଏହା ହ୍ରାସ ପାଇ ୭.୮ ପ୍ରତିଶତରେ ରହିଲା। ୧୯୭୧ରେ ବାଂଲାଦେଶ ଗଠନ ହୋଇଥିଲା। ୧୯୪୭ରୁ ୧୯୭୧ ପର୍ଯ୍ୟନ୍ତ ଏହା ପୂର୍ବ ପାକିସ୍ତାନ ରହିଥିଲା। ୧୯୭୧ରେ ବାଂଲାଦେଶକୁ ସମ୍ବିଧାନରେ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଦର୍ଶାଯାଇଥିଲା। କିନ୍ତୁ ଏହା ପରେ ୧୯୭୭ରେ ଦେଶର ଧର୍ମ ଇସଲାମ ବୋଲି ଦର୍ଶାଯାଇଥିଲା।

Comments are closed.