ବାଂଲାଦେଶ ସାଂପ୍ରଦାୟିକ ହିଂସା; ପଶ୍ଚିମବଙ୍ଗ ସୀମାନ୍ତ ଜିଲାରେ ସତର୍କ ସୂଚନା ଜାରି

କୋଲକାତା: ବାଂଲାଦେଶରେ କ୍ରମାଗତ ଭାବରେ ସାଂପ୍ରଦାୟିକ ହିଂସାକାଣ୍ଡ ଘଟୁଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗର ସୀମାନ୍ତ ଜିଲାଗୁଡିକରେ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି । ସୀମାନ୍ତ ଅଞ୍ଚଳରେ ଥିବା ଅଧିକାରୀମାନଙ୍କୁ ଯେକୌଣସି ପ୍ରକାର ହିଂସାଘଟଣା ଏଡାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ବାଂଲାଦେଶରେ ସାଂପ୍ରଦାୟିକ ହିଂସା ଘଟଣା ଘଟିବାରେ ଲାଗିଛି । ମୁସଲମାନ ସଂପ୍ରଦାୟର କିଛି ଲୋକ ହିନ୍ଦୁ ମନ୍ଦିର ଓ ମୂର୍ତ୍ତିଗୁଡିକୁ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଉଛନ୍ତି । ସେମାନଙ୍କ ଆକ୍ରମଣରେ ଇତିମଧ୍ୟରେ ହିନ୍ଦୁ ସଂପ୍ରଦାୟର ଦୁଇଜଣଙ୍କର ପ୍ରାଣହାନି ଘଟିଛି । ବାଂଲାଦେଶର ଗାଜିପୁର, ବନ୍ଦରବନ, ଚାପାଇନୱାବଗଞ୍ଜ, ଚିଟାଗଙ୍ଗ, ମୌଲବୀବଜାର ଏବଂ ଚାନ୍ଦପୁର ପ୍ରଭୃତି ସ୍ଥାନରେ ଏହିଭଳି ହିଂସାତ୍ମକ ଘଟଣା ଘଟିଛି । ଇତିମଧ୍ୟରେ ବାଂଲାଦେଶର ଗୃହ ମନ୍ତ୍ରୀ ଆସାଦୁଜମନ ଖାଁ ଦୁର୍ଗା ପୂଜା ମଣ୍ଡପରେ ଆକ୍ରମଣ ପୂର୍ବ ଯୋଜନାବଦ୍ଧ ବୋଲି କହିବା ସହିତ ଦେଶରେ ସାଂପ୍ରଦାୟିକ ସଂପ୍ରୀତିକୁ ନଷ୍ଟ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ସରକାର ଏବଂ ନିରାପତ୍ତା ବାହିନୀ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସମାଜବିରୋଧୀମାନେ ସେମାନଙ୍କ ଉଦ୍ୟମରେ ସଫଳ ହେବେନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ମୁସଲମାନ ସଂପ୍ରଦାୟର କିଛି ଲୋକ ୭୦ଟି ଦୁର୍ଗାପୂଜା ମଣ୍ଡପ, ହିନ୍ଦୁମାନଙ୍କର ୩୦ଟି ବାସଗୃହ, ୫୦ଟି ଦୋକାନରେ ଭଙ୍ଗାରୁଜା କରିବା ସହିତ ସେଠାରେ ଲୁଟପାଟ କରିଛନ୍ତି ଏବଂ ନିଆଁ ଲଗାଇ ଦେଇଛନ୍ତି ।

Comments are closed.