ପଶ୍ଚିମବଙ୍ଗ ହେବ ‘ବାଂଲା’, ବିଧାନସଭାରେ ପ୍ରସ୍ତାବ ପାରିତ

0

କଲକାତା : ପଶ୍ଚିମବଙ୍ଗ ଏବେ ‘ବାଂଲା’ ହେବ। ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ସମସ୍ତ ଦଳ ବିଧାନସଭାରେ ଏହି ପ୍ରସ୍ତାବ ଉପରେ ସହମ୍ମତି ପ୍ରକଟ କରିଛନ୍ତି। ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯିବ। କେନ୍ଦ୍ର ସରକାରଙ୍କ ସ୍ୱୀକୃତି ପରେ ପଶ୍ଚିମବଙ୍ଗ ‘ବାଂଲା’ ନାମରେ ପରିବର୍ତ୍ତିତ ହୋଇଯିବ। ଏହାସହ ସମସ୍ତ ଭାଷାରେ ପଶ୍ଚିମବଙ୍ଗ ‘ବାଂଲା’ ନାମରେ ଜଣାଯିବ। ୨ ବର୍ଷ ପୂର୍ବେ ମମତା ବାନାର୍ଜୀଙ୍କ ସରକାର ରାଜ୍ୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆଣିଥିଲେ। କିନ୍ତୁ ଏହା ଉପରେ କଥା ଆଗକୁ ବଢିପାରିନଥିଲା। ସେତେବେଳେ ତୃଣମୂଳ କଂଗ୍ରେସ ସରକାର ପୃଥକ ପୃଥକ ଭାଷାରେ ରାଜ୍ୟର ତିନିଟି ନାମ ପାଇଁ ପ୍ରସ୍ତାବ ଦେଇଥିଲେ। ବଙ୍ଗଳାରେ ନାମ ବାଂଲା, ହିନ୍ଦୀରେ ବଙ୍ଗାଲ ଏବଂ ଇଂରାଜୀରେ ବେଙ୍ଗଲ ନାମ ରଖିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ଏହାପରେ କେନ୍ଦ୍ର ଏକତ୍ୱ ଆଧାରରେ ଗୋଟିଏ ନାମ ରଖିବାକୁ ପରାମର୍ଶ ଦେଇଥିଲା। ଏହି କ୍ରମରେ ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ମାତ୍ର ଗୋଟିଏ ନାମ ‘ବାଂଲା’କୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ତାଲିକା ପ୍ରସ୍ତୁତି ବେଳେ ନାମ ଆଧାରରେ ପଶ୍ଚିମବଙ୍ଗ ନାମ ସବୁଠୁ ତଳେ ଆସୁଥିବା ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏବେ ପଶ୍ଚିମବଙ୍ଗର ନାମ ବଙ୍ଗଳା ଭାଷାରେ ପଶ୍ଚିମବଙ୍ଗ ବା ପଶ୍ଚିମବଂଲା ରହିଛି। ୧୯୪୭ରେ ଦେଶ ବିଭାଜନ ବେଳେ ବଙ୍ଗ ପ୍ରାନ୍ତ ଦୁଇ ଭାଗରେ ବିଭାଜିତ ହୋଇଥିଲା। ପାକିସ୍ତାନ ଭାଗକୁ ଯାଇଥିବା ବଙ୍ଗର ପୂର୍ବ ପ୍ରାନ୍ତ ପୂର୍ବ ପାକିସ୍ତାନ ଏବଂ ଭାରତ ପଟରେ ଥିବା ପଶ୍ଚିମ ପ୍ରାନ୍ତ ପଶ୍ଚିମବଙ୍ଗ ନାମରେ ଜଣାଗଲା। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପୂର୍ବ ପାକିସ୍ତାନ ପ୍ରାନ୍ତ ବାଂଲାଦେଶ ନାମରେ ନାମିତ ହେବା ସହ ଏକ ଦେଶର ମାନ୍ୟତା ପାଇଛି।

Leave A Reply