ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ

ଚୌଦ୍ୱାର : ଚୌଦ୍ୱାରରେ ଅନୁଷ୍ଠିତ ପ୍ରସିଦ୍ଧ ରୂପଯାତ୍ରା ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରି ଚୌଦ୍ୱାରରେ ଅନୁଷ୍ଠିତ ବହୁ ପୁରାତନ ତଥା ପ୍ରସିଦ୍ଧ ଦଶହରା, ମହାଲକ୍ଷ୍ମୀ ପୂଜା ଓ ଭସାଣ ଉତ୍ସବ ଏକ ମହାନ୍ ସଂସ୍କୃତିକ ତଥା ଭାଇଚାରାର ଉତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି ବୋଲି ପ୍ରକାଶ କରି ଚଳିତ ବର୍ଷ କରୋନା କଟକଣାକୁ ମାନି ନିରାଡ଼ମ୍ବର ଭାବେ ଯାତ୍ରା ପାଳନ କରିବାକୁ ଚୌଦ୍ୱାରବାସୀଙ୍କୁ ଅନୁରୋଧ କରିଥିଲେ। ବିଧାୟକ ସୌଭିକ୍ ବିଶ୍ୱାଳ, ଚୌଦ୍ୱାର କଟକ ଉନ୍ନୟନ ପରିଷଦ ସଭାପତି ବାଳକୃଷ୍ଣ ମହାନ୍ତି, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ଜନସ୍ୱାସ୍ଥ୍ୟ ଏସଡିଓ ବିଳାସ କୁମାର ବେହେରା, ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ୪୩ଟି ମେଢ଼ ସଭାପତି, ସମ୍ପାଦକ, ଯାତ୍ରା କମିଟି ସଦସ୍ୟବୃନ୍ଦ, ପୂର୍ବତନ କାଉନସିଲର ବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବଂଧୁ ମିଳନ ଅନୁଷ୍ଠିତ ହୋଇଥିଲା । ନଗର ଯୁବ ବିଜେଡ଼ି ସଭାପତି ଅର୍ଜୁନ୍ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ରବି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟଯେ କମିସନରେଟ ପୁଲିସର କଟକଣା ଅନୁଯାୟୀ ଚୌଦ୍ୱାର ଅଞ୍ଚଳରେ ୪୩ଟି ମଣ୍ଡପରେ ପ୍ରତିଷ୍ଠିତ ଦୁର୍ଗା, ଲକ୍ଷ୍ମୀ, ମହାଦେବ,ହର-ପାର୍ବତୀ, ଲକ୍ଷ୍ମୀନାରାୟଣ, ହନୁମାନ ଆଦି ଦେବଦେବୀ ଶନିବାର ସକାଳେ ମଣ୍ଡପରୁ ବାହାରି ବିନା ଶୋଭାଯାତ୍ରରେ ଯାଇ ଚୌଦ୍ୱାର ତିନିକୋଣିଆସ୍ଥିତ ମେଲଣ ପଡ଼ିଆରେ ପହଞ୍ଚିବେ । ପୂଜା କମିଟି ନିକଟରୁ ଛନ୍ଦା ଗ୍ରହଣ କରି ମେଢ଼ ଗୁଡ଼ିକ ବିରୂପା କୁଳରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ପୋଖରୀରେ ଭସାଣ କରିବେ ବୋଲି ଯାତ୍ରା କମିଟି ସୁତ୍ରରୁ ପ୍ରକାଶ ।

Comments are closed.