‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତ ମାନ୍ୟତା ପାଇଁ ପଥ ପରିଷ୍କାର : କୋଭିଡ ଦେଲା ସୁଯୋଗ, ଜନତା ଦେଲେ ସ୍ବୀକୃତି

ଗାଁରୁ ବିଶ୍ବ- ଏକତ୍ର ଶୁଭିଲା ଗୋଟିଏ ସ୍ବର

ଭୁବନେଶ୍ବର : ସମୟ ଅପରାହ୍ଣ ୫.୩୦। ରାଜଭବନରୁ ରାଜରାସ୍ତା, ଗାଁରୁ ବିଶ୍ବ – ଯିଏ ଯେଉଁଠି ଥିଲେ ଅଟକି ଗଲେ। କୋଟିଏ ମୁହଁରେ ଗୋଟିଏ ସ୍ବର ଝଙ୍କୃତ ହେଲା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି – ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ରାଜ୍ୟବାସୀଙ୍କ ସମ୍ମିଳିତ ସଙ୍ଗୀତ ଗାନ ଓଡ଼ିଆ ଅସ୍ମିତାକୁ ବଳିଷ୍ଠ କରିଛି। ଭେଦଭାବ, ମତାନ୍ତର ଭୁଲି ଗୋଟିଏ ସମୟରେ ସାଢ଼େ ୪କୋଟି ଓଡ଼ିଆଙ୍କ ଭିତ‌େ‌ର ‘ଉତ୍କଳ ଜନନୀ’ ପ୍ରତି ମମତ୍ବବୋଧ ପ୍ରତିଫଳିତ ହୋଇଛି। କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଓ ସେମାନଙ୍କୁ ତ୍ୟାଗକୁ ସମ୍ମାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ବାନ ଜନତାଙ୍କୁ ଏକାଠି କରିଛି। ସମସ୍ତେ ଛିଡ଼ା ହୋଇ ଏହି ସଙ୍ଗୀତ ଗାନ କରିବାସହ କରୋନା ଯୋଦ୍ଧାଙ୍କ ମହନୀୟ କାର୍ଯ୍ୟକୁ ଉତ୍ସାହିତ ଓ ଅନୁପ୍ରେରିତ କରିଛନ୍ତି। ସମୂହ କଣ୍ଠରେ ଏହାକୁ ମିଳିଛି ଜନତାର ସ୍ବୀକୃତି। ଆଜିର ଜନସ୍ବୀକୃତି ପରେ ରାଜ୍ୟ ସଙ୍ଗୀତ ଘୋଷଣା ପଥ ପରିଷ୍କାର ହେବା ସହ ସମ୍ଭାବନା ଉଜ୍ବଳ ହୋଇଛି।
ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିଧାନସଭାରେ ମାନ୍ୟତା ଦେବାପାଇଁ ସର୍ବସମ୍ମତିକ୍ରମେ ଗୃହୀତ କରିଛନ୍ତି। ଉତ୍କଳ ଦିବସରେ ଜିଲାଠାରୁ ରାଜ୍ୟ ପର୍ଯ୍ୟନ୍ତ ଏହି ସଙ୍ଗୀତ ଗାନ କରାଯାଉଛି। ବିଧାନସଭାରୁ ବିଦ୍ୟାଳୟ, ବିଭିନ୍ନ ସଭାସମିତିରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ସମସ୍ତେ ଛିଡ଼ା ହୋଇ ସମ୍ମାନ ଦେଉଛନ୍ତି। ବିଭିନ୍ନ ସମୟରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କଠାରୁ ଆରମ୍ଭ କରି ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଭଜନ ସମ୍ରାଟ ଭିକାରି ବଳ, ପ୍ରଫୁଲ୍ଲ କର, ସୁବାସ ଦାସ, ତୃପ୍ତି ଦାସ ପ୍ରମୁଖଙ୍କ କଣ୍ଠରେ ଏହି ଗୀତ ଗୁଞ୍ଜରିତ ହେବା ସହ ଓଡ଼ିଆ ଅଖଣ୍ଡତା ଓ ସ୍ବାଭିମାନକୁ ବଜାୟ ରଖିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ଦେଶ, ବିଦେଶରେ ଥିବା ଓଡ଼ିଆ ଓ ରାଜ୍ୟବାସୀ ଜାତୀୟତା ସୂତ୍ରରେ ଗ୍ରହଣ କରିବା ସହ କରୋନା ସମୟରେ ଏକତାର ଡୋରିରେ ବାନ୍ଧି ହୋଇଛନ୍ତି।
କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ମାନ୍ୟତା ନିମନ୍ତେ ଦୀର୍ଘ ବର୍ଷ ଧରି ଉଦ୍ୟମ ଜାରି ରହିଛି। ହେଲେ ସରକାର ଏ ପର୍ଯ୍ୟନ୍ତ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିପାରି ନାହାନ୍ତି। ୧୯୯୪ ନଭେମ୍ବର ୭ରେ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ଦାସ ସମସ୍ତ ଦଳର ମୁଖ୍ୟଙ୍କୁ ଡାକି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ମାନ୍ୟତା ଦେବାପାଇଁ ବିଧାନସଭାରେ କହିଥିଲେ। ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଅନୁଷ୍ଠାନର ଦାବି ପରେ ସେହିବର୍ଷ ଡିସେମ୍ବର ୨୧ରେ ବିଧାନସଭାରେ ପ୍ରଥମ ଥର ପାଇଁ ଏହି ସଙ୍ଗୀତ ଗାନ କରାଯାଇଥିଲା। ଆରମ୍ଭ ସମୟରେ ପ୍ରଥମରେ ଏବଂ ଶେଷରେ ୨ଥର ଗାନ କରାଯାଉଥିଲା। ୨୦୦୨ରେ ରାଜ୍ୟ ମାନ୍ୟତା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବା ସହ ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ଏହି ସଙ୍ଗୀତ ଗାନର ସମୟ ନିର୍ଦ୍ଧାରିତ ହୋଇଥିଲା। ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠସ୍ବରରେ ଏହାକୁ ପ୍ରସ୍ତୁତ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗର ସାମରିକ ତାଳରେ ଗାନ କରାଯାଇଥିଲା ।
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଚିଠି ପ୍ରଦାନ ସହ ୨ଟି ସିଡି ପ୍ରେରଣ କରାଯାଇଥିଲା। ଅନୁରୂପ ଭାବେ ଗୃହବିଭାଗ ପକ୍ଷରୁ କେନ୍ଦ୍ରକୁ ଅବଗତ କରାଯାଇଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ରାଜ୍ୟର ବ୍ୟାପାର କହି ଫେରାଇ ଦିଆଯାଇଥିଲା। ବିଭିନ୍ନ ସମୟରେ କମିଟି ଗଠନ ସହ ରାଜ୍ୟ ମାନ୍ୟତା ନିମନ୍ତେ ବିଭାଗ ପକ୍ଷରୁ ୨୦୧୫ ଜୁନ୍‌ରେ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଥିଲା। ସେବେଠାରୁ ଏହା ବିଚାରାଧୀନ ରହିଛି। ୨୦୧୮ରେ କଳାପତାକା ଆନ୍ଦୋଳନ ଚାଲିଥିବାବେଳେ ଡ. ସୁବାସ ମହାପାତ୍ର ହାଇକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲେ। ୨୦୧୯ ନଭେମ୍ବରରେ ବିଚାରପତି ସି.ଆର ଦାସ ରାଜ୍ୟ ସଙ୍ଗୀତର ମାନ୍ୟତା ନେଇ ୬ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଏ ସବୁ ସତ୍ତ୍ବେ ଘୋଷଣା ଅପେକ୍ଷାରେ ରହିଯାଇଛି ଏହି ସଙ୍ଗୀତର ରାଜ୍ୟ ସ୍ବୀକୃତି ।

ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଯଦିଓ ରାଜ୍ୟ ମାନ୍ୟତା ମିଳିପାରିନାହିଁ, କିନ୍ତୁ ବହୁ ପୂର୍ବରୁ ଏହି ସଙ୍ଗୀତ ଆମ ଜାତୀୟତାର ପ୍ରମାଣ ଦେଇସାରିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ଗାନରୁ ସ୍ପଷ୍ଟ ହେଉଛି। ବିଭାଗ ପକ୍ଷରୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ସରକାରଙ୍କ ନିକଟକୁ ବିଧିବଦ୍ଧଭାବେ ପ୍ରେରିତ କରାଯାଇଛି। ଯାହା ବିଚାରାଧୀନ ରହିଛି। ଆଜିର ସମୂହ ଗାନ ଏହାର ଘୋଷଣା ସମ୍ଭାବନାକୁ ଉଜ୍ବଳ କରିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ପୂଜ୍ୟପୂଜା ସଂସ୍କୃତି ଓ ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଳମ୍ବରେ ହେଲେ ମଧ୍ୟ ଗୁରୁତ୍ବ ଦେଇ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଚଳିତ ମାସ ୨୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଆଦେଶନାମାରେ ଏହାକୁ ରାଜ୍ୟ ସଙ୍ଗୀତ ଭାବେ ଉଲ୍ଲେଖ କରାଯାଇଛି। ସରକାର ତୁରନ୍ତ ଏଦିଗରେ ନିଷ୍ପତ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Comments are closed.