ବନ୍ଦାଳ ପଞ୍ଚାୟତରେ ୮ ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତରେ ରବିବାର ଦିନ ୮ ଗୋଟି ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଦ୍ଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ବନ୍ଦାଳ ପଞ୍ଚାୟତ ଅନ୍ତର୍ଗତ ଖଜୁରୀ ପୋଖରୀ ପୁନଃରୁଦ୍ଧାର ଓ ସୈାନ୍ଦର୍ଯ୍ୟୀକରଣ, ଯାଦବ ସମାଜ ସାହି ରାସ୍ତା, ଯାଦବ ସମାଜ ଗୋଷ୍ଠୀ କେନ୍ଦ୍ର, ବଟ ଗୋଷେଁଇ ଗୋଷ୍ଠୀ କେନ୍ଦ୍ର, ନୂଆପୋଖରୀ ପୁନଃରୁଦ୍ଧାର, ପଣସ ପାଟଣା ଗ୍ରାମରାସ୍ତା, ଦୁର୍ଗାଦେବୀ ଗୃହ ଏବଂ ବନ୍ଦାଳ ବଜାର ସ୍ଥିତ ତ୍ରିନାଥ ଦେବ ସାଂସ୍କୃତିକ ମଣ୍ଡପକୁ ଉଦ୍ଦ୍ଘାଟନ କରିଛନ୍ତି। ଏହି ଅବସରରେ ବନ୍ଦାଳ ବଜାର ସ୍ଥିତ ତ୍ରିନାଥ ଦେବ ସାଂସ୍କୃତିକ ମଣ୍ଡପ ଉପରେ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଦ୍ଘାଟନ ଓ ଲୋକାର୍ପଣ ଉତ୍ସବରେ ଅନ୍ୟତମ ବିଶିଷ୍ଠ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ସମିତି ସଭ୍ୟ ସଂଗ୍ରାମ କେଶରୀ ସାମନ୍ତସିଂହାର ଅତିଥି ପରିଚୟ ଓ ସଭା ସଂଚାଳନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର,ସରଣ୍ଡାଗଡ ଅଂଚଳର ନେତା ତଥା ରାଜ୍ୟ ସମବାୟ ବ୍ୟାଙ୍କର ପୁର୍ବତନ ନିର୍ଦ୍ଦେଶକ ଗତିକୃଷ୍ଣ ସ୍ୱାଇଁ,ଗ୍ରାମପଞ୍ଚାୟତ ଅଧିକାରୀ କୁମର ପ୍ରଧାନ,ବ୍ଲକ ଜୀବିକା ମିଶନ୍ ପଦାଧିକାରୀ ଅକ୍ଷୟ କୁମାର ଭଟ୍ଟ ଓ ସଂଘମିତ୍ରା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

 

ଉତ୍ତର ବାଙ୍କୀର ବିକାଶକ୍ରମରେ ବନ୍ଦାଳ ପଞ୍ଚାୟତ ବିକାଶର ଏକ ଉଦାହରଣ ବୋଲି ପୂର୍ବତନ ବିଧାୟକ ଆଲୋକପାତ କରି ସରଣ୍ଡାଗଡ ଅଂଚଳର ପ୍ରତି ଗ୍ରାମକୁ ପ୍ରଥମ ପ୍ରର୍ଯ୍ୟାୟରେ ଶୁଦ୍ଧ ପାନୀୟଜଳ ମେଗା ପ୍ରକଳ୍ପ ମାଧ୍ୟମରେ ନିକଟରେ ଯୋଗାଣ କରାଯିବାର କାର୍ଯ୍ୟକ୍ରମ ଥିବା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହି ମଞ୍ଚରେ ମିଶନ ଶକ୍ତି ଜରିଆରେ ୩୦ଟି ସ୍ୱୟଂସହାୟକ ଗୋଷ୍ଠୀରୁ ଋଣ ଅନୁମତି ପତ୍ର ବଣ୍ଟନ କରାଯାଇଛି। ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,ରତାଗଡ ସରପଞ୍ଚ ପ୍ରତିନିଧି ବିଜୟ କୁମାର ରାଉତ,ଓସ୍ତିଆ ସରପଞ୍ଚ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା,ବାଉଁଶପୁଟ ନାଏବ ସରପଞ୍ଚ ମନିଜ କୁମାର ପଣ୍ଡା,ବନ୍ଦାଳ ପୂର୍ବତନ ସରପଞ୍ଚ ପ୍ରତିନିଧି ସମରେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.