ପତ୍ନୀକୁ ହତ୍ୟାକରି ପତିର ଆତ୍ମ ସର୍ମପଣ

ଶାଶୂ ଘର ସମ୍ପତ୍ତି ହଡପ ପାଇଁ ଷଡଯନ୍ତ୍ର ଅଭିଯୋଗ

ବାଣପୁର : ପତ୍ନୀକୁ ହତ୍ୟା କରି ଶାଳୀକୁ ବିବାହ କରି ଶଶୂର ଘର ସମ୍ପତ୍ତି ହଡପ କରିବା ପାଇଁ ଷଡଯନ୍ତ୍ର ରଚିଛି ସ୍ୱାମୀ । ଗାମୁଛାରେ ତଣ୍ଟି ଚିପି ପ୍ରେମିକା ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ତେବେ ଏ ବିଷୟରେ ଶାଶୂ ଥାନାରେ ଅଭିଯୋଗ କରିବାପରେ ଗିରଫ ଭୟରେ ଆତ୍ମ ସର୍ମପଣ କରିଛି ସ୍ୱାମୀ । ପୁଲିସ ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ ସହ ତଦନ୍ତ ଚଳାଇଛି । ଘଟଣାଟି ବାଣପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗରୁ ପ୍ରକାଶ ଯେ, ପ୍ରାୟ ଆଠ ବର୍ଷ ପୂର୍ବେ ବାଣପୁର ଥାନା ନରେନ୍ଦ୍ରପୁର ଗ୍ରାମର ଚିତରଞ୍ଜନଙ୍କ ପୁଅ ତପନ ଓରଫ ବୁଲା ନିକଟସ୍ଥ ଭୀମପୁର ଗ୍ରାମର ରୋଜାଲିନ ଲେଙ୍କାକୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ଉଭୟେ ସ୍ୱାମୀ ସ୍ତ୍ରୀ ହାଇଦ୍ରାବାଦରେ ରହୁଥିଲେ। କରୋନା ଯୋଗୁ କିଛି ଦିନ ହେବ ଗ୍ରାମକୁ ଫେରିଥିଲେ। ସରକାରୀ ନିୟମ ମୁତାବକ ଦୁଇ ସପ୍ତାହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହି ଘରକୁ ଫେରିଥିଲେ। ତେବେ ଶଶୂର ଘରେ ରୋଜାଲିନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ରୋଜାଲିନଙ୍କ ସମ୍ପର୍କୀୟା ଅଭିଯୋଗ କରିବା ସହ ରୋଜାଲିନଙ୍କୁ ହତ୍ୟା କରି ରୋଜାଲିନଙ୍କ ସାନ ଭଉଣୀକୁ ବିବାହ କରି ଶଶୂର ଘର ସମ୍ପତ୍ତି ହଡପ କରିବା ପାଇଁ ତପନ ଷଡଯନ୍ତ୍ର ଚଳାଇଥିବା ବିଷୟରେ ରୋଜାଲିନ ପୂର୍ବରୁ ସୂଚନା ଦେଇଥିବା କହିଛନ୍ତି। ତେବେ ପାରିବାରିକ ବିବାଦକୁ ନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଗତ କାଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମିଳାମିଶା ହେବା ସହ ଉଭୟେ ଭଲରେ ଚଳିବେ ବୋଲି ଥାନାରେ ସ୍ୱୀକାରୋକ୍ତି ଦେଇ ଘରକୁ ଫେରିଥିଲେ। ମାତ୍ର ରବିବାର ସକାଳେ କୈାଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ତପନ ଏକ ଗାମୁଛାରେ ତଣ୍ଡିଚିପି ରୋଜାଲିନଙ୍କୁ ମାରି ଦେଇଥିଲେ। ଏ ବିଷୟରେ ରୋଜାଲିନଙ୍କ ମା’ ରେଣୁବାଳା ଥାନାରେ ଅଭିଯୋଗ କରିବାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ତପନ ବାଣପୁର ଥାନାରେ ଆତ୍ମସର୍ମପଣ କରିଛନ୍ତି। ଅପରାହ୍ନରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠୀ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଛନ୍ତି।

Comments are closed.