ବାଣପୁର ଉପ କାରାଗାରରେ କରୋନା , ଭୟରେ କଏଦୀ

ବାଣପୁର : ବାଣପୁର ଉପ କାରାଗାରକୁ ଛୁଇଁଲା କରୋନା। ଉପ କାରାଗାରର ଜଣେ ବିଚାରଧିନ ବନ୍ଦୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜେଲ ଅଧିକ୍ଷକ କୋଶଳୀ ପଦ୍ମିନୀ ଦଳବେହେରା। ଏ’ ଖବର ଜଣା ପଡିବା ପରେ କଏଦୀଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାତାବରଣ।

ଗତ ୬ ତାରିଖରେ ଏକ ଅବକାରୀ ମକଦ୍ଦମାରେ ଅଭିଯୁକ୍ତ ଥିବା ଜଣେ ଯୁବକକୁ ବାଲୁଗାଁ ପୁଲିସ ବାଣପୁର କୋର୍ଟକୁ ଚଲାଣ କରିଥିଲା। ତେବେ କୋର୍ଟ ସଂପୃକ୍ତ ଅଭିଯୁକ୍ତଙ୍କୁ ବିଚାରଧିନ ବନ୍ଦୀ ଭାବେ ବାଣପୁର ଉପ କାରାଗାରକୁ ପଠାଇ ଦେଇଥିଲେ। କାରାଗାରରେ ନିମିର୍ତ୍ତ ସଙ୍ଗରୋଧ ସେଲରେ ସଂପୃକ୍ତ ଅଭିଯୁକ୍ତ ଯୁବକକୁ ରଖା ଯାଇଥିଲା। ପରେ ୯ ତାରିଖରେ କରୋନା ପରୀକ୍ଷଣ ପାଇଁ ଅନ୍ୟ ବନ୍ଦୀଙ୍କ ସହ ସଂପୃକ୍ତ ଯୁବକଙ୍କ ସ୍ୱାବ ମଧ୍ୟ ପଠା ଯାଇଥିଲା। ତେବେ ୧୩ ତାରିଖରେ ସଂପୃକ୍ତ ଯୁବକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ରିର୍ପୋଟ ଆସିବା ବେଳକୁ ସଂପୃକ୍ତ ଯୁବକ ଜଣଙ୍କ କାରାଗାରରୁ ଜାମିନରେ ମୁକୁଳି ଯାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବନ୍ଦୀଙ୍କୁ କୋବିଦ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବନ୍ଦୀଙ୍କ ଘର ଥିବା ଚିଲିକା ବ୍ଳକର ଅଠର ବାଟିଆ ପଞ୍ଚାୟତକୁ ସରପଞ୍ଚ ୭୨ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି।

ଅନ୍ୟ ପକ୍ଷରେ କାରାଗାର କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଦ୍ୱିତୀୟ ପର୍ୟ୍ୟାୟରେ ମଙ୍ଗଳବାରେ କାରାଗାର କର୍ମଚାରୀ ଓ ବନ୍ଦୀଙ୍କ ସମେତ ସମୁଦାୟ ୩୦ ଜଣଙ୍କର କରୋନା ପରୀକ୍ଷଣ ପାଇଁ ସ୍ୱାବ ସଂଗ୍ରହ କରାଯାଇଛି। ଏ’ ଘଟଣା ପରେ କାରାଗାରରେ ଥିବା କଏଦୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ସମସ୍ତ ବନ୍ଦୀଙ୍କ କରୋନା ପରୀକ୍ଷଣ ପାଇଁ କଏଦୀମାନେ ଦାବି କରିଛନ୍ତି । କାରାଗାର ପରିଷରକୁ ବିଶୋଧନ କରିବା ପାଇଁ ଜେଲ କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ମାତ୍ର ଅପରାହ୍ନ ସୁଧା କାରାଗାରକୁ ବିଶୋଧନ କରାଯାଇ ନାହିଁ।

Comments are closed.