୧୦୦ ଚକିଆ ଟ୍ରଲରକୁ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ – ଜଣେ ମୃତ, ୨ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଗାଡ଼ି କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ୧୦୦ ଚକିଆ ଟ୍ରଲର ରାସ୍ତା ପାର୍ଶ୍ବରେ ଛିଡା କରି ପଛ ଇଣ୍ଡିକେଟର ଲାଇଟ ସଜାଡିବା ସମୟରେ ପଛରୁ ଆସି ଏକ ୧୨ ଚକିଆ ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରଲର ଇଣ୍ଡିକେଟର ଲାଇଟ ସଜାଡୁଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ବିହାର ଅଞ୍ଚଳର ଗୌତମ ଯାଦବ(୩୦) ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଅଙ୍ଗୁର ବୋଝେଇ ଟ୍ରକଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଙ୍ଗୁର ଟ୍ରକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେନ୍ଦୁଝରରେ ମୃତକ ଙ୍କ ଶବ ବ୍ୟବଚ୍ଛେଦ କରାଇଛି।

Comments are closed.