ବନମାଳିପୁର ନିଧିରାମ ମୃତ୍ୟୁ ଘଟଣା : ହେମଦସ୍ତା ପୁଆରେ ସ୍ବାମୀଙ୍କ ମୁଣ୍ଡ ପିଟି ହତ୍ୟା କରିଥିଲା ସ୍ତ୍ରୀ ଲିଲି

ବାଲିପାଟଣା/ବାଳକାଟି/ବନମାଳିପୁର : ସାଢ଼େ ୩ମାସ ଧରି ବାଲିପାଟଣା ଥାନା ବନମାଳିପୁର ଗ୍ରାମର ନିଖୋଜ ଥିବା ନିଧିରାମ ଗିରି(୪୨)ଙ୍କ ପତ୍ତା ମିଳିଛି। ମୃତ ନିଧିରାମଙ୍କୁ ତାଙ୍କ ସ୍ତ୍ରୀ ଲିଲି ହତ୍ୟା କରି ବାରିପଟେ ପୋତି ଦେଇଥିବା ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମଙ୍ଗଳବାର ନିଧିରାମଙ୍କ ଖପୁରି ତାଙ୍କ ବାରିପଟେ ଥିବା ବାଉଁଶ ବୁଦା ନିକଟରେ ଉଦ୍ଧାର ହୋଇଥିବା ବେଳେ ବୁଧବାର ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ବାଲିପାଟଣା ଅତିରିକ୍ତ ତହସିଲଦାର ବିଭାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ମୃତ ନିଧିଙ୍କ ଅଧାପୋଡ଼ା କଙ୍କାଳ ଉଦ୍ଧାର କରି ପରୀକ୍ଷା ପାଇଁ ପଠାଇଛନ୍ତି।

ପୁଲିସ ଲିଲିଙ୍କୁ ନେଇ ତାଙ୍କ ବାରିପଟେ ସରଜମିନ୍‍ ତଦନ୍ତ କରିଥିବା ବେଳେ ତାଙ୍କ କହିବା ଅନୁଯାୟୀ ବାଉଁଶବୁଦାଠାରୁ ପ୍ରାୟ ୧୫/୨୦ ଫୁଟ୍‌ ଦୂରରେ ଥିବା ଏକ କରଞ୍ଜଗଛ ମୂଳରେ ଥିବା ଅନାବନା ଘାସ ମଧ୍ୟରୁ ହତ୍ୟାରେ ବ୍ୟବହୃତ ହେମଦସ୍ତା ପୁଆକୁ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି ନା ନାହିଁ ପୁଲିସ ତଦନ୍ତ କରୁଥିବାବେଳେ ପରକୀୟା ପ୍ରୀତିରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନାେଯାଗ୍ୟ ଯେ ଗ୍ରାମର ଘନ ଗିରିଙ୍କ ଦୁଇ ପୁଅଙ୍କ ମଧ୍ୟରୁ ସାନପୁଅ ହେଲେ ନିଧିରାମ। ଗ୍ରାମର ଆନନ୍ଦ ଦାସଙ୍କ ଏକମାତ୍ର ଝିଅ ଲିଲି। ଲିଲି ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଜନ୍ମ ଗ୍ରହଣ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା। ଫଳରେ ଲିଲି ଦୁଇ ଝିଅଙ୍କୁ ଧରି ବାପଘର ବନମାଳିପୁର ଚାଲି ଆସିଥିଲେ। ଏଠାରେ ନିଧିରାମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ବିବାହ କରିଥିଲେ। ନିଜଠାରୁ ଅଧିକ ବୟସର ବିଧବା ମହିଳାଙ୍କୁ ବିବାହ ଘଟଣାକୁ ନେଇ ନିଧିରାମ ଓ ବାପା ଘନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ନିଧିରାମ ପ୍ରାୟ ୨୫/୩୦ ବର୍ଷ ତଳେ ଘରଛାଡ଼ି ସେହି ଗ୍ରାମରେ ଅନ୍ୟତ୍ର ଘର କରି ରହୁଥିଲେ। ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଜନ୍ମ ଗ୍ରହଣ କରିଥିଲେ। ୬ ପ୍ରାଣୀଙ୍କୁ ନେଇ ପରିବାର ପ୍ରତିପୋଷଣ ପାଇଁ ସେ ଭୁବନେଶ୍ୱର କ୍ୟାପିଟାଲ୍‍ ଥାନା ପାର୍ଶ୍ବ ଏକ ନମ୍ବର ହାଟରେ ଫିନାଇଲ୍‍ ଦୋକାନ କରିଥିଲେ। ଏହାରି ମଧ୍ୟରେ ନିଧିରାମ ୪ ଝିଅଙ୍କୁ ବିବାହ ଦେଇସାରିଛନ୍ତି। ଘରେ କେବଳ ସାନ ପୁଅ, ଲିଲି ଏବଂ ନିଧିରାମ ରହୁଥିଲେ।

୨ଦିନ ଖଟ ତଳେ ମୃତଦେହ

ସେପ୍ଟେମ୍ବର ୧୨ ତାରିଖରେ ବ୍ୟବସାୟ ସାରି ରାତିପ୍ରାୟ ୧୧ଟାରେ ନିଧିରାମ ଘରକୁ ଫେରିଥିଲେ। କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲିଲି ନିକଟରେ ଥିବା ଏକ ହେମଦସ୍ତା ପୁଆରେ ନିଧିରାମଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ଲିଲି ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ଶୋଇବା ଘର ଖଟତଳେ ରଖିଥିଲେ। ଦୁଇଦିନ ପରେ ସନ୍ଧ୍ୟାରେ ବାରିପଟେ ଥିବା ବାଉଁଶ ବୁଦା ମୂଳରେ ମୃତଦେହକୁ ପକାଇ ସେଥିରେ ବାଉଁଶପତ୍ର ଆଦି ଅଳିଆ ପକାଇ ନିଆଁ ଲଗାଇ ଦେଇଥିଲେ। ମାତ୍ର ଶରୀର ସମ୍ପୂର୍ଣ୍ଣ ପୋଡ଼ିନଥିଲା। ସେହିପରି ୩/୪ ଦିନ କାଳ ଏପରି ନିଆଁ ଲଗାଇ ଶବଦାହ କରିଥିଲେ ଲିଲି। ଅଳିଆରେ ନିଆଁ ଲଗାଉଥିବା ଭାବି କେହି ବି କିଛି ସୁରାକ ପାଇନଥିଲେ। ଦୁର୍ଗନ୍ଧ ନ ହେବାପାଇଁ ଲିଲି ସେଠାରେ ପ୍ରତ୍ୟହ ଫିନାଇଲ୍‍ ପକାଉଥିଲେ।

ଭୟ ଓ ପଶ୍ଚାତାପରେ ରହୁଥିଲେ

ସ୍ୱାମୀଙ୍କୁ ହତ୍ୟା କରିବା ପରେ ୫ ବଖରା ବିଶିଷ୍ଟ ଘରେ ଏକୁଟିଆ ନାବାଳକ ପୁଅ ସହ ରହୁଥିଲେ ଲିଲି। ମାତ୍ର ସ୍ବାମୀଙ୍କୁ ହତ୍ୟା କରିବାର ପଶ୍ଚାତାପ ଏବଂ ମଣିଷମରା ଭୟ ତାଙ୍କୁ ଗ୍ରାସିଥିଲା। ରାତିରେ ଠିକ୍‌ ଭାବେ ଶୋଇପାରୁ ନ ଥିଲେ। ସତକଥା କହିବାକୁ ଚେଷ୍ଟା କରୁଥିେଲ ମଧ୍ୟ ସାହସ ଜୁଟାଇ ପାରୁ ନ ଥିଲେ। ତେବେ ଗ୍ରାମବାସୀ ନିଧିଙ୍କ ସମ୍ପର୍କରେ ଜୋର୍‌ ଦେଇ ପଚାରିବାରୁ ସତକଥା ମାନି ଯାଇଥିଲେ। ଲିଲିଙ୍କ ଜ୍ୱାଇଁ ପ୍ରତାପଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି।

ଚା’ ଖଟିରୁ ପର୍ଦାଫାସ୍‍

ନିଧିରାମଙ୍କ ନିଖୋଜ ଘଟଣାକୁ ପ୍ରାୟ ସାଢ଼େ ୩ ମାସ ବିତିଯାଇଥିଲା। ଗ୍ରାମବାସୀ ନିଧିଙ୍କ ସମ୍ପର୍କରେ ସୁରାକ ପାଉ ନ ଥିବା ବେଳେ ପତ୍ନୀ ଲିଲିଙ୍କ ଉପରେ ସନ୍ଦେହ କରୁଥିଲେ। ଗତକାଲି ବଜାରରେ ଚା’ ଖଟି ସମୟରେ କିଛି ଲୋକ ନିଧିରାମଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିଧିରାମଙ୍କ ବିଷୟରେ ଜାଣିବାପାଇଁ ଲିଲିକୁ ପଚରାଉଚରା କରିଥିଲେ। ଲିଲି ସେଭଳି କିଛି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏଥିରେ ସନ୍ଦେହ ହେବାରୁ ଉକ୍ତ ଯୁବକ ଚା’ ଖଟିରେ ଥିବା ଅନ୍ୟ ଲୋକଙ୍କୁ କହିଥିଲା। ସମସ୍ତେ ଏକାଠି ହୋଇ ପଚାରିବାରୁ ସେ ସବୁ କଥା ମାନିଯାଇଥିଲେ।

Comments are closed.