ଗଛ ଓ ପଥର ଚଟାଣ ଉପରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କରୋନା ମହାମାରୀ ସମୟରେ ଅନଲାଇନରେ ପାଠପଢା

ବଣାଇ:କରୋନା ମହାମାରୀ ସମୟରେ ଉଭୟ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଡିଜିଟାଲ ସେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କରୋନା ସଂକ୍ରମଣ ରୋକିବାକୁ ଶିକ୍ଷାନୁଷ୍ଠାନଗୁଡିକ ଗତ ମାର୍ଚ୍ଚ ଶେଷ ଭାଗରୁ ବନ୍ଦ ରହିଥିବାବେଳେ ଅନଲାଇନରେ ପାଠପଢା ଆରମ୍ଭ ହୋଇଛି। କିନ୍ତୁ ଆମ ରାଜ୍ୟରେ ଏପରି କିଛି ଅବହେଳିତ ଅଂଚଳ ଆଜି ବି ରହିଛି, ଯେଉଁଠି ମୋବାଇଲ ସେବା ଓ ଇଂଟରନେଟ ସେବା ଲୋକଙ୍କ ପାଖକୁ ପହଂଚି ପାରିନାହିଁ। ଅଧିକାଂଶ ସମସୟରେ ମୋବାଇଲ ନେଟଓ୍ୟାର୍କ କାମ କରି ନଥାଏ। ଏପରି ଏକ ଦୃଶ୍ୟ ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକର ଭାଲୁଡୁଙ୍ଗୁରି ପଂଚାଂୟତର ନଳଘଟି ଗ୍ରାମର ରାଙ୍କାସାହିରେ ଦେଖିବାକୁ ମିଳିଛି। ଏହି ପଂଚାୟତର ଅନେକ ଗାଁକୁ ମୋବାଇଲ ନେଟଓ୍ୟାର୍କ ପାଉ ନାହିଁ। ଲୋକେ ମୋବାଇଲ ଫୋନରେ ଯଦି କାହା ସହିତ କଥା ହେବାକୁ ହେଲେ, ସେମାନଙ୍କୁ ଗଛ ଏବଂ ପାହାଡ ଉପରକୁ ଚଢିବାକୁ ପଡିଥାଏ। କେଉଁଠି ଗାଁ ମୁଣ୍ଡରେ ନେଟଓ୍ୟାର୍କ ଆସୁଥିବା ବେଳେ ଆଉ କେଉଁଠି ଗାଁ ଠାରୁ କିଛି ବାଟ ଯାଇ ଉଚ୍ଚସ୍ଥାନକୁ ଚଢିଲେ ନେଟଓ୍ୟାର୍କ ଧରିଥାଏ। ଏହି ପରିପ୍ରେକ୍ଷୀରେ ପଂଚାୟତରେ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା କିଭଳି ଚାଲୁଛି ତାହା ସହଜେ ଅନୁମେୟ। ଏହି ପଂଚାୟତର ଅଧିକାଂଶ ଲୋକ ଗରିବ ଓ ଆଦିବାସୀ ଅଧ୍ୟୁଷିତ ଶ୍ରେଣୀର। ବହୁ ଅଧିବାସୀଙ୍କ ପାଖରେ ମୋବାଇଲ ଫୋନ ନାହିଁ। ତଥାପି ସେମାନଙ୍କ ପିଲାମାନେ ହାର ମାନି ନାହାଁନ୍ତି। ପାଠ ପଢିବା ପାଇଁ ସେମାନଙ୍କ ମଧ୍ୟରେ ଢେର ଆଗ୍ରହ ଅଛି। ଆଉ ସେଥିପାଇଁ କିଏ ପଡୋଶୀ ଘର ସାଂଗଙ୍କ ସହିତ ମିଶି ଗୋଟିଏ ସ୍ଥାନରେ ପାଠ ପଢୁଥିବାବେଳେ କାହାର ବାପା ମାଁ କୁଲି ମଜୁରୀ କରି ସଂଚୟ କରିଥିବା ଅର୍ଥରେ ମୋବାଇଲ ଫୋନ କିଣି ପିଲାଙ୍କୁ ଦେବାକୁ ବାଧ୍ୟ ହେଉଛନ୍ତି। ତେବେ ଏତିକିରେ କଥା ସରିନାହିଁ। ଯେନତେନ ପ୍ରକାରେ ଅଭିଭାବକ ମୋବାଇଲ ଫୋନଟିଏ ସିନା ଯୋଗାଡ କରି ପାରିଲେ ,ହେଲେ ସ୍ମାଟଫୋନ ଚାଲିବ କିପରି ?ଅନଲାଇନ ପାଠ ପଢା ପାଇଁ ବାଧକ ସାଜିଛି ମୋବାଇଲ ନେଟଓ୍ୟାର୍କ ସେବା। ତେଣୁ ପିଲାଙ୍କ ମଧ୍ୟରେ ପାଠ ପଢିବା ପାଇଁ ଯେଉଁ ଆଗ୍ରହ, ଉଦ୍ଦୀପନା ପ୍ରକାଶ ପାଇଛି, ତାହା ବେଶି କ୍ଷଣି ରହିପାରୁନି।ସେମାନେ ଠିକ ଢଙ୍ଗରେ ପାଠପଢି ପାରୁ ନାହାଁନ୍ତି। ଯଦିଓ କିଛି କିଛି ସ୍ଥାନରେ ନେଟଓ୍ୟାର୍କ ଧରୁଛି, ତେବେ ସେଥିପାଇଁ ସେମାନଙ୍କୁ ଗାଁ ଠାରୁ ଦୂର ବାଟ ଅର୍ଥାତ ଗଛ, ପାହାଡ, ପଥର ଉପରକୁ ଚଢିବାକୁ ପଡୁଛି। ଏହି ପଂଚାୟତର ରାଙ୍କାସାହି ଭଳି କେତେକ ଗ୍ରାମାଂଚଳ ରେ ଥିବା କେତେକ ମେଧାବୀ ଓ ଆଗ୍ରହୀ ଛାତ୍ରଛାତ୍ରୀ କେତେବେଳେ ଗାଁ ମୁଣ୍ଡରେ ଥିବା ଭଙ୍ଗା ଘରେ ବସିପଡି ପଢୁଥିବାବେଳେ ଆଉ କେତେକ ଗାଁଠାରୁ ଅନତୀ ଦୂରରେ ଥିବା ପାହାଡ ଉପରେ ଥିବା ଗଛ ଓ ପଥର ଚଟାଣ ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି।ଭାଲୁଡୁଙ୍ଗୁରୀ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀ ରେ ପାଠ ପଢୁଥିବା ରୀନା ଓରାମ କହୁନ୍ତି ତାଙ୍କ ୮ଜଣ ସାଙ୍ଗଙ୍କୁ ଗାଁ ମୁଣ୍ଡରେ ଥିବା ପାହାଡ ଉପରେ ଥିବା ଗଛ ଓ ପଥର ଚଟାଣ ଉପରକୁ ଯାଇ ସେଠାରେ ବସନ୍ତି କାରଣ ସେଠାରେ ହିଁ ମୋବାଇଲ ନେଟଓ୍ୟାର୍କ ଧରି ଥାଏ।ସେମାନେ ଦିନ ବେଳେ ୨ରୁ ୩ ଘଂଟା ମୋବାଇଲ ବା ଅନଲାଇନରେ ପାଠପଢି ପରେ ପୁଣି ସମସ୍ତେ ଘରକୁ ଫେରିଥାନ୍ତି। ଛାତ୍ର ଦୁଇଜଣ ଗଛ ଉପରେ ଓ ଛାତ୍ରୀ ୬ ଜଣ ପଥର ଚଟାଣରେ ବସି ପାଠ ପଢିଥାନ୍ତି। ସେମାନେ ସବୁଦିନ ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନେ ମନ ଦୁଃଖରେ ପ୍ରକାଶ କରିଛନ୍ତି। ଗୁରୁଣ୍ଡିଆ ବ୍ଲକର କେବଳ ଏହି ପଂଚାୟତର ଏହି ରାଙ୍କାସାହି ନୁହଁ,ଗୁରୁଣ୍ଡିଆ ବ୍ଲକର ପଙ୍କଡିହି ପଂଚାୟତର ସମସ୍ତ ଗ୍ରାମ.ଟାମ୍ପରକେଲା ପଂଚାୟତ ,ବନେଇକଳା ପଂଚାୟତ, ତାମଡା ପଂଚାୟତ, ସୋଲ ପଂଚାୟତ, କୁଣ୍ଢେଇଡିହା ପଂଚାୟତ, କୁଚେଇତା ପଂଚାୟତ ଏବଂ ନରେନ୍ଦ୍ର ପଂଚାୟତ ବହୁ ଗ୍ରାମରେ ଆଜି ପର୍ଯ୍ୟନ୍ତ ମୋବାଇଲ ନେଟଓ୍ୟାର୍କ ନାହିଁ।ଗୁରୁଣ୍ଡିଆ ବ୍ଲକ ସଦର ମହକୁମା ସମେତ କେତେକ ହାତ ଗଣତି ପଂଚାୟତ ସଦର ମହକୁମାରେ କେବଳ ବିଏସଏନଏଲ ସେବାକୁ ଛାଡି ଅନ୍ୟ ମୋବାଇଲ ସେବା ନାହିଁ। ଫଳରେ ବିଏସଏନଏଲ ସେବା ବ୍ୟାହତ ହେଲେ ଇଂଟରନେଟ ଉପରେ ନିର୍ଭର କରୁଥିବା ସସସ୍ତ ପ୍ରକାର ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥାଏ। ଗୁରୁଣ୍ଡିଆ ବଡଗାଁ ସମେତ ଅନେକ ସ୍ଥାନରେ ଦୀର୍ଘ ୧ ବର୍ଷରୁ ଉଦ୍ଧ୍ୱର୍ ହେଲାଣି ଜିଓ କମ୍ପାନୀ ନୂତନ ମୋବାଇଲ ଟାଓ୍ୟାର ସ୍ଥାପନ କରି ସାରିଛିାକିନ୍ତୁ ଏହି ଟାଓ୍ୟାର ଗୁଡିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ ହେବାରୁ ସେହି ସବୁ ଅଂଚଳରେ ନେଟଓ୍ୟାର୍କ ନ ଥିବାରୁ ଜନସାଧାରଣଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.