ଆଜିଠାରୁ ୧୧୪ ପୌରାଞ୍ଚଳରେ ପ୍ଲାଷ୍ଟିକ୍ ମନା

ବର୍ଷେ ପରେ ବି ୬ ବଡ଼ ସହରରେ ନିୟମ ବାଟବଣା, ବିକଳ୍ପର ଅଭାବ ସାଜିଛି କଟକଣା ପାଇଁ ପ୍ରତିବନ୍ଧକ

ବାସ୍ତବତା ଠାରୁ ବହୁ ଦୂରରେ ପୁନଃଚକ୍ରଣ ବ୍ୟବସ୍ଥା

ଭୁବନେଶ୍ୱର : ଆଜି ପବିତ୍ର (ଗାନ୍ଧୀ ଜୟନ୍ତୀ) ଠାରୁ ରାଜ୍ୟରେ ପ୍ରତ୍ୟେକ ସହରରେ ଥରେ ବ୍ୟବହାର ହେଉଥିବା(ସିଙ୍ଗଲ ୟୁଜ୍‌) ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ। ୫ଟି ମହାନଗର ନିଗମ ଅଞ୍ଚଳ ସମେତ ୪୮ଟି ମ୍ୟୁନିସିପାଲିଟି ଓ ୬୧ ଏନ୍‌ଏସିରେ ପ୍ରତିବନ୍ଧିତ ପ୍ଲାଷ୍ଟିକ୍ ମହଜୁଦ, ବ୍ୟବସାୟ ଓ ବ୍ୟବହାର ବେଆଇନ ବୋଲି ବିବେଚିତ ହେବ। ୫୦ ମାଇକ୍ରନ୍‌ରୁ କମ୍ ମୋଟେଇର ପଲିଥିନ୍‌ର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ଥିବାବେଳେ ୨ ଶହ ମିଲି. ପରିମାପକର ପାଣି ବୋତଲ, ସୋଲ ଓ ପ୍ଳାଷ୍ଟିକ୍ ନିର୍ମିତ ଥାଳି, କପ୍, ଗ୍ଲାସ୍, ଚାମଚ, ପାଣି ପାଉଚ ଭଳି ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଯାଇଛି। ପ୍ଲାଷ୍ଟିକ୍ କଟକଣା କିପରି କଡ଼ାକଡ଼ି ଭାବେ ଲାଗୁ ହେବ, ତାହା ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଓ ପୁରୀ ସହରରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି କରିଥିଲେ। କିନ୍ତୁ ଯଦି ବାସ୍ତବତା ଦେଖାଯାଏ, ତେବେ ବର୍ଷେ ପରେ ବି ଏହି ନିୟମ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାର ପ୍ରମୁଖ କାରଣ ହେଉଛି ବଜାରରେ ବିକଳ୍ପ ବ୍ୟବସ୍ଥାର ଅଭାବ। ଭୁବନେଶ୍ବର ଓ କଟକରେ ମଝିରେ ମଝିରେ ମହାନଗର ନିଗମ ପକ୍ଷରୁ ଚଢ଼ଉ ହେଉଛି। କଟକଟଣା କଥା ମନେପଡ଼ିଲେ ପ୍ରଶାସନ ରାସ୍ତା କଡ଼ରେ ବସିଥିବା ଦୋକାନି, ଠେଲାଗାଡ଼ି, ହାଟ, ମାର୍କେଟ୍ କ​‌େ​‌ମ୍ପ୍ଲକ୍ସରେ ଚଢ଼ଉ କରି ଜୋରିମାନା ଆଦାୟ କରୁଛି। କିନ୍ତୁ ଏହାର କିଛି ପ୍ରଭାବ ପଡ଼ୁଥିବା ପରି ମନେ ହେଉନାହିଁ। ଆଜି ବି ହାଟ ବଜାରରେ ପଲିଥିନ୍ ବ୍ୟବହାର ନିରନ୍ତର ଚାଲିଛି।
ନିୟମ ଅନୁସାରେ ପ୍ରସ୍ତୁତ ହୋଇଥିବା ପଲିଥିନ୍ କିମ୍ବା କପଡ଼ା ନିର୍ମିତ ଝୁଲାର ଦର ଏତେ ଅଧିକ ରହୁଛି ଯେ ବ୍ୟବସାୟୀମାନେ ତାକୁ କିଣିପାରୁ ନାହାନ୍ତି। ସାମଗ୍ରୀ ବିକ୍ରୟ କରୁଥିବା ବ୍ୟବସାୟୀ ବା ଦୋକାନି କପଡ଼ା ବା କାଗଜରେ ନିର୍ମିତ ବ୍ୟାଗ୍‌ ମାଗଣାରେ ଦେବାପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦେଶ ରହିଥିଲେ ହେଁ ସହରର ଅଧିକାଂଶ ସପିଙ୍ଗ ମଲ୍‌ରେ ସାମଗ୍ରୀ ବିଲ୍‌ ବାହାରେ ବ୍ୟାଗ୍‌ ବା ଝୁଲା ପାଇଁ ଅଲଗା ଦାମ୍‌ ଦେବାକୁ ବାଧ୍ୟ କରାଯାଇଛି। ଏଥିକୁ ପ୍ରତିବାଦ କରିବା ପାଇଁ ମଧ୍ୟ କାହାରି ଜୁ ପାଉନାହିଁ। ଅନ୍ୟପକ୍ଷରେ ଦୋକାନି ଯଦି ଝୁଲା କିମ୍ବା ପଲିଥିନ୍‌ରେ ଜିନିଷ ଦେଉନାହିଁ, ତେବେ ଗ୍ରାହକ ଫେରି ଯାଉଛନ୍ତି। ବଜାରକୁ ଯିବା ସମୟରେ ସାଙ୍ଗରେ ବ୍ୟାଗ୍ ଆଣିବା ଅଭ୍ୟାସ ଲୋକଙ୍କ ଠାରୁ ସତେ ଯେପରି ଦୂରେଇ ଯାଇଛି। ଏପରି ଅବସ୍ଥାରେ ଜୋରିମାନାକୁ ଖାତିର ନ କରି ବ୍ୟବସାୟୀ ପୁଣି ପ୍ରତିବନ୍ଧିତ ପଲିଥିନ୍‌ରେ ସାମଗ୍ରୀ ଦେବାକୁ ଉଚିତ ମଣୁଛନ୍ତି।
ଅପରପକ୍ଷେ ଅନ୍ୟ ମହାନଗର ନିଗମ କଥା ଦୂରରେ ଥାଉ ଦେଶର ପ୍ରଥମ ସ୍ମାର୍ଟସିଟିର ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ପୁନଃଚକ୍ରଣ ପାଇଁ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମକୁ ସ୍ବଚ୍ଛ ସର୍ବେକ୍ଷଣରେ ପ୍ରତିବର୍ଷ ମାର୍କ ହରାଇବାକୁ ପଡ଼ୁଛି। ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ନିର୍ଦେଶ ବି କାଛି କାମ କରୁନାହିଁ। ରାଜ୍ୟରେ ଏପରି ବହୁ ଛୋଟ ଛୋଟ ଉଦ୍ୟୋଗ ଅଛି, ଯେଉଁଠାରେ କମ୍ ମୂଲ୍ୟରେ ପରିବେଶ ଅନୁକୂଳ ବ୍ୟାଗ୍ ପ୍ରସ୍ତୁତ କରାଯାଉଛି। କିନ୍ତୁ ବଜାରୀକରଣ ଅଭାବ ଓ ସରକାରଙ୍କ ସହାୟତା ବିନା ଏହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ତେଣୁ ଏବେ ବଜାରରେ ଯେଉଁ କିଛି ସଂସ୍ଥାଙ୍କ ଝୁଲା(ବ୍ୟାଗ୍‌) ମିଳୁଛି, ତାହା ଚଢ଼ା ଦରରେ ବିକ୍ରି ହେଉଥିବାରୁ ଛୋଟମୋଟ ବ୍ୟବସାୟୀ ତାହା ବ୍ୟବହାର କରିପାରୁ ନାହାନ୍ତି।

Comments are closed.