ବଞ୍ଚିଛି ଜୀବିକା, ବଞ୍ଚୁନି ଜୀବନ

ବାଉଁଶ ଓ ମାଟି ତିଆରି ସାମଗ୍ରୀ ଉପରେ କରୋନା ମାଡ଼

ଭୁବନେଶ୍ବର: ସମୟକ୍ରମେ ସାମାଜିକ ଚାହିଦା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ରୁଚି ବଦଳିଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବିଭିନ୍ନ ବଂଶାନୁକ୍ରମିକ ବୃତ୍ତିଧାରୀଙ୍କ ଉପରେ। ଯାହା ଫଳରେ ଅନେକ ପରିବାର ସେମାନଙ୍କ କୌଳିକ ବୃତ୍ତିଛାଡ଼ି ଦେଇଥିବାବେଳେ ଆଉ କେତେକ ଯେନତେନ ପ୍ରକାରେ ବଂଶାନୁକ୍ରମିକ ବୃତ୍ତିକୁ ଆଦରି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏବେ କରୋନା କଟକଣା ଯୋଗୁ ବଂଶାନୁକ୍ରମିକ ବୃତ୍ତି ଦିଗ ହରା ହୋଇଛି। ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଏବଂ ଅନ୍‌ଲକ୍‌-୧ ପାରମ୍ପରିକ ବୃତ୍ତିଧାରୀଙ୍କ ଆର୍ଥିକସ୍ଥିତିକୁ ଦୋହଲାଇ ଦେଇଛି। ତେବେ ଓଡ଼ିଶାରେ ଧର୍ମାନୁଷ୍ଠାନ ବନ୍ଦ ରହିବା ସାଙ୍ଗକୁ ବିବାହ, ବ୍ରତଘର ଓ ବିଭିନ୍ନ ପର୍ବପର୍ବାଣୀ ପାଳନ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଫଳରେ ବିଶେଷକରି ବାଉଁଶ ଓ ମାଟି ତିଆରି ସାମଗ୍ରୀ ବିକ୍ରି ଢେର୍‌ ପ୍ରଭାବିତ ହୋଇଛି। ଫଳରେ ବାଉଁସ ଓ ମାଟି ତିଆରି ସାମଗ୍ରୀ ପ୍ରସ୍ତୁତିକୁ ବେଉସା କରି ପରିବାର ପ୍ରତିପୋଷଣ କରୁଥିବା ପାରମ୍ପରିକ କୁଟୀର ଶିଳ୍ପ କାରିଗର ହାତ ବାନ୍ଧି ବସିଛନ୍ତି।

କରୋନା କଟକଣା ଯୋଗୁ ସେମାନେ ତିଆରି କରୁଥିବା ସାମଗ୍ରୀ ବଜାରରେ ବିକ୍ରି କରିବାରେ ସମସ୍ୟା ଦେଖାଦେଉଛି। ସେମାନଙ୍କ ଜୀବିବା ବଞ୍ଚିଛି, କିନ୍ତୁ ଆର୍ଥିକ ଅନଟନରେ ଜୀବନ ଅତିବାହିତ କଷ୍ଟକର ହେଉଛି। ପୂର୍ବରୁ ବାଉଁଶ ଓ ମାଟି ତିଆରି ସାମଗ୍ରୀ ବହୁଳ ଭାବେ ବ୍ୟବହାର କରାଯାଉଥିଲା। ଏବେ ଏହିସବୁ ସାମଗ୍ରୀ କେବଳ ଓଷା, ବାହାଘର, ବ୍ରତ, ପର୍ବପର୍ବାଣୀରେ ସୀମିତ ରହିଛି। ବାଉଁଶ ପାତିଆରେ ପ୍ରସ୍ତୁତ ଟୋକେଇ କୁଲା, ବାଉଁଶିଆ, ଭୋଗେଇ ଡାଲା, ମାଟିରେ ପ୍ରସ୍ତୁତ ହାଣ୍ଡି, ମାଠିଆ, କଳସ, ସରା, ଆଦିର ସ୍ଥାନ ପିତ୍ତଳ, ଷ୍ଟିଲ୍‍, ସିଲ୍‍ଭର, ପ୍ଲାଷ୍ଟିକ୍‍ରେ ପ୍ରସ୍ତୁତ ସାମଗ୍ରୀ ମାଡ଼ି ବସିଲାଣି। ବିବାହ,ବ୍ରତ, ମହୋତ୍ସବ, ଯଜ୍ଞ ସମେତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଅନନ୍ତ ବାସୁଦେବ, ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ରାଜ୍ୟର ବହୁ ପ୍ରାଚୀନ ଓ ପୁରାତନ ମନ୍ଦିରରେ ମାଟିରେ ତିଆରି ସାମଗ୍ରୀର ବ୍ୟବହାରକୁ ବାଦ୍‍ଦେଲେ ଆଉ କୌଣସି ସାମଗ୍ରୀର ଚାହିଦା ଆଉ ପ୍ରାୟତଃ ନାହିଁ କହିଲେ ଚଳେ। ସେହିପରି କରୋନା କଟକଣା ଯୋଗୁ ଧାର୍ମିକ କାର୍ଯ୍ୟକ୍ରମ ଓ ସମାବେଶକୁ ବାତିଲ କରାଯାଇଛି। ଆଗରୁ ମାଟି ଓ ବାଉଁଶ ତିଆରି ସାମଗ୍ରୀର ଚାହିଦା ଏତେ ଥିଲା ଯେ ଏସବୁ ସାମଗ୍ରୀ ପ୍ରସ୍ତୁତିକୁ ବେଉସା କରି ଅନେକ ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ଏବେ ସମୟ ଓ ଚାହିଦା ବଦଳିବା ପରେ ପୁରୁଷ ପୁରୁଷ କରି ଆଦରିଥିବା ବାଉଁଶ ଓ ମାଟି ତିଆରି ସାମଗ୍ରୀ ପ୍ରସ୍ତୁତି ବୃତ୍ତିକୁ ଅନେକ ପରିବାର ଛାଡ଼ି ନାହାନ୍ତି ସତ, ହେଲେ ଏହି ବୃତ୍ତିକୁ ବେଉସା କରି ପରିବାର ପୋଷିବା ଆଉ ସମ୍ଭବ ହେଉନାହିଁ। ଏହାବ୍ୟତୀତ ଏସବୁ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତ ଓ କାରବାର ପାଇଁ ସରକାରୀ ସହାୟତା କିମ୍ବା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇନଥିବାରୁ ଏହି ପାରମ୍ପରିକ କୁଟୀର ଶିଳ୍ପ ଏବେ ନାମକୁ ମାତ୍ର ବଞ୍ଚିଛି। ଏହି ପାରମ୍ପରିକ ଶିଳ୍ପକୁ ବୃତ୍ତି କରି ବଞ୍ଚିଥିବା ପରିବାରକୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ସହ ବିକଶିତ ସାମଗ୍ରୀ ପ୍ରସ୍ତୁତ ପାଇଁ ବୈଷୟିକ ସହାୟତା ଯୋଗାଇ ଆବଶ୍ୟକ। ସେହିପରି ପାରମ୍ପରିକ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ସହ ସେସବୁ ବିକ୍ରି ପାଇଁ ବ୍ୟବସ୍ଥା କରାଯିବା ଦରକାର ବୋଲି ସାଧାରଣରେ ଦାବି କରାଯାଇଛି।

Comments
Loading...