‘ଚୀନ ସହ ସଂଘର୍ଷ ହେଲେ ଟ୍ରମ୍ପ ଭାରତକୁ ସମର୍ଥନ କରି ନ ପାରନ୍ତି’

ୱାଶିଂଟନ୍‌ : ଚୀନ ସହିତ ବିବାଦ ପ୍ରସଙ୍ଗରେ ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେ ସମର୍ଥନ ଦେବା କଥା କହିଲେ ମଧ୍ୟ ତାଙ୍କ ଉପରେ ଭରସା ନାହିଁ। ଭାରତ-ଚୀନ ମଧ୍ୟରେ ସୀମାରେ ସଂଘର୍ଷ ବୃଦ୍ଧି ପାଇଲେ ଟ୍ରମ୍ପ୍ ଭାରତକୁ ସମର୍ଥନ କରିବେ ବୋଲି କୌଣସି ଭରସା ନାହିଁ। ଇତିହାସ ସମ୍ପର୍କରେ ଟ୍ରମ୍ପଙ୍କର ଆଦୌ ଜ୍ଞାନ ନ ଥିବାରୁ ଯେକୌଣସି ମୁହୂର୍ତ୍ତରେ ସେ ନିଜର ମତ ବଦଳାଇପାରନ୍ତି। ଏଭଳି କହିଛନ୍ତି ଏକଦା ଟ୍ରମ୍ପଙ୍କର ସହଯୋଗୀ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଜାତୀୟ ନିରାପତ୍ତା ପରାମର୍ଶଦାତା ଜନ୍‌ ବଲ୍‌ଟନ୍। ଟ୍ରମ୍ପ ଆସନ୍ତା ନିର୍ବାଚନରେ ଯଦି ପୁନର୍ବାର କ୍ଷମତାକୁ ଫେରନ୍ତି; ତେବେ ସ୍ବର ବଦଳାଇବା କିଛି ଅସମ୍ଭବ ନୁହେଁ। ବାଣିଜ୍ୟିକ ଦୃଷ୍ଟିରୁ ସେ ଚୀନ ଉପରେ ଅଧିକ ଗୁରୁତ୍ବ ଦେବେ। ଚୀନ୍ ସହ ହୋଇଥିବା ବୃହତ୍ ବାଣିଜ୍ୟ ରାଜିନାମାକୁ ଗ୍ରହଣ କରିବା ସମ୍ଭବନା ଅଧିକ। ସମ୍ପ୍ରତି ଉଇଘର ଏବଂ ହଂକଂ ପ୍ରସଙ୍ଗରେ ଚୀନକୁ ସମାଲୋଚନା କରୁଥିଲେ ମଧ୍ୟ ସେତେବେଳେ ଭିନ୍ନ ମତ ରଖିପାରନ୍ତି। ଏ ସମୟରେ ଭାରତ ଓ ଚୀନ୍‌ ମଧ୍ୟରେ ପରିସ୍ଥିତି ଜଟିଳ ହେଲେ ସେ କାହାକୁ ସମର୍ଥନ କରିବେ ତାହା ଏବେଠୁ କହିହେବ ନାହିଁ। ଆବଶ୍ୟକ ପଡ଼ିଲେ ଭାରତକୁ ବର୍ତ୍ତମାନ ଭଳି ସମର୍ଥନ କରିପାରି ନ ପାରନ୍ତି ବୋଲି ବଲଟନ୍‌ କହିଛନ୍ତି।
ଏକ ଘରୋଇ ସମ୍ବାଦ ସରବରାହ ସଂସ୍ଥା ସହିତ ସାକ୍ଷାତକାରବେଳେ ବଲ୍‌ଟନ୍ କହିଛନ୍ତି ଯେ ଭାରତ ଓ ଚୀନ୍ ମଧ୍ୟରେ ଗତ ପ୍ରାୟ ଛ’ଦଶନ୍ଧି ଧରି ଜାରି ରହିଥିବା ଏହି ବିବାଦର ଇତିହାସ ବିଷୟରେ ଟ୍ରମ୍ପଙ୍କର କିଛି ଜ୍ଞାନ ନାହିଁ। ଇତିହାସ ମଧ୍ୟ ତାଙ୍କର ସ୍ମରଣ ରହେ ନାହିଁ; ଅତଏବ ଚୀନ ଓ ଭାରତ ମଧ୍ୟରେ ସାମ୍ପ୍ରତିକ ସୀମା ବିବାଦ ଓ ସଂଘର୍ଷର ଗୁରୁତ୍ବକୁ ଟ୍ରମ୍ପ କେତେ ମାତ୍ରାରେ ଉପଲବ୍ଧି କରନ୍ତି ତାହା ଜାଣିବା ସମ୍ଭବ ନୁହେଁ। ଚୀନ ସମ୍ପ୍ରତି ଏହାର ପୂର୍ବ ସୀମାନ୍ତ ଓ ଦକ୍ଷିଣ ଚୀନ ସାଗରରେ ଦାଦାଗିରି ଚଳାଇଛି। ଏଥିନେଇ ଜାପାନ ଓ ଭାରତ ସହିତ ଏହାର ସମ୍ପର୍କ କ୍ଷୁଣ୍ଣ ହୋଇଛି। ଏମିତିକି ବାଣିଜ୍ୟ ମାଧ୍ୟମରେ ଚୀନ୍ ସହ ଭୌଗୋଳିକ ସମ୍ପର୍କ ବିଷୟ ମଧ୍ୟ ତାଙ୍କୁ ଅବଗତ ନ ଥିବ। ଆମେରିକା ଓ ଅନ୍ୟ ରାଷ୍ଟ୍ରରୁ ବୌଦ୍ଧିକ ସମ୍ପତ୍ତି ଚୋରାଇ ନେଇଛି। ବର୍ଷ ବର୍ଷ ଧରି ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର କରି ଚୀନ୍ ତା’ର ଅର୍ଥନୈତିକ ସଫଳତା ଓ ସାମରିକ କ୍ଷମତା ବୃଦ୍ଧି କରିଛି। ସେଥିପାଇଁ ଏହା ଏତେ ଅଗ୍ରଗତି କରିପାରିଛି। ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଯେଉଁଭଳି ସ୍ଥିତିରେ ରହିଛି ଟ୍ରମ୍ପ ଚୀନ ବିରୋଧରେ କି ନିଷ୍ପତ୍ତି ନେବେ ତାହା ଆକଳନ କରିବା ସମ୍ଭବ ନୁହେଁ।

Comments are closed.