ଛତିଶଗଡ଼ ରାଜ୍ୟପାଳ ବଳରାମଦାସ ଟଣ୍ଡନଙ୍କ ପରଲୋକ

0

ନୂଆଦିଲ୍ଲୀ : ଛଅ ଥରର ବିଧାୟକ, ପ୍ରମୁଖ ରାଜନେତା ତଥା ସମାଜସେବୀ ଛତିଶଗଡ଼ ରାଜ୍ୟପାଳ ବଳରାମଦାସ ଟଣ୍ଡନଙ୍କ ମଙ୍ଗଳବାର ହୃଦ୍‍ଘାତରେ ରାୟପୁରର ବି.ଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲ ଏବଂ କଲେଜରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ସକାଳ ପ୍ରାୟ ୯ଟା ବେଳେ ହୃଦ୍‍ ଘାତ୍‍ ଯୋଗୁଁ ତାଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କୁ ତତ୍କାଳ ଜୀବନ ରକ୍ଷାକାରୀ ପ୍ରଣାଳୀରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ରମଣ ସିଂହ, ବିଧାନସଭା ବାଚସ୍ପତି ଗୌରୀଶଙ୍କର ଅଗ୍ରୱାଲଙ୍କ ସମେତ କେତେକ ମନ୍ତ୍ରୀ ଏବଂ ବିଧାୟକ ହସ୍ପିଟାଲରେ ପହଞ୍ଚି ରାଜ୍ୟପାଳଙ୍କୁ ଦେଖିଥିଲେ ଓ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଡାକ୍ତରଙ୍କ ତମାମ ଚେଷ୍ଟା ସତ୍ତ୍ବେ ତାଙ୍କୁ ରକ୍ଷା କରିଯାଇ ପାରି ନ ଥିଲା। ଶେଷରେ ଅପରାହ୍ଣ ୨ଟା ୧୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
୨୦୧୪ ଜୁଲାଇ ୧୮ରେ ସେ ଛତିଶଗଡ଼ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ୧୯୨୭ ନଭେମ୍ବର ୧୧ରେ ପଞ୍ଜାବର ଅମୃତସରରେ ସେ ଜନ୍ମଲାଭ କରିଥିଲେ। ସେ ଲାହୋରସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପଢା ଶେଷ ହେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଥିଲେ। ସମାଜସେବା ଏବଂ ଜନକଲ୍ୟାଣ କାର୍ଯ୍ୟ ପାଇଁ ସେ ପଞ୍ଜାବରେ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସେ ୧୯୫୭, ୧୯୬୨, ୧୯୬୭, ୧୯୬୯ ଏବଂ ୧୯୭୭ରେ ଅମୃତସର ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଶେଷ ଥର ୧୯୯୭ରେ ରାଜପୁରା ବିଧାନସଭା ମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ପଞ୍ଜାବ ମନ୍ତ୍ରିମଣ୍ଡଳରେ ବରିଷ୍ଠ କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ଉଦ୍ୟୋଗ, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ଶ୍ରମ ଏବଂ ରୋଜଗାର ଆଦି ପଦରେ କାର୍ଯ୍ୟ କରିଥିଲେ। ୧୯୭୯ରୁ ୧୯୮୦ ପର୍ଯ୍ୟନ୍ତ ଟଣ୍ଡନ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜରୁରୀ ପରିସ୍ଥିତି ସମୟରେ ସେ ଜେଲ୍‍ରେ ଦିନ କାଟିଥିଲେ। ୧୯୯୧ରେ ତାଙ୍କ ଉପରେ ଅମୃତସରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ୧୯୪୭ ଦେଶ ବିଭାଜନ ସମୟରେ ସେ ପାକିସ୍ତାନ ପଟୁ ଆସୁଥିବା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କ ଜୀବନ ଉପରେ ତାଙ୍କ ପୁଅ ସଞ୍ଜୟ ଟଣ୍ଡନ ଏକ ପୁସ୍ତକ ‘ଏକ ପ୍ରେରକ ଚରିତ୍ର’ ରଚନା କରିଛନ୍ତି। ସେ ଜଣେ ଖେଳ ପ୍ରେମୀ ଥିଲେ। କୁସ୍ତି, ଭଲିବଲ ଏବଂ କବାଡ଼ି ଭଳ ଖେଳରେ ସେ ଭାଗ ନେଉଥିଲେ ଓ ସୁଖ୍ୟାତି ହାସଲ କରିଥିଲେ।

Leave A Reply