ଜଣେ କନେ​‌ଷ୍ଟବଳରେ ଚାଲିଛି ବନମାଳିପୁର ଫାଣ୍ଡି

ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଫାଣ୍ଡିରେ ଜଣେ ସ୍ଥାୟୀ ପୁଲିସ ଅଧିକାରଙ୍କୁ ନିଯୁକ୍ତି ଦିଆଯାଉ ନ ଥିବାରୁ ଏବେ ଏହି ଫାଣ୍ଡିଟି ଜଣେ କନେ​‌ଷ୍ଟବଳବଳଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରାୟ ୩୦ ବର୍ଷତଳେ ୫ଟି ଗ୍ରାମ ପଞ୍ଚାୟତର ଆଇନଶୃଙ୍ଖଳା ରକ୍ଷା ପାଇଁ ଏହିଫାଣ୍ଡି ସ୍ଥାପନ କରାଯାଇଥିଲା। ମାତ୍ର ଏହି ଫାଣ୍ଡିରେ କର୍ମଚାରୀ ଓ ସ୍ଥାୟୀ ଅଫସିରଙ୍କ ଅଭାବ ସମସ୍ୟା ଲାଗି ରହିଛି। ଫଳରେ ଦୀର୍ଘଦିନ ହେବ ଏଠାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ରାହାଜାନି, ଚୋରି, ଡକାୟତି ଆଦି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ ଏଠାରେ ଜଣେ ସ୍ଥାୟୀ ଏସ୍‍ଆଇଙ୍କ ନିଯୁକ୍ତି ଜରୁରୀ ଥିବା ବେଳେ ପ୍ରାୟ ୨ ମାସ ହେବ କାର୍ଯ୍ୟରତ ଏଏସ୍‍ଆଇ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ସଂପ୍ରତି ଏହି ଫାଣ୍ଡିରେ ଜଣେ କନେ​‌ଷ୍ଟବଳ, ଦୁଇଜଣ ହୋମ୍‍ଗାର୍ଡ ଓ ପାଳିରେ ଆସୁଥିବା କେତେକ ଗ୍ରାମରକ୍ଷୀ ରହି କେବଳ ନାମକୁମାତ୍ର କାର୍ଯ୍ୟ ସଂପାଦନ କରୁଛନ୍ତି।  ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ଲୋକେ କୌଣସି ଗଣ୍ଡଗୋଳ ଘଟଣାରେ ବାଲିପାଟଣା ଥାନାକୁ ୧୫ କିଲୋମିଟର ଅତିକ୍ରମ କରି ଯିବାକୁ ବାଧ୍ୟ ହେଉଛନ୍ତି। ବ୍ୟବସାୟିକ ପେଣ୍ଠସ୍ଥଳୀ ତଥା ବ୍ୟସ୍ତବହୁଳ ବନମାଳିପୁରଠାରେ ଥିବା ଏହି ଫାଣ୍ଡିରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ନିଯୁକ୍ତି ଦିଆଯାଇ ବିପର୍ଯ୍ୟସ୍ତ ପୁଲିସ ସେବାକୁ ତ୍ୱରାନ୍ବିତ କରାଯିବାକୁ ସାଧାରଣରେ ଦାବି ହେଉଛି।

Comments are closed.