କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ; ବାଲିଯାତ୍ରାକୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦାବି

ଭୁବନେଶ୍ୱର : କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରାଯାଉ। ଏହାକୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ ଭାବେ ସ୍ବୀକୃତି ଦିଆଯାଉ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ନିକଟରେ ଏଭଳି ଦାବି କରିଛନ୍ତି। ଏହି ମର୍ମରେ ଶ୍ରୀ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବୋଇତ ବନ୍ଦାଣ ଭାବେ ଜଣାଶୁଣା ବାଲିଯାତ୍ରା କଟକର ବହୁ ପ୍ରାଚୀନ ଉତ୍ସବ ଏବଂ ଏହା ଅତୀତର ଓଡ଼ିଆ ସାଧବଙ୍କ ‌ ଗୌରବାବହ ସାମୁଦ୍ରିକ ନୌବାଣିଜ୍ୟର ବାର୍ତ୍ତା ବହନ କରିଆସୁଛି। ଓଡ଼ିଶାର ସାଧବମାନେ ସୁଦୂର ବାଲି, ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓକୁ ନୌବାଣିଜ୍ୟ ପାଇଁ ଯିବା ସହିତ ସେଠାରେ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ। ସେମାନେ ଯେଉଁ ଡଙ୍ଗାରେ ଯାଉଥିଲେ ତାହାକୁ ‘ବୋଇତ’ କୁହାଯାଉଥିଲା। ସେଦିନର ମହାନ ସ୍ମୃତିକୁ ଆଜି ବାଲିଯାତ୍ରା ଭାବେ ପାଳନ କରାଯାଉଛି। ଏହି ଉତ୍ସବ ନଭେମ୍ବରରେ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣମୀରେ ସରୁଛି। ପ୍ରାୟ ୭ରୁ ୧୦ଦିନ ଧରି ଉତ୍ସବ ଚାଲୁଛି। ଏହା ପ୍ରତିବର୍ଷ ଏକ ବିରାଟ ମୁକ୍ତାକାଶ ମେଳା ଭାବେ ପାଳନ କରାଯିବା ସହିତ ଓଡ଼ିଶାର ସବୁଠୁ ବଡ଼ ଉତ୍ସବ ଭାବେ ବିବେଚିତ ହୋଇଆସୁଛି।
ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ପ୍ରାଚୀନ ଭାରତର ଏହି ଐତିହ୍ୟ ଏବଂ ବାଣିଜ୍ୟିକ ପରମ୍ପରା ଅନେକ ପ୍ରାମାଣିକ ଗୁରୁତ୍ବ ବହନ କରୁଛି। ଓଡ଼ିଶାର ସାଧବମାନେ ପ୍ରାଚୀନ କାଳରୁ ସାମୁଦ୍ରିକ ନୈବାଣିଜ୍ୟ କ୍ଷେତ୍ରରେ ବେଶ ପରାକ୍ରମୀ ଥିଲେ। ସେମାନଙ୍କ ସଫଳତାର ପଦଚିହ୍ନ ଦକ୍ଷିଣ ପୂର୍ବାଞ୍ଚଳ ବି​‌େଶ‌ଷ କରି ବାଲି, ଜାଭା ଓ ସୁମାତ୍ରାରେ ରହିଛି। ଦକ୍ଷିଣ ପୂର୍ବ ରାଷ୍ଟ୍ରଗୁଡ଼ିକରେ ଭାରତୀୟ

ବଂଶୋଦ୍ଭବ ଲୋକେ ସାଧାରଣତଃ କ୍ଲିଙ୍ଗସ ଭାବେ ଜଣାଶୁଣା। ଏଥିରୁ ସୂଚନା ମିଳୁଛି ଯେ ସେମାନେ ବାଣିଜ୍ୟ ଓ ସାଂସ୍କୃତିକ ବିନିମୟ ଜରିଆରେ ପ୍ରାଚୀନ କଳିଙ୍ଗ ସହିତ ସମ୍ପର୍କରେ ଯୋଡ଼ିହୋଇଥିଲେ। ନୌବାଣିଜ୍ୟ ଓ ସାଂସ୍କୃତିକ ଆବେଗକୁ ନେଇ ରହିଥିବା ସେଇ ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ କାଳକ୍ରମେ ବାଲିଯାତ୍ରା(ବାଲିକୁ ଯାତ୍ରା) ଓଡ଼ିଶାର ମହାନ ପର୍ବରେ ପରିଣତ ହୋଇଛି।
ବାଲିର ବିଭିନ୍ନ ପ୍ରଥା ଓ ପରମ୍ପରାରେ ଭାରତର ପୂର୍ବାଞ୍ଚଳ ବିଶେଷ କରି କଳିଙ୍ଗର ଛାପ ରହିଛି। ଭାଷା, ଖାଦ୍ୟ, ପୋଷାକ, ନୃତ୍ୟ, ଚଳଣିରେ ଏହା ଲକ୍ଷ୍ୟ କରାଯାଉଛି। ଏସବୁ ଦୃଷ୍ଟିରୁ କଟକର ବାଲିଯାତ୍ରା ଏବଂ ବାଲିର ସାଂସ୍କୃତିକ ଉତ୍ସବ ଭିତରେ ଅନେକ ସାମଞ୍ଜସ୍ୟ ରହିଛି।
ଭାରତ ଏବେ ପୂର୍ବୋଦୟ ଉପରେ ବିଶେଷ ଗୁରୁତ୍ବ ଦେଉଛି। ଭାରତର ସାମୂହିକ ଅଭିବୃଦ୍ଧି ନିମନ୍ତେ ଦକ୍ଷିଣ ପୂର୍ବ ଏସିଆ ସହିତ ପୁରୁଣା ସମ୍ପର୍କ ଉଜ୍ଜୀବିତ କରିବାକୁ ଚାହୁଁଛି। ଏଭଳି ସମୟରେ ପ୍ରାଚୀନ ଭାରତର ଔଦ୍ୟୋଗିକ ପ୍ରତିଭାକୁ ଜାତୀୟସ୍ତରରେ ସ୍ବୀକୃତି ଦିଆଗଲେ ଆମର ସାଧବ ପୁଅଙ୍କ ନୌବାଣିଜ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ଉଚିତ ମାନ୍ୟତା ମିଳିପାରିବ।
ବାଲିଯାତ୍ରା ହେଉଛି ଓଡ଼ିଶାର ସାଂସ୍କୃତିକ ଭାବା​‌େ​‌ବଗର ଅବିଚ୍ଛେଦ୍ୟ ଅଂଶ। ଓଡ଼ିଶାର ଜନମାନସ ସହିତ ଏହା ଗଭୀର ଭାବେ ଯୋଡ଼ି ହୋଇରହିଛି। ବାଲିଯାତ୍ରା ସହସ୍ରବର୍ଷର ସହର କଟକର ସ୍ବାକ୍ଷର ବହନ କରୁଛି। ତେଣୁ ବାଲିଯାତ୍ରାର ସାମାଜିକ ସାଂସ୍କୃତିକ ଗୁରୁତ୍ବ ବିଚାରକୁ ନେଇ ଏହାକୁ ‘ନାସନାଲ ମାରିଟାଇମ ହେରିଟେଜ ଫେଷ୍ଟିଭାଲ’(ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ) ଭାବେ ସ୍ବୀକୃତି ଦେବାକୁ ମୁଁ ଅନୁରୋଧ କରୁଛି। ମୁଁ ନିଶ୍ଚିତ ଯେ ଏହାଦ୍ବାରା ଆମର ଐତିହ୍ୟକୁ ଉପଯୁକ୍ତ ସମ୍ମାନ ମିଳିବ ଏବଂ ଆମ ଭବିଷ୍ୟତ ପାଇଁ ପ୍ରେରଣା ହେବ।

Comments are closed.