ପଣସୁଧା ଗୋଷ୍ଠି ସଙ୍ଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣା, ଡିଜିପିଙ୍କୁ ଅଭିଯୋଗ କଲା କଂଗ୍ରେସ, ଥାନା ଘେରିଲା ବିଜେପି

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ମାତାମଠ ନିକଟସ୍ଥ ବଜାର ଠାରେ ଚଳିତ ମାସ ୬ ତାରିଖରେ ଘଟିଥିବା ଗୋଷ୍ଠୀ ସଙ୍ଘର୍ଷ ଓ ପୋଲିସ ଗାଡି ପୋଡି ଘଟଣାକୁ ନେଇ ବଡଚଣା ରାଜନୀତି ଜୋର୍‍ ଧରିଛି। ସେହି ଘଟଣା ପାଇଁ ଶାସକ ବିଜେଡି ଦାୟୀ କରି ବିରୋଧି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିବା ସହ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ସମାଲୋଚନା କରିଛନ୍ତି। ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣା ଘଟିବାର ୧୩ ଦିନ ବିତିସାରି ଥିବା ବେଳେ ଉକ୍ତ ଘଟଣାର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଡଚଣା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ତଥା ଭରତପୁର ସରପଞ୍ଚଙ୍କ ସ୍ୱାମୀ ଶିକ୍ଷକ ବସନ୍ତରାଜ ସାମଲ୍‍ ଓରଫ ମିଟୁ ଫେରାର ଥିବା ବେଳେ ଶାସକ ଦଳ ଚାପରେ ପୁଲିସ ତାକୁ ଗିରଫ କରୁନଥିବା ବିରୋଧି ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ଘଟଣାକୁ ନେଇ ବଡଚଣା ବିଜେପି ପକ୍ଷରୁ ଗୁରୁବାର ବାଲିଚନ୍ଦ୍ରପୁର ଥାନା ଘେରାଉ କରାଯିବା ସହ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ଏକ ପଥପ୍ରାନ୍ତ ସଭା କରିଥିଲେ। ଏଥିରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଯୋଗଦେଇ ରାଜ୍ୟରେ ଆଇନ ଶୃଙ୍ଖଳା ଏବେ ଭୁଶୁଡି ପଡିଥିବା କହିବା ସହ ଶାସକ ଦଳର ଇଙ୍ଗିତରେ ପୁଲିସ୍‍ କାର୍ଯ କରୁଥିବା ଅଭିଯୋଗ କରିଥିଲେ। ଶାସକ ବିଜେଡିର ଦୁଇ ନେତାଙ୍କ ତିକ୍ତତାରେ ସୃଷ୍ଟି ହୋଇଥିବା ଗୋଷ୍ଠି ସଂଘର୍ଷରେ ଦୁଇ ଦୁଇଟି ପୋଲିସ ଭ୍ୟାନ୍‍ ପୋଡିବା ପରେ ମଧ୍ୟ ପୁଲିସ ଭ୍ୟାନ୍‍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‍ ଗିରଫ ନକରିବା ଏହାର ନମୁନା ବୋଲି ସେ କହିଥିଲେ।

ବଡଚଣା ବିଜେପି ନେତା ଅମର ନାୟକ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ସିଧା ଟାରଗେଟ୍‍ କରିବା ସହ ଅଭିଯୁକ୍ତ ମିଟୁ ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ତାକୁ ଗିରଫ କରିବାକୁ ପୁଲିସ ପଛଘୁଞ୍ଚା ଦେଉଛି। ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମିଟୁ ଓ ଗିରଫ ହୋଇ ଜେଲ୍‍ ରେ ଥିବା ଅନ୍ୟତମ ଅଭିଯୁକ୍ତ ଅନନ୍ତ ନାରାୟଣ ଓରଫ ନାଣ୍ଡୁଙ୍କ ଘରକୁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ୧୭ ତାରିଖ ସନ୍ଧ୍ୟାରେ ପୁଲିସ୍‍ ସହିତ ଯିବା ଶାସକ ବିଜେଡି ଏଥିରେ ସଂପୃକ୍ତ ଥିବା ସ୍ପଷ୍ଟ ପ୍ରମାଣ କରୁଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି ନେତ୍ରୀ ଦେବଜାନୀ ପ୍ରଧାନ, ପ୍ରାକ୍ତନ ପ୍ରଭାରି ପ୍ରଦିପ ଦାସ, ମଣ୍ଡଳ ସଭାପତି ପ୍ରଦିପ ସାମଲ ଓ ଦେବେନ୍ଦ୍ର ଜେନା, ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ତୁରନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିକରି ସଂପୃକ୍ତ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ବଡଚଣା ବିଜେପିର ୧୯ ଓ ୨୦ ନଂ ଜୋନ୍‍ ପକ୍ଷରୁ ଯାଜପୁର ରୋଡ୍‍ ଏସଡିପିଓ ଚିନ୍ମୟ ନାୟକଙ୍କ ଜରିଆରେ ଏକ ଦାବି ପତ୍ର ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ମୁଖ୍ୟ ଅଭିଯୁକ୍ତ ମିଟୁକୁ ତୁରନ୍ତ ଗିରଫ ଦାବି କରି ବଡଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ଅପରାହ୍ଣରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି।

ପୁଲିସ ଭ୍ୟାନ୍‍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣକ ବଡଚଣା ମହିଳା ବିଜେଡି ସଭାନେତ୍ରୀ ଓ ସରପଞ୍ଚପଦରେ ଥିବାରୁ ପୋଲିସ ତାଙ୍କୁ ଗିରଫ କରୁନଥିବାରୁ ତାକୁ ତୁରନ୍ତ ଗିରଫ ପାଇଁ ଦାବି କରିବା ସହ ଘଟଣା ପୂର୍ବରୁ ଓ ପରେ ମିଟୁ କେଉଁ ବ୍ୟକ୍ତି ମାନଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିଛି ତାହାକୁ ତଦନ୍ତ ପରିସରକୁ ନେବାକୁ କଂଗ୍ରେସ ଦାବି କରିଛି। ପୁଲିସ ପାଇଲଟ୍‍ ଟିମକୁ ସାଙ୍ଗରେ ନେଇ ବଡଚଣା ବିଧାୟକ ମୁଖ୍ୟ ଅଭିଯୁକ୍ତମାନଙ୍କ ଘରକୁ ଯିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ଓ ସୁରକ୍ଷା ପ୍ରଦାନ କରିବା ମଧ୍ୟ ଭାରତୀୟ ଫୌଜଦାରୀ ଆଇନରେ ବ୍ୟବସ୍ଥା ରହିଛି। ଏହାର ଅନୁସନ୍ଧାନ କରିବା ପାଇଁ ମଧ୍ୟ କଂଗ୍ରେସ ଡିଜିପି ଶ୍ରୀ ଅଭୟଙ୍କୁ ଅନୁରୋଧ କରିଛି। ସେହି ପ୍ରତିନିଧି ଦଳରେ ଯାଜପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱ ପ୍ରକାଶ ସାମଲ, ବ୍ଲକ ଯୁବ କଂଗ୍ରେସ ସଭାପତି ସଞ୍ଜୟ କୁମାର କର, ସଂଖ୍ୟାଲଘୁ ନେତା ସେକ ରିଆସତ ଅଲ୍ଲି ଓ ସମିତି ସଭ୍ୟ ଖଗେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ।

Comments are closed.