ଶୁଖୁଆପଡାରୁ ସାହାଣ ପଥର ଉତ୍ତୋଳନ ପ୍ରସଙ୍ଗ, ଶାନ୍ତିପୂର୍ଣ୍ଣ ଭାବେ ଶେଷହେଲା ପ୍ରଶାସନିକ ଜନଶୁଣାଣୀ

ବାଲଚନ୍ଦ୍ରପୁର: ଯାଜପୁର ଜିଲା ଦର୍ପଣ ତହସିଲ୍‍ ଅନ୍ତର୍ଗତ ଶୁଖୁଆପଡା ପାହାଡରୁ ଉତ୍ତୋଳନ ହେବାକୁ ଥିବା ସାହାଣ ପଥର (ଖଣ୍ଡୋଲାଇଟ) ପ୍ରସଙ୍ଗରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଜନଶୁଣାଣୀ ଶିବିର ଶାନ୍ତିପୁର୍ଣ୍ଣ ଭାବେ ଶେଷ ହୋଇଛି। ବଡଚଣା ବ୍ଲକ୍‍ ପଲେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କୋଭିଡ଼ ନିୟମାନୁଯାୟୀ ଜନଶୁଣାଣୀ ହୋଇଥିବା ବେଳେ ଏଥିରେ ପଲେଇ, ବନ୍ଦରେଶ୍ୱର ଓ କେଶରାଇପୁର ଆଦି ତିନି ଗୋଟି ରାଜସ୍ୱ ଗ୍ରାମର ଶତାଧିକ ଜନସାଧାଣ ଯୋଗ ଦେଇଥିଲେ।

ଜନଶୁଣାଣୀରେ ଯୋଗ ଦେଇଥିବା ଗ୍ରାମବାସୀ ମାନେ ଓଡ଼ିଶା ଖଣି ନିଗମ ଦ୍ୱାରା ଉତ୍ତୋଳନ କରାଯାଇ ପୁରୀକୁ ଯିବାକୁ ଥିବା ଖଣ୍ଡୋଲାଇଟ ପଥର ନିଷ୍ପତିକୁ ସ୍ୱାଗତ କରିବା ସହ ଶୁଖୁଆପଡାରୁ ପଥର ଉତ୍ତୋଳନ କରାଗଲେ ସ୍ଥାନୀୟ ଅଞ୍ଚଳ କିପରି ପ୍ରଭାବିତ ହେବ ଓ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବୀ ରଖିଥିଲେ। ଏହା ସହ ଶିଳ୍ପୀ ଗ୍ରାମ ଶୁଖୁଆପଡାର ଶତାଧିକ ପରିବାରର ପ୍ରସ୍ତର କାରିଗରଙ୍କ ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଥିଲେ। ଯାଜପୁର ର ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ଯାଜପୁର ପ୍ରଦୁଷଣ ବୋର୍ଡ଼ ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଏମ.ଏ ସାହୁ, ଓଡିଶା ଖନିନିଗମର ପ୍ରବନ୍ଧକ ଅଶୋକ କୁମାର ବେହେରା, ଆଞ୍ଚଳିକ ପରିଚାଳକ ଗଙ୍ଗାଧର ନାୟକ, ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉପ ଅଧିକାରୀ ସୁବ୍ରତ କୁମାର ବେହେରା, ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ବଡ଼ଚଣା ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜିତ୍‍ ନାରାୟଣ ପ୍ରସାଦ ଗିରି, ଦେବେନ୍ଦ୍ର କୁମାର ନନ୍ଦ, ସର୍ବେକ୍ଷଣ ପରିଚାଳକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଖଣି ପରିଚାଳକ ଅଂଶୁମାଳି ସାହୁ ପ୍ରମୁଖ ଜନଶୁଣାଣୀରେ ଉପସ୍ଥିତ ଥିଲେ। ଶୁଖୁଆପଡା ପାହାଡରୁ ଉତ୍ତୋଲନ ହେବାକୁଥିବା ସାହାଣ ପଥରର ସ୍ୱଳ୍ପ ପ୍ରତିଶତ ପୁରୀରେ ଲାଗିବାକୁ ଥିବା ବେଳେ ଉତ୍କଳିକା ମାଧ୍ୟମରେ ସ୍ଥାନୀୟ ପ୍ରସ୍ତର ଶିଳ୍ପି ମାନଙ୍କୁ ସୁଲଭ ମୁଲ୍ୟରେ ଯୋଗଇ ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ୍‍ ପ୍ରତିଶୃତି ଦେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ପ୍ରଶାସନ ପ୍ରାଥମିକତା ଦେବ ବୋଲି କହିଥିଲେ।

ଏଥିରେ ପଲେଇ ପଞ୍ଚାୟତର ସରପଂଚ ବାସନ୍ତି ହେମ୍ବ୍ରମ, ସମିତିସଭ୍ୟା ସଞ୍ଜୁ ଦେହୁରୀ, ବନ୍ଦରେଶ୍ୱର ଗ୍ରାମର ଅଶୋକ କୁମାର ସାମଲ, ଉମେଶ ସାମଲ, ଶ୍ରୀକାନ୍ତ ସାମଲ, ଚିତ୍ତରଞ୍ଜନ ମହାରଣା, ବ୍ରଜ କିଶୋର ମହାରଣା, ମହେଶ ସାମଲ, ପ୍ରଫୁଲ୍ଲ ଦାସ, କେଶରାଇପୁର ଗ୍ରାମର ସୁନାକର ପରିଡ଼ା, ପ୍ରଫୁଲ୍ଲ କୁମାର ପଣ୍ଡା, ଲିଲୁ ପ୍ରସାଦ ସିଂହ, ଅରୁଣ ବାରିକ ଓ ପଲେଇ ଗ୍ରାମର ବିକ୍ରମ କେଶରୀ ପ୍ରଧାନ, ଶରତ କୁମାର ଜେନାଙ୍କ ସମେତ ଶତାଧିକ ଜନସାଧାରଣ ଏହି ଜନଶୁଣାଣୀ ଶିବିରକୁ ସମ୍ମତି ପ୍ରଦାନ କରିବା ସହ ପଥର ଉତ୍ତୋଳନ ନିଷ୍ପତିକୁ ସ୍ୱାଗତ କରିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଉପ ଆରକ୍ଷୀ ଅଧିକ୍ଷକ ନାରାୟଣ ବାରିକ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ବଡଚଣା ଥାନାଧିକାରୀ ସୁଶିଲ ନାୟକ, ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ ବଳ ସେଠାରେ ଉପସ୍ଥିତ ଥିଲେ।

Comments are closed.