ବହୁ ଚର୍ଚ୍ଚିତ ପଣସୁଧା ଗୋଷ୍ଠି ସଂଘର୍ଷ, ୭ ମାସ ପରେ ଆଉ ଜଣେ ଗିରଫ

ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ମାତାମଠ ଛକ ଠାରେ ଗତ ମାର୍ଚ୍ଚ ୬ ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ପଣସୁଧା ଗୋଷ୍ଠି ସଂଘର୍ଷ ଓ ଦୁଇ ପୁଲିସ୍ ଭ୍ୟାନ୍ ପୋଡ଼ି ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ଶୁକ୍ରବାର ଆଉ ଜଣକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଉକ୍ତ ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍ ପୋଡି ଘଟଣାରେ ସଂପୃକ୍ତ ଥାଇ ଫେରାର ଥିବା ଭରତପୁର ପଞ୍ଚାୟତ ଅନ୍ତର୍ଗତ ପଣସୁଧା ଗ୍ରାମର ଶ୍ରୀକାନ୍ତ ପାଣ୍ଡେ (୩୨)କୁ ପୁଲିସ ଗିରଫ କରିଥିବା ନେଇ ଥାନାଧିକାରିଣୀ ବିଜୟିନୀ ମଲ୍ଲ ସୂଚନା େଇଛନ୍ତି। ତେବେ ଏହି ଘଟଣାରେ ମୋଟ୍ ଗିରଫ ସଂଖ୍ୟା ୩୫ରେ ପହଞ୍ଚିଛି।

 

ଉକ୍ତ ଘଟଣାକୁ ୭ ମାସ ବିତି ସାରିଥିବା ବେଳେ ଥାନା ପକ୍ଷରୁ ଶୁକ୍ରବାର ଅଦାଲତରେ ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚ ୬ ତାରିଖରେ ରାଜନୈତିକ ପତିଆରା ବୃଦ୍ଧି ପାଇଁ ଶାସକ ଦଳର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଥିଲା । ପୁଲିସ ଉପସ୍ଥିତିରେ ଏହି ସଙ୍ଘର୍ଷ ଘଟିଥିବାରୁ ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠିର ଲୋକେ ଘଟଣା ସ୍ଥଳରେ ଥିବା ଦୁଇଟି ପୁଲିସ ଭ୍ୟାନକୁ ଜାଳି ଦେଇଥିଲେ। ଥାନା ପକ୍ଷରୁ ଦୁଇଟି ମାମଲା ରୁଜ୍ଜୁ କରାଯାଇ ଉଭୟ ପକ୍ଷର ୧୦୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରାଯିବା ସହ ଦୁଇ ଗୋଷ୍ଠିର ମୁଖ୍ୟ ଅଭିଯୁକ୍ତଙ୍କୁ ପର୍ଯ୍ୟାୟ କ୍ରମେ ଗିରଫ କରାଯାଇଥିଲା। ସେ ସମୟରେ ଏହି ଘଟଣା ଟି ରାଜ୍ୟର ଏକ ଚର୍ଚ୍ଚିତ ଘଟଣା ପାଲଟି ଥିଲା। ପରେ ପୁଲିସ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ସ୍ୱରୁପ କର୍ତ୍ତବ୍ୟରେ ଅବହେଳା ପାଇଁ ବାଲିଚନ୍ଦ୍ରପୁର ଥାନାର ତତ୍କାଳୀନ ଏସ.ଆଇ ମନୋଜ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।

 

Comments are closed.