ଅପହୃତ ମା ଓ ପୁଅ ଛତିଶଗଡରୁ ଅଚେତ୍‍ ଅବସ୍ଥାରେ ଉଦ୍ଧାର

ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ବଜାରରୁ ଅପହୃତ ହୋଇଥିବା ଜଣେ ମହିଳା ଓ ତାଙ୍କ ପୁଅକୁ ଛତିଶଗଡ ରାଜ୍ୟ ସରେଇପଲ୍ଲି ଥାନା ଅଞ୍ଚଳରୁ ଅଚେତ୍‍ ଅବସ୍ଥାରେ ଉଦ୍ଧାର କରାଯାଇଛି। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଶାସନ ଗ୍ରାମର ସରୋଜ୍‍ କୁମାର ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ(୩୨) ଓ ନାତି ଅଂଶୁମାନ(୧୫) ବାଲିଚନ୍ଦ୍ରପୁର ବଜାରକୁ ଗତ ୧୨ ତାରିଖ ରାତିରେ ଆସି ଅପହୃତ ହୋଇଥିଲେ। ଏ ନେଇ ମହିଳାଙ୍କ ବାପା ସରୋଜ ୧୩ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ୧୪ ତାରିଖ ଦିନ ସକାଳେ ଛିତଶଗଡ ର ସରେଇପଲ୍ଲି ଥାନା ଅନ୍ତର୍ଗତ ି ଏକ ଜାତୀୟ ରାଜପଥର ବୋଇତାର ନିକଟରେ ମା ଓ ପୁଅ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ସ୍ଥାନୀୟ ଲୋକେ ସେଠାକାର ପୁଲିସ୍‍କୁ ଖବର ଦେଇଥିଲେ।

ଖବର ପାଇ ସରେଇପଲ୍ଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଠାରୁ ସୂଚନା ସଂଗ୍ରହ କରି ତାଙ୍କ ପରିବାର ସହ ବାଲିଚନ୍ଦ୍ରପୁର ପୁଲିସ୍‍ କୁ ଅବଗତ କରାଇଥିଲେ। ପରିବାର ଲୋକେ ଓ ବାଲିଚନ୍ଦ୍ରପୁର ପୋଲିସ୍‍ ଛତିଶଗଡ ଯାଇ ସେଠାରୁ ମା ଓ ପୁଅଙ୍କୁ ଉଦ୍ଧାର କରି ନିଜ ଗ୍ରାମକୁ ଆଣିଥିଲେ। ଉଭୟ ମା ଓ ପୁଅ ଗୁରୁତର ଅସୁସ୍ଥ ଥିବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ପର୍ଯ୍ୟନ୍ତ ଉଭୟ ସୁସ୍ଥ ହୋଇନଥିବା ବେଳେ ସେମାନଙ୍କୁ ଏକ ବୋଲେରୋ ଗାଡିରେ ଅପହରଣ କରାନିଆଯାଇଥିବା ସୁଚନା ଦେଇଛନ୍ତି।

ଶୁଭଲକ୍ଷ୍ମୀଙ୍କ ସୂଚନା ଅନୁଯାୟୀ ବାଲିଚନ୍ଦ୍ରପୁର ବଜାରରେ ଗତ ୧୨ ତାରିଖ ରାତି ସମୟରେ କିଛି କିଣାକିଣି କରୁଥିବା ବେଳେ ବଜାରର ଶେଷମୁଣ୍ଡ ତଥା କେନାଲରୋଡ୍‍ ଉପରେ କୁଆଁପାଳ ଆଡକୁ ମୁହଁ କରି ଏକ ବୋଲେରୋ ଛିଡା ହୋଇଥିଲା। ବୋଲେରୋ ନିକଟରେ ଏକ ପୁଲିସ୍‍ ପୋଷାକଧାରୀ ଜଣେ ବ୍ୟକ୍ତି ଉଭୟ ମା ଓ ପୁଅଙ୍କୁ ଡାକିଥିଲେ। ଏମାନେ ବୋଲେରୋ ନିକଟକୁ ଯିବା ପରେ ଉଭୟଙ୍କ ମୁହଁରେ କିଛି ବିଶାକ୍ତ ପଦାର୍ଥ ସିଞ୍ଚନ କରିଦେଇଥିଲେ। ବିଶାକ୍ତ ପଦାର୍ଥ ସିଞ୍ଚନ କରିବା ପରେ ଉଭୟ ମା ଓ ପୁଅ ସଜ୍ଞାହୀନ ହୋଇଯାଇଥିଲେ। ତେବେ ଛତିଶଗଡରୁ ଉଦ୍ଧାର ସମୟରେ ମା ଓ ପୁଅଙ୍କୁ ଲଣ୍ଡା କରି ମୁହଁରେ କଳା ବୋଳା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ କିଏ ଓ କାହିଁକି ଏପରି ନାଟକୀୟ ଢଙ୍ଗରେ ସେମାନଙ୍କୁ ଅପହରଣ କଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ତୁରନ୍ତ ଉକ୍ତ ଅପହରଣ ଘଟଣାର ପର୍ଦ୍ଦାଫାଶ କରିବାକୁ ଦାବୀ ହୋଇଛି।

Comments are closed.