ଓଳାଶୁଣୀ ପାହାଡ ଗୁଳିମାଡ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଓଳାଶୁଣୀ ପାହାଡର ପୁର୍ବପଟ ରାସ୍ତା ନିକଟରେ ଚଳିତ ମାସ ୩ ତାରିଖରେ ଘଟିଥିବା ଗୁଳିମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ବାଲିଚନ୍ଦ୍ରପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ଏକ ବନ୍ଧୁକ, ୧୨ ରାଉଣ୍ଡ ଜୀବନ୍ତ ଗୁଳି, ୪ ଟି ମାଗାଜିନ୍‍ ଓ ୩ ଟି ମୋବାଇଲ ଫୋନ ସହ ଏକ ୟାମାହା ମୋଟର ସାଇକେଲ ଜବତ କରାଯାଇଛି। ଏଥି ନେଇ ଯାଜପୁରରୋଡ୍‍ ଏସ.ଡି.ପି.ଓ ଚିନ୍ମୟ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛନ୍ତି।

ଗତ ୩ ତାରିଖରେ ଦୁର୍ବୁତ୍ତ ମାନେ ସେଠାକୁ ଏକ କାର୍‍ ଓ ମୋଟରସାଇକେଲ ଯୋଗେ ଯାଇଥିଲେ। ସେଠାରେ ସେମାନେ ମଦ୍ୟପାନ କରିବା ସହ ରାସ୍ତା ଉପରେ ଶୁଖା ଯାଇଥିବା ମାଛ ଉପରେ ଗାଡି ଚଢାଇବାକୁ କେନ୍ଦ୍ର କରି ସେଠାରେ ଜଣେ ମାଛ ବ୍ୟବସାୟୀ ସହ ଯୁକ୍ତିତର୍କ ହୋଇଥିଲା। ପରେ ଉକ୍ତ ମାଛ ବ୍ୟବସାୟୀ ଜଣକ ବୁବନ୍‍କୁ ସେଠାକୁ ଡାକିଥିଲା। ବୁବନ୍‍ ସେଠାକୁ ଯିବା ପରେ ଅଭିଯୁକ୍ତ ମାନଙ୍କ ସହ ବୁବନ୍‍ ର ବଚସା ହୋଇଥିଲା ଓ ପରେ ସେମାନଙ୍କ ମଧ୍ୟରୁ ଜଣେ ବୁବୁନ୍‍ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରାପଡା ଜିଲା ଡେରାବିଶ୍‍ ଥାନା ଚାଟରା ଚକଡା ଗ୍ରାମର ଚିତ୍ତ ରଞ୍ଜନ ମଲ୍ଲିକ୍‍ ଓରଫ ବଳିଆ (୪୧), ମାନସ୍‍ ରଞ୍ଜନ ବେହେରା ଓରଫ ଚିକୁ (୩୨), ଜିତେନ୍ଦ୍ର ଯେନା ଓରଫ ଜିତୁ (୩୨) ଓ ତାଙ୍କର ସହଯୋଗୀ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହରିଭକ୍ତପୁର ଗ୍ରାମର ବେଣୁଧର ମଳିକ ଓରଫ ବଣୁଆ (୩୨)କୁ ଗିରଫ କରାଯାଇଥିବା ଏସ.ଡି.ପି.ଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଏହି ଘଟଣାରେ ପାଞ୍ଚ ଜଣଙ୍କ ସଂପୃକ୍ତି ଥିବା ନେଇ ପୁଲିସ୍‍ ସୂଚନା ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍‍ ଶିଘ୍ର ଧରାଯିବ ବୋଲି ପୁଲିସ କହିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୩ ତାରିଖରେ ଓଳାଶୁଣୀ ପାହାଡର ପୁର୍ବ ପଟ ରାସ୍ତାର ପର୍ଯ୍ୟଟକ ସୁବିଧା କେନ୍ଦ୍ର ନିକଟରେ ଏହି ଥାନା ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନ୍‍ କୁ ଦୁର୍ବୃତ୍ତ ମାନେ ଗୁଳି ମାଡ କରି ଫରାର ହୋଇଯାଇଥିବା ବେଳେ ବୁବୁନ୍‍ ଗୁରୁତର ହୋଇପଡିଥିଲା। ଏଥି ନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା।

Comments are closed.