ଡାକ୍ତରଙ୍କୁ ଗାଳିଗୁଲଜ ଘଟଣାରେ ବିଜେପି ନେତା ସମେତ ୨ ଜଣ କୋର୍ଟ ଚାଲାଣ

ବାଲିଚନ୍ଦ୍ରପୁର: ଗୋପାଳପୁର କ୍ଷେତ୍ରୀୟ ଚିକିତ୍ସାଳୟର ଚିକିତ୍ସାଅଧିକାରୀଙ୍କୁ ଗାଳିଗୁଲଜ ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ଜଣେ ବିଜେପି ନେତା ସମେତ ୨ ଜଣଙ୍କୁ ଗିରଫ କରି ଗୁରୁବାର ଅଦାଲତ ଚାଲାଣ କରିଛି। ଫଳରେ ଉକ୍ତ ଘଟଣାରେ ଗିରଫ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ଡାକ୍ତର ସୁବାସ ପଣ୍ଡାଙ୍କୁ ଚଳିତ ମାସ ୭ ତାରିଖ ରାତି ୧୦ଟା ସମୟରେ କଳାଶ୍ରୀ ଓ ଗଜେନ୍ଦ୍ରପୁର ଗ୍ରାମର କେତେକ ଯୁବକ ଗାଳିଗୁଲଜ କରିବା, ଡାକ୍ତରଖାନାର ମୁଲ୍ୟବାନ ଆସବାବ ପତ୍ର ଭାଙ୍ଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଥି ନେଇ ଡାକ୍ତର ଶ୍ରୀ ପଣ୍ଡା ୮ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣା ସମୟର ସି.ସି ଟିଭି ଫୁଟେଜ ଥାନାରେ ଦାଖଲ କରିଥିଲେ।

ଅଭିଯୋଗ ପାଇ ତୁରନ୍ତ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା କଳାଶ୍ରୀ ଗ୍ରାମର ଜ୍ଞାନ ରଞ୍ଜନ ସାହୁ ଓରଫ ଟୁଲାକୁ ଗିରଫ କରାଯାଇ ୧୧ତାରିଖରେ ଅଦାଲତ ଚାଲାଣ କରାଯାଇଥିଲା। ସେହିଭଳି ଏହି ଘଟଣାରେ ସଂପୃକ୍ତ ଥିବା ବିଜେପି ନେତା ତଥା ବ୍ଲକ୍‍ ଉପାଧ୍ୟକ୍ଷାଙ୍କ ଉପାସନା ପାତ୍ରଙ୍କ ସ୍ୱାମୀ କଳାଶ୍ରୀ ଗ୍ରାମର ଯଶୋଦିପ୍ତ ସାମଲ ଓ ଗଜେନ୍ଦ୍ରପୁର ଗ୍ରାମର ଅଧର ଜେନା ଜଗତସିଂହପୁରରେ ଲୁଚିଥିବା ଖବର ପାଇ ବାଲିଚନ୍ଦ୍ରପୁର ଥାନାର ଏସ.ଆଇ ମନୋରଞ୍ଜନ ସେଠୀ ସଦଳବଳେ ସେଠାରେ ଚଢାଉ କରି ଯଶୋଦିପ୍ତ ଓ ଅଧରକୁ ଗିରଫ କରିଥିଲେ। ଗୁରୁବାର ଉଭୟଙ୍କୁ ଅଦାଲତ ଚାଲାଣ କରାଯାଇଥିବା ଥାନାଧିକାରିଣୀ ବିଜୟିନୀ ମଲ୍ଲ ସୂଚନା ଦେଇଛନ୍ତି।

Comments are closed.