ପ୍ରବାସୀଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର; ତଦନ୍ତ ନିର୍ଦେଶ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କୁ ବାଲେଶ୍ବର ଜିଲା ବାଲିଆପାଳ ବିଡ଼ିଓଙ୍କ ଦୁର୍ବ୍ୟବହାର ଘଟଣା ଭିନ୍ନ ମୋଡ଼ ନେଇଛି । ଏ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ବାଲେଶ୍ବର ଜିଲାପାଳଙ୍କଠାରୁ ରିପୋର୍ଟ ତଲବ କରିବା ସହ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସରକାର ଅବଗତ ଅଛନ୍ତି । ତେବେ ଜିଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତାଙ୍କ ରିପୋର୍ଟ ଆଧାରରେ ପଦକ୍ଷେ ନିଆଯିବ । ତେବେ ବିଡ଼ିଓଙ୍କ ଏପରି ବ୍ୟବହାର ଅନୁଚିତ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ ଗତକାଲି ବାଲିଆପାଳ ବିଡ଼ିଓ ଛବିରାଣୀ ସାହୁ ପ୍ରବାସୀଙ୍କୁ ଗାଳିଗୁଲଜ କରିଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କିଛି ପ୍ରବାସୀଙ୍କୁ ସେ ଜଣେ ଓଏଏସ୍ ଅଧିକାରୀ ଓ ତୁମେମାନେ ଦାଦନ ଶ୍ରମିକ ବୋଲି କହୁଥିବା ଦେଖା ଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ସେ ସମ୍ପର୍କରେ ଭିଡ଼ିଓରେ ସ୍ପଷ୍ଟ ହୋଇ ନ ଥିଲା ।

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଛବିରାଣୀ କହିଛନ୍ତି ଯେ ବାହାରୁ ଆସିଥିବା ପ୍ରବାସୀଙ୍କୁ ସେ ନିଜେ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟକୁ ଡ଼ାକି ଆଣିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ କିଛି ତାଙ୍କ ପ୍ରତି ଅଭାଷା ଓ କଟୁଭାଷା ପ୍ରୟୋଗ କରିଥିଲେ । ସେଥିରେ ସେ ବିରକ୍ତ ହୋଇ କିଛି କହି ଦେଇଛନ୍ତି । ସେମାନେ ତାଙ୍କ ବ୍ଳକ୍ ଅଞ୍ଚଳର ପିଲା ବୋଲି ଛବିରାଣୀ କହିଛନ୍ତି ।

ଅନ୍ୟପକ୍ଷରେ  ବୁଧବାର ଗୁଜରାଟରୁ ଏକ ବସ୍‌ରେ କେତେକ ପ୍ରବାସୀ ବାଲେଶ୍ୱର ଜିଲ୍ଲାକୁ ଆସିଥିଲେ । ପରେ ସେମାନେ କ୍ୱାରେଣ୍ଟାଇନ୍ ବା ଘରକୁ ଯିବା ପାଇଁ ବିଡିଓଙ୍କୁ ଅନୁରୋଧ କରିବାକୁ ଯାଇଥିଲେ ହେଲେ ବିଡ଼ିଓ ତାଙ୍କୁ କୁଆଡ଼େ ଦେଖା କରି ନ ଥିଲେ । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ସେମାନେ ବ୍ଳକ୍‌ ସମ୍ମୁଖରେ ଠିଆ ହୋଇଥିଲେ । ଶୋଷ ହେବାରେ ସେମାନେ ପାଣି ପିଇବାକୁ ମାଗିଥିଲେ । ଏକଥା ଶୁଣି ବିଡିଓ ଛବିଣାଣୀ କୁଆଡ଼େ ରାଗି ଯାଇ କଟୁ ମନ୍ତବ୍ୟ ଦେଇଥିବା କିଛି ପ୍ରବାସୀ ଅଭିଯୋଗ କରିଛନ୍ତି ।

Comments are closed.