ବାହାର ଫେରନ୍ତା-ସଙ୍ଗରୋଧ ବ୍ୟବସ୍ଥା ; କେତେ ପ୍ରସ୍ତୁତ ପଞ୍ଚାୟତ ଓ କେତେ ସୁରକ୍ଷିତ ସଙ୍ଗରୋଧ ଗୃହ ?

ବାଲିଅନ୍ତା: କରୋନା ମୁକାବିଲା ପାଇଁ ସରକାର ପ୍ରତି ପଞ୍ଚାୟତରେ କ୍ବାରେଣ୍ଟାଇନ ସେଣ୍ଟର କରିଛନ୍ତି ା ଏଥିପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରେ ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ଖାଇବା, ପିଇବା, ଔଷଧଠାରୁ ଆରମ୍ଭ କରି ସବୁପ୍ରକାର ଦାୟିତ୍ୱ ପଞ୍ଚାୟତ କରିବ। ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଛି ା ହେଲେ ପଞ୍ଚାୟତ କିପରି ପ୍ରସ୍ତୁତ ଅଛି ସେ ନେଇ ଆମର ଅନୁସନ୍ଧାନ..।

ବାଲିଅନ୍ତା ପଞ୍ଚାୟତରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଏ ପର୍ଯ୍ୟନ୍ତ ଶୌଚାଳୟର ବ୍ୟବସ୍ଥା ହୋଇପାରି ନାହିଁ। କେନ୍ଦ୍ରରେ ତାଲା ଝୁଲୁଛି। ତିନି ଚାରି ଦିନରେ ଥରେ ସଫା ହେଉଛି। ପଞ୍ଚାୟତରେ ୨୭ଟି ବେଡ୍‍ର ବ୍ୟବସ୍ଥା ହୋଇଛି। କେନ୍ଦ୍ର ପରିଚାଳନା ପାଇଁ କମିଟି ଗଠନ ହୋଇଛି ହେଲେ କେହି ଆସୁ ନାହାଁନ୍ତି। ନିଜ ଭିଟାମାଟିକୁ ଫେରିବା ପାଇଁ ଏ ପର୍ଯ୍ୟନ୍ତ ୨୫ଜଣ ପଞ୍ଜୀକରଣ କରିଛନ୍ତି। ସେହିପରି କାକରୁଦ୍ରପୁର ପଞ୍ଚାୟତରେ ଏପର୍ଯ୍ୟନ୍ତ କେନ୍ଦ୍ର ହୋଇ ନାହିଁ କାମ ଚାଲିଛି। ପୁରୁଷ ଓ ମହିଳାଙ୍କ ନିମନ୍ତେ ଦୁଇଟି କେନ୍ଦ୍ର ମଧ୍ୟରୁ ଗୋଟିଏ କାମ ସରିଯାଇଛି। ଅନ୍ୟଟିରେ ବେଡ୍‍ ପଡ଼ି ନାହିଁ।

ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହିଳାଙ୍କ ପାଇଁ ସେଣ୍ଟର ହୋଇଥିବା ବେଳେ ପୁରୁଷଙ୍କ ହୋଇନାହିଁ। ଏହି ପଞ୍ଚାୟତର ୨୦ଜଣ ଫେରିବା ପାଇଁ ପଞ୍ଜୀକରଣ କରିଥିବା ସରପଞ୍ଚ ସୂଚନା ଦେଇଛନ୍ତି। ଭିଙ୍ଗାରପୁର ପଞ୍ଚାୟତରେ ରାଧାମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୫୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ହୋଇଛି। ୪୪ଜଣ ବାହାରେ ଅଛନ୍ତି। ଏ ପର୍ଯ୍ୟନ୍ତ ୧୭ଜଣ ପଞ୍ଜୀକରଣ କରିଛନ୍ତି। କେନ୍ଦ୍ରରେ ବିଦ୍ୟୁତ୍‌, ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ହୋଇଛି ା ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ୭ ଜଣିଆ ଟିମ୍‍ ଗଠନ କରାଯାଇଛି। ଆଶା ଦିଦି, ଏଏନଏମ ଦିଦି, ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବରଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ପରିଷ୍କାର ନିମନ୍ତେ ଦୁଇଜଣ ସୁଇପର ଓ ରାତି ଜଗୁଆଳ ପାଇଁ ଜଣକୁ ନିୟୋଜିତ କରାଯିବ ବୋଲି ସରପଞ୍ଚ ଜୟଶ୍ରୀ ନାୟକ କହିଛନ୍ତି।

ବେଣୁପୁର ପଞ୍ଚାୟତରେ ଗୋଟିଏ ଗାଁ ରହିଛି। ୨୦ଜଣ ରାଜ୍ୟ ବାହାରେ ଅଛନ୍ତି ।  ସେଥିମଧ୍ୟରୁ ୧୦ଜଣ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। କେନ୍ଦ୍ରରେ ୨୦ ବେଡ୍‍ ସହିତ ପାନୀୟ ଜଳ, ଖାଇବା, ଶୌଚାଳୟ ସହିତ ସମସ୍ତ ସୁବିଧା କରାଯାଇଛି।
ପ୍ରତାପରୁଦ୍ରପୁର ପଞ୍ଚାୟତରେ ଶୌଚାଳୟ କାମ ଚାଲୁଛି। ବେଡ୍‌, ଲାଇନ, ଫ୍ୟାନ୍‌, ପାନୀୟ ଜଳ ସହ ସମସ୍ତ ସୁବିଧା ହୋଇଛି। ୨୦ଟି ବେଡ୍‍ର ବ୍ୟବସ୍ଥା ହୋଇଛି। ପଞ୍ଚାୟତରେ ୬ଟି ଗାଁ ରହିଛି। ସେଥିରୁ ୬୫ଜଣ ବାହାରେ କାମ କରୁଛନ୍ତି। ୨୫ଜଣ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିଛନ୍ତି। କେନ୍ଦ୍ର ପରିଚାଳନା ପାଇଁ ୪ ଜଣିଆ ଓ ୫ ଜଣିଆ ଟିମ୍‍ ଗଠନ କରାଯାଇଛି।
ଜୟଦେବ ପଞ୍ଚାୟତରେ ୧୪୦ ଲୋକ ବାହାର ରାଜ୍ୟରେ ଅଛନ୍ତି। ସେଥିମଧ୍ୟରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୩୦ଜଣ ରହିଛନ୍ତି। ଏ ପର୍ଯ୍ୟନ୍ତ ୪୪ଜଣ ଫେରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ୫୦ଟି ବେଡ୍‍ କେନ୍ଦ୍ରରେ ପଡ଼ିଛି। ବିଦ୍ୟୁତ, ଶୌଚାଳୟ, ପାନୀୟଜଳ, ଖାଇବା, ଫାଷ୍ଟଏଡ୍‍ ବକ୍ସ ସୁବିଧା ହୋଇଛି। ବ୍ଲକ ଅଞ୍ଚଳରେ ଭିଙ୍ଗାରପୁର, ପ୍ରତାପରୁଦ୍ରପୁର, ବେଣ୍ଟପୁର, ଜୟଦେବ ଅଞ୍ଚଳର ଫେରିବାକୁ ଥିବା ଅଧିକ ଲୋକଙ୍କୁ ଅକ୍ସଫୋର୍ଡ କଲେଜ ପରିସର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ ବୋଲି ସରପଞ୍ଚ ମତପ୍ରକାଶ କରିଛନ୍ତି। କୌଣସି କେନ୍ଦ୍ରରେ ଧାର୍ମିକ ପୁସ୍ତକ ପଢ଼ିବା ବ୍ୟବସ୍ଥା ହୋଇନାହିଁ।

କେତେ ସୁରକ୍ଷିତ ସଙ୍ଗରୋଧ ଗୃହ ?
କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ କରାଯାଇଛି କ୍ବାରେଣ୍ଟାଇନ ସେଣ୍ଟର (ସଙ୍ଗରୋଧା ଗୃହ) ା ଏନେଇ ବ୍ଲକ୍‍ରେ ଥିବା ବିଭିନ୍ନ ବିଦ୍ୟାଳୟ ଚିହ୍ନଟ କରାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଦିଆଯାଇଛି ପ୍ରତି ପଞ୍ଚାୟତକୁ ା ଏଥିରେ ଶୌଚାଳୟ , ଧଳା ରଙ୍ଗ ଲେପନ କରିବା , ବିଦ୍ୟୁତ ଓ ପାନୀୟ ଜଳର ସୁ-ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ମାତ୍ର ଏହି ସଙ୍ଗରୋଧ ଗୃହ କେତେ ସୁରକ୍ଷିତ ତାହାକୁ ନେଇ ବ୍ଲକ୍‍ବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟଗୁଡ଼ିକ ବିଭିନ୍ନ ଗ୍ରାମ ଜନବସତି ପରିସରରେ ଥିବାରୁ ଭୂତାଣୁ ସଂକ୍ରମଣ ଆଶଙ୍କା ରହିଛି। ଫଳରେ ସଙ୍ଗରୋଧ ଗୃହକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏନେଇ ଅଞ୍ଚଳବାସୀ ବ୍ଲକ୍‍ ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ ଏବଂ ବିଜେଡି ବ୍ଲକ୍‍ ସଭାପତି ପ୍ରଦୀପ୍ତ ଜେନାମଣୀଙ୍କୁ ଜଣାଇଥିଲେ। ସାଧାରଣ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ ବ୍ଲକ୍‍ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମସ୍ୟାକୁ ହୃଦୟଙ୍ଗମ କରି ସେମାନେ ବ୍ଲକ୍‍ର ବିଭିନ୍ନ ବେସରକାରୀ କଲେଜ ଓ ବିଦ୍ୟାଳୟ ବୁଲି ଦେଖିଥିଲେ। ରୁଦ୍ରପୁରସ୍ଥିତ ଅକ୍ସଫୋର୍ଡ କଲେଜକୁ ପ୍ରାଥମିକ ସ୍ତରରେ ଚିହ୍ନଟ କରାଯାଇଛି। ଏଥିରେ ୧୦ଟି କକ୍ଷ ନିଆଯାଇଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ବେଡ୍‍ ବ୍ୟବସ୍ଥା କରାଯାଇଛି। ଦୁଇ ତିନି ଦିନ ମଧ୍ୟରେ ବ୍ଲକ୍‍ରେ ଥିବା ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଚିହ୍ନଟ କରାଯିବ। ପ୍ରକାଶଥାଉକି ଏହି ବ୍ଲକ୍‍ର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ରାଜ୍ୟ ତଥା ଦେଶ ବାହାରେ ଅଛନ୍ତି।

 

 

 

 

Comments are closed.