ବାପାଙ୍କ ଚିକିତ୍ସା ପାଇଁ ଝିଅର ନିବେଦନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟଦେବ ପଞ୍ଚାୟତ ମହୁଖଣ୍ଡା ଗ୍ରାମର ପ୍ରସନ୍ନ କୁମାର ସାହୁ ଦୁର୍ଘଟଣାରେ ଆହତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଉପଯୁକ୍ତ ଚିକିତ୍ସା ଲାଗି ପାଖରେ ଅର୍ଥ ନାହିଁ। ବାପାଙ୍କ ଚିକିତ୍ସା ଲାଗି ଝିଅ ଶୁଭସ୍ମିତା ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ଜିଲାପାଳଙ୍କୁ ଚିଠି େଲଖି ସହାୟତା କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରସନ୍ନ କଟକର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ପ୍ରତିଦିନ ଫୁଲନଖରାରୁ ବସ୍‌ ଯୋଗେ କଟକ ଯାଇଥାନ୍ତି। ଗତବର୍ଷ ଡିସେମ୍ବର ୭ ତାରିଖରେ ଫୁଲନଖରା ଛକରେ ଛିଡ଼ା ହୋଇଥିଲା ବେଳେ ଏକ ଅଟୋ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କଟକ ମେଡିକାଲକୁ ପଠାଇଥିଲେ। ସେଠାରେ ତାଙ୍କ ଅଣ୍ଟାରେ ଅପରେସନ ହେବା ସହ ରଡ୍‌ ଲଗାଯାଇଛି।
ସେହିଦିନଠାରୁ ପ୍ରସନ୍ନ ଘରେ ପଡ଼ି ରହିଛନ୍ତି। ସାତପ୍ରାଣୀ କୁଟୁମ୍ବଙ୍କ ମଧ୍ୟରେ ପ୍ରସନ୍ନ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ପୁଅର ଏପରି ଅବସ୍ଥାରେ ବୁଢ଼ା ବାପା ଦିନମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ କଷ୍ଟେମଷ୍ଟେ ଘର ଚଳିଯାଉଛି। ମାତ୍ର ପରବର୍ତ୍ତୀ ଚିକିତ୍ସା ଲାଗି ଅର୍ଥ ନାହିଁ। ଉପଯୁକ୍ତ ଚିକିତ୍ସା ପାଇଲେ ପ୍ରସନ୍ନ ସୁସ୍ଥ ହୋଇପାରିବେ ବୋଲି ଡାକ୍ତରମାନେ କହିଛନ୍ତି। ମାତ୍ର ଏଥିରେ ଅର୍ଥ ବାଧକ ସାଜିଛି। ବାପାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ଲାଗି ଝିଅ ଚିଠି ଲେଖିଛନ୍ତି।

Comments are closed.