ପୂଜ୍ୟ ପ୍ରଣାମ : ଆଜି ଲୋକମାନ୍ୟ ବାଲ୍‌ ଗଙ୍ଗାଧର ତିଲକଙ୍କ ଜୟନ୍ତୀ

ବାଲ୍‌ ଗଙ୍ଗାଧର ତିଲକ ବ୍ରିଟିଶ ଭାରତର ବମ୍ବେ ପ୍ରେସିଡେନ୍ସି ତଥା ବର୍ତ୍ତମାନର ମହାରାଷ୍ଟ୍ର ଅନ୍ତର୍ଗତ ରତ୍ନଗିରିରେ ୧୮୫୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୂଳନାମ ଥିଲା କେଶବ ଗଙ୍ଗାଧର ତିଲକ। ଜଣେ ମହାନ ଜାତୀୟତାବାଦୀ, ଶିକ୍ଷକ, ଲେଖକ, ସମାଜ ସଂସ୍କାରକ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଥିଲେ ଅଦ୍ବିତୀୟ। ତିଲକ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା ଥିଲେ। ତାଙ୍କୁ “ଲୋକମାନ୍ୟ” ଆଖ୍ୟା ମଧ୍ୟ ଦିଆଯାଇଥିଲା, ଯାହାର ଅର୍ଥ ହେଉଛି “ଲୋକମାନେ (ସେମାନଙ୍କର ନେତା ଭାବରେ) ମାନ୍ୟତା ଦେଇଛନ୍ତି”। ମହାତ୍ମା ଗାନ୍ଧୀ ତାଙ୍କୁ “ମେକର୍ ଅଫ୍ ମଡର୍ନ ଇଣ୍ଡିଆ” ବା ‘ଆଧୁନିକ ଭାରତର ନିର୍ମାତା’ ଆଖ୍ୟା ଦେଇଥିଲେ।
ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଯେଉଁ ତିନିଜଣ ଭିନ୍ନ ମୋଡ଼ ଦେଇଥିଲେ, ସେମାନେ ହେଉଛନ୍ତି ଲାଲା ଲଜପତ ରାୟ, ବାଲ‌୍‍ ଗଙ୍ଗାଧର ତିଲକ ଓ ବିପିନ‌୍‍ ଚନ୍ଦ୍ର ପାଲ‌୍‍। ଇତିହାସ ପୃଷ୍ଠାରେ ଏହି ତ୍ରିଶକ୍ତି ଲାଲ‌୍‍-ବାଲ‌୍‍-ପାଲ‌୍‍ ନାମରେ ଚର୍ଚ୍ଚିତ। ବାଲ‌୍‍ ଗଙ୍ଗାଧର ତିଲକଙ୍କ ଉଦ‌୍‍ଘୋଷଣା ‘ସ୍ୱରାଜ ମୋର ଜନ୍ମଗତ ଅଧିକାର, ମୁଁ ତାହା ନିଶ୍ଚିତ ହାସଲ କରିବି’ କ୍ରାନ୍ତିକାରୀମାନଙ୍କ ଲାଗି ଥିଲା ସବୁଠୁ ବଡ଼ ପ୍ରେରଣାଦାୟୀ ଆହ୍ବାନ। ଏହି ଆହ୍ୱାନକୁ ସାକାର କରିବା ପାଇଁ ତିଲକ ସଙ୍ଗଠନ ବିସ୍ତାର ସହିତ ଦେଶପ୍ରେମର ଲହରୀ ଖେଳାଇ ଦେଇଥିଲେ। ତାଙ୍କର ସନ୍ଦେଶ ଲୋକଙ୍କ ପାଖରେ ପହଞ୍ଚୁଥିଲା ‘ମରାଠୀ ଦର୍ପଣ’ ଓ ‘କେଶରୀ’ ପତ୍ରିକାର ଆଲେଖ୍ୟ ମାଧ୍ୟମରେ। ଏହି ପତ୍ରିକାର ସେ ଥିଲେ ସମ୍ପାଦକ। ଏଥିରେ ପ୍ରକାଶିତ ସମ୍ପାଦକୀୟ ପାଇଁ ତିଲକଙ୍କ ବିରୋଧରେ ସରକାର ଅନେକ ମୋକଦ୍ଦମା କରିଥିଲେ। ୧୮୯୭ରେ ତିଲକଙ୍କ ଲେଖାକୁ କେନ୍ଦ୍ର କରି ଯେଉଁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା ସେଥିରେ ତାଙ୍କୁ ୧୮ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା। ୧୯୦୮ରେ ପୁଣି କେଶରୀରେ ପ୍ରକାଶିତ ୪ଟି ସମ୍ପାଦକୀୟକୁ ଆଳ କରି ସରକାର ରୁଜୁ କରିଥିବା ଦେଶଦ୍ରୋହ ମାମଲାରେ ତାଙ୍କୁ ୬ ବର୍ଷ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିଥିଲା ବର୍ମାର ମାଣ୍ଡାଲେ ଜେଲ‌୍‍ରେ। ଭାରତୀୟ ଜାତୀୟ କଂଗ୍ରେସର ଏହି ତୁଙ୍ଗ ନେତାଙ୍କର ପରଲୋକ ଘଟିଥିଲା ୧ ଅଗଷ୍ଟ ୧୯୨୦ରେ। n

Comments are closed.