ଦିଦି କହିଲେ ଆମର ଶନିବାର, ରବିବାର ଛୁଟି

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଲାଵ ସମୁଖରେ ଶନିବାର ସକାଳ ସାଢେ଼ ସାତଟାରୁ ରୋଗୀମାନେ ଅପେକ୍ଷା କରି ବସି ରହିଥିଲେ। ଏହି ରୋଗୀଙ୍କ ମଧ୍ୟରୁ ଥାଲାସେମିଆ ରୋଗୀ ମଧ୍ୟ ରହିଥିଲେ। ରକ୍ତ ପରୀକ୍ଷା ପାଇଁ ଏମାନେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ବସି ରହିଥିଲେ ହେ ଦିନ ୧୦ଟାରେ ଗୀତାଞ୍ଜଳି ସ୍ୱାଇଁ ନାମକ ଜଣେ ଟେକ୍ନିସିଆନ ପହଞ୍ଚି କହିଥିଲେ କି ଶନିବାର ଓ ରବିବାର ସେମାନଙ୍କର ଛୁଟି ଦିନ। ଏହି କର୍ମଚାରୀ ଜଣଙ୍କ ଈଶ୍ୱରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲେ ହେଁ ଡେପୁଟେସନ ନାଁରେ ସେ ନୀଳଗିରି ମେଡିକାଲର ଏକ କ୍ୱାର୍ଟର ମାଡ଼ି ବସିଥିବା ଅଭିଯୋଗ ଉଠିଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ କ୍ୱାର୍ଟରରେ ରହି ମଧ୍ୟ ଦିନ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନଦେଇ ଓଲଟା ଶନିବାର ଛୁଟିଦିନ ବୋଲି କହିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ମେଡିକାଲ ବୋର୍ଡରେ ଦିନ ୮ରୁ ୧୧ଟା ଭିତରେ ରକ୍ତ ସଂଗ୍ରହ କରାଯିବ ବୋଲି ଉଲେଖ ରହିଥିଲେ ହେଁ କର୍ମଚାରୀଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ସେପଟେ ନୀଳଗିରି ଉପଜିଲ୍ଲାପାଳ ହରିସ ଚନ୍ଦ୍ର ଜେନା କହିଛନ୍ତି ଯେ, ମେଡିକାଲଟି ଜରୁରୀକାଳୀନ ବିଭାଗ ହୋଇଥିବାରୁ ଏଥିରେ କୌଣସି ଛୁଟି ନାହିଁ। କେବଳ ସିଫ୍ଟ ଅନୁସାରେ କର୍ମଚାରୀମାନେ ଡ୍ୟୁଟି କରି ପାରିବେ। ତେବେ ସମ୍ପୃକ୍ତା ଟେକ୍ନିସିଆନଙ୍କ ଏତଦୃଶ୍ୟ ମନ୍ତବ୍ୟକୁ ନେଇ ନୀଳଗିରିର ବିଭିନ୍ନ ମହଲରେ ଉତେଜନା ପ୍ରକାଶ ପାଇଛି। ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Comments are closed.