ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୩ ଗିରଫ, ଜଣେ ଫେରାର

ବାଲେଶ୍ୱର: ସରକାରୀ ଅର୍ଥ ହଡ଼ପ କରି ହରଡ଼ ଘଣାରେ ପଡ଼ିଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ନିଲମ୍ବିତ କରିତକର୍ମା ମୁଖ୍ୟ କିରାଣୀ, ବାଲେଶ୍ବର ନିଳିଆବାଗ ଅଞ୍ଚଳର ପ୍ରଭାକର ପ୍ରଧାନ। ସ୍ବାମୀଙ୍କର କଳାକାରନାମା ପାଇଁ ପତ୍ନୀ ନିତୁ ପ୍ରଧାନ, ଶଳାର ସାଙ୍ଗ ରଞ୍ଜନ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ। ଚଢ଼ଉ ବେଳେ ଶଳା ଫେରାର ହୋଇଯାଇଛି। ପ୍ରଭାକରଙ୍କ ୮୦ ବର୍ଷର ବୁଢ଼ି ମାଆଙ୍କ ଖାତାକୁ ମଧ୍ୟ ଅର୍ଥ ଯାଇଥିବାରୁ ତାଙ୍କ ନଁାରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ବେସାହାରା ପୁଅ ଝିଅଙ୍କୁ ଦେଖାଚାହଁା କରିବା ପାଇଁ ବୟସ୍କା ମହିଳାଙ୍କୁ ଭିଜିଲାନ୍ସ ଟିମ ଦୟା ଦେଖାଇଥିବା ଜଣାଯାଇଛି।
ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ବଦଳରେ ନିଜର ତଥା ପରିବାରର ବ୍ୟାଙ୍କ ଖାତାକୁ ଟଙ୍କା ପଠାଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପ୍ରଭାକର। ତିହିଡ଼ି ବ୍ଲକରେ କ୍ୟାସିୟର ଥିବା ବେଳେ ସେ ଏଭଳି କାରନାମା କରିଥିଲେ। ୩୪ ଜଣଙ୍କ ହିତାଧିକାରୀଙ୍କର ଟଙ୍କା ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଅଭିନବ ଉପାୟରେ ସେ ଏହି ଅର୍ଥ ହଡ଼ପ କରୁଥିଲେ। ନିଜେ କ୍ୟାସିୟର ଥିବାରୁ ହିତାଧିକାରୀଙ୍କ ନଁା, ଗଁା, ଠିକଣା, ଘରର ଫଟୋ ସବୁ ରଖୁଥିଲେ। ହେଲେ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ନମ୍ବର ବଦଳରେ ସେ ନିଜର, ନିଜର ପତ୍ନୀଙ୍କର, ଶଳାଙ୍କର, ଶଳାଙ୍କ ସାଙ୍ଗର ଖାତାକୁ ଏହି ଟଙ୍କା ପଠାଇଥିଲେ। ହିତାଧିକାରୀଙ୍କ ଖାତାକୁ ଟଙ୍କା ନଯିବାରୁ ଅଭିଯୋଗ କରିଥିଲେ। ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତାଙ୍କର କଳା କାରନାମା ପଦାକୁ ଆସିଥିଲା। ତିହିଡ଼ି ବ୍ଲକରେ ତାଙ୍କ ନଁାରେ ପ୍ରଥମେ ଅଭିଯୋଗ ଆସିବା ପରେ ତାଙ୍କୁ ଜୁନ ମାସରେ ବାସୁଦେବପୁର ବ୍ଲକକୁ ବଦଳି କରାଯାଇଥିଲା। ତେବେ ଅଗଷ୍ଟ ୨୭ ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହେବାରୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

ସୋମବାର ସକାଳ ୧୨ଟାରେ ଭିଜିଲାନ୍ସ ଟିମ ପ୍ରଭାକରଙ୍କ ନିଳିଆବାଗ ଘର, ଶ୍ବଶୁର ଘର ସମେତ ୩ଟି ଘରେ ଚଢ଼ଉ କରିଥିଲା। ନେଳିଆ ବାଗରେ ଥିବା ବାସଭବନରେ ୧୧ ଜଣିଆ ଭିଜିଲାନ୍ସ ଟିମ ଚଢ଼ଉ କରିଥିଲା। ଏହା ସହିତ ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ, ଶ୍ବଶୁର ଘର, ମୟୂଭଞ୍ଜ ଜିଲା ବୈଶିଙ୍ଗା ଥାନା ନଛି ପୁର ଗଁାରେ ମଧ୍ୟ ଚଢ଼ଉ କରିଥିଲା। ସୋମବାର ଦିନ ୧୨ଟା ବେଳେ ଭିଜଲାନ୍ସ ଦଳ ବାସଭବନରେ ପହଞ୍ଚି ପ୍ରଭାକରଙ୍କୁ ପ୍ରଥମେ ହେପାଜତକୁ ନେବା ପରେ ନେଳିଆ ବାଗରେ ଥିବା ତାଙ୍କର ୪ ମହଲା ବାସଭବନକୁ ମାପ କରି ମୂଲ୍ୟାଙ୍କନ କରିଥିଲା। ପତ୍ନୀ ନିତୁ ପ୍ରଧାନ, ଶଳାର ସାଙ୍ଗ ରଞ୍ଜନ ପ୍ରଧାନଙ୍କୁ ଗିରଫ କରିଥିଲା। ଏମିତି ତାଙ୍କ ବୟସ୍କ ମାଆଙ୍କ ଖାତାରେ ମଧ୍ୟ ଅର୍ଥ ନେଇ ରଖିଥିଲେ। ପ୍ରଭାକରଙ୍କ ତିହିଡ଼ି ଶାଖାରେ ଖାତା, ପତ୍ନୀଙ୍କର ବାଲେଶ୍ବର ମୋତିଗଞ୍ଜ ଷ୍ଟେଟବ୍ୟାଙ୍କ ଶାଖାକୁ ଏହି ଅର୍ଥ ଆସିଛି। ପ୍ରଭାକରଙ୍କ ୮୦ ବର୍ଷର ମାଆଙ୍କ ନଁାରେ ଥିବା ଖାତାକୁ ମଧ୍ୟ ଅର୍ଥ ଆସିଛି। ତାଙ୍କର ବୟସ ଅଧିକ ହୋଇଥିବା ଯୋଗୁଁ ବୋଧହୁଏ ତାଙ୍କୁ ଗିରଫ କରି ନାହିଁ ଭିଜିଲାନ୍ସ। ଆସନ୍ତା କାଲି, ବୁଧବାର ବାସୁଦେବପୁର ବ୍ଲକକୁ କାର୍ଯ୍ୟାଳୟକୁ ଭିଜିଲାନ୍ସ ଦଳ ଯିବାର ସମ୍ଭାବନା ରହିଛି।

Comments are closed.