ସରିଲା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ: ବାଲେଶ୍ବର ସଦରରେ ୯, ତିର୍ତ୍ତୋଲ୍‌ରେ ୮ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ବର: ବାଲେଶ୍ବର ସଦର ଓ ତିର୍ତ୍ତୋଲ୍‌ ବିଧାନସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିଲା। ଆଜି ଅପରାହ୍ଣ ୩ଟା ସୁଦ୍ଧା ବାଲେଶ୍ବର ସଦର ପାଇଁ ୯ଜଣ ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ୮ଜଣ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେଡି, ବିଜେପି, କଂଗ୍ରେସ ଆଦି ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ଦଳୀୟ ଚିହ୍ନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ନାମାଙ୍କନପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଉପନିର୍ବାଚନ ନାମାଙ୍କନପତ୍ର ଦାଖଲ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ବାଲେଶ୍ବରରେ ୯ଜଣ ଏବଂ ତିର୍ତ୍ତୋଲ୍‌ରେ ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ବାଲେଶ୍ବର ଓ ତିର୍ତ୍ତୋଲ୍‌ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ୮୦ ବର୍ଷରୁ ଅଧିକ ବୟସ ବର୍ଗ ଭୋଟର, ଭିନ୍ନକ୍ଷମ ଏବଂ ସଂଗରୋଧରେ ଥିବା ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାଲେଶ୍ବର ଓ ତିର୍ତ୍ତୋଲ୍‌ରେ ମୋଟ ୫୮୦୪ଜଣ ପୋଷ୍ଟାଲ୍‌ ବାଲାଟ୍‌ରେ ଭୋଟ ଦେବେ। ସ୍ବତନ୍ତ୍ର ପୁଲିଂ ପାର୍ଟି ଘରକୁ ଯାଇ ପୋଷ୍ଟାଲ୍‌ ବାଲାଟ୍‌ ଗ୍ରହଣ କରିବେ। ଅକ୍ଟୋବର ୨୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଘରକୁ ଯାଇ ଭୋଟ ଗ୍ରହଣ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

Comments are closed.