ନୀଳଗିରିରେ ମୁଣ୍ଡ ନେଉଛି ଗୁଣିଗାରେଡ଼ି!

0

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଗୁଣିଗାରେଡ଼ି ଭୂତ ପିଶାଚକୁ କେନ୍ଦ୍ରକରି ଏକ ଆଦିବାସୀ ବସ୍ତିରେ ଉତ୍ତେଜନା ଲାଗି ରହିଛି। ଗୁଣିଆ ସନ୍ଦେହରେ ଜଣେ ଯୁବକଙ୍କୁ ସମୂହ ଗ୍ରାମବାସୀ ନିସ୍ତୁକ ମାଡ଼ ମାରି ଗୁରୁତର କରି ଦେଇଥିବା ଦେଖିବାକୁ ମିଳିଛି। ତେବେ ଏହି ମାଡ଼ ଭୟରେ ଅନ୍ୟ ୨ଜଣ ସହଯୋଗୀ ଦମ୍ପତି ନିଖୋଜ ହୋଇଥିବା ସୂଚନା ମିଳିଛି।
ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆ ଗାଁର ଲୋକେ ଅଜଣା ରୋଗରେ ପୀଡ଼ିତ ହେବା ପରେ ମୃତ୍ୟୁ ଘଟୁଛି। ଏମାନେ ଡାକ୍ତରଖାନା ଯାଇଥିଲେ ହେଁ ଡାକ୍ତରଙ୍କ ଦ୍ୱାରା ରୋଗ ନିରୂପଣ କରାଯାଇ ନପାରିବାରୁ ଗୁଣିଗାରେଡ଼ିକୁ ବିଶ୍ୱାସ କରୁଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ; ସେହି ଗାଁର ପ୍ରତାପ ସିଂ, ସୁନା ସିଂ ଓ ତାଙ୍କ ସ୍ତ୍ରୀ ଉମା ସିଂ ତିନିଜଣ ମସ୍ତକବିହୀନ ଶ୍ମଶାନ କାଳୀଙ୍କୁ ରଖି ବଳି ଦେଉଛନ୍ତି, ଯ’ଦ୍ୱାରା ଗାଁରେ ଜଣେ ପରେ ଜଣେ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ଘଟୁଛି। ପ୍ରତିକାର ପାଇଁ ଗ୍ରାମବାସୀ ବାରିପଦା ଅଞ୍ଚଳର ଜଣେ ବଡ଼ ଗୁଣିଆ ପାଖକୁ ଯିବା ପରେ ସମ୍ପୃକ୍ତ ଗୁଣିଆ ଉପରୋକ୍ତ ୩ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ପରେ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଥିଲା। ଗୁଣିଆ ପାଖରେ ସମ୍ପୃକ୍ତ ବ୍ୟକ୍ତିମାନେ ନିଜ ଦୋଷ ସ୍ୱୀକାର କରିଥିଲେ ହେଁ ଗାଁକୁ ଫେରିବା ପରେ ସେମାନେ ନିଜ ଦୋଷକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ଉଠିଥିଲା। ଏନେଇ ୧୫୦ରୁ ଊର୍ଦ୍ଧ୍ବ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ପ୍ରତାପ ସିଂ ଗୁରୁତର ହୋଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ମାଡ଼ ଭୟରେ ସୁନା ଓ ତାଙ୍କ ସ୍ତ୍ରୀ ଉମା ଖସି ପଳାଇ ଯାଇଥିବା ଜଣାଯାଇଛି। ଏନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲେ ହେଁ ପୁଲିସ ଏବାବଦରେ କୌଣସି ସୁରାକ ପାଇପାରିନାହିଁ।

Leave A Reply