ଆମୋନିଆ ଗ୍ୟାସ ଲିକ ; ଶତାଧିକ ଶ୍ରମିକ ଅସୁସ୍ଥ

ବାହାନଗା : ବାଲେଶ୍ବର ଜିଲା, ୧୬ନଂ ଜାତୀୟ ରାଜପଥ ପାର୍ଶ୍ବ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଫାଲକନ କମ୍ପାନୀ ଚିଙ୍ଗୁଡି ପ୍ରସେସିଂ କାରଖାନାରେ ଆଜି ବିଷାକ୍ତ ଗ୍ୟାସ ନିର୍ଗତ ହୋଇ କାର୍ଯ୍ୟରତ ଶତାଧିକ କର୍ମଚାରୀ ଚେତା ହରାଇବା ସହ ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ ଖନ୍ତାପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ଅନ୍ୟ କେତେକଙ୍କୁ ବାଲେଶ୍ୱର ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ କାରଖାନା ସିଲ୍‌ କରିଦେଇଛି। ଏଥିସହିତ କାରଖାନାର ୬ଜଣ କର୍ମଚାରୀଙ୍କୁ ଖନ୍ତାପଡ଼ା ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। କିଛିଦିନ ଧରି ଫାଲକନ ଚିଙ୍ଗୁଡି ପ୍ରସେସିଂ କାରଖାନାରେ ଶତାଧିକ କର୍ମଚାରୀ କାର୍ଯ୍ୟ କରିଆସୁଛନ୍ତି। ଆଜି

ବୁଧବାର ରାତି ୮ଟା ସମୟରେ ଚିଙ୍ଗୁଡ଼ିକୁ ଅଳିଆମୁକ୍ତ (ହେଡ ଲେସ) କରାଯାଉଥିବାବେଳେ ଅଚାନକ ପ୍ରବଳ ମାତ୍ରାରେ ଗ୍ୟାସ(ଆମୋନିଆ) ନିର୍ଗତ ହେବାରୁ ଶତାଧିକ ଶ୍ରମିକ ଅଚେତ ହୋଇ ପଡ଼ିଯାଇଥିଲେ। ଅନ୍ୟପକ୍ଷରେ କେତେକ ଶ୍ରମିକଙ୍କ କହିବାନୁସାରେ କୌଣସି ଏକ ସ୍ଥାନରେ ଅଳିଆ ହୋଇ ଗନ୍ଧ ବାହାରୁ ଥିବାରୁ ସେଠାରେ ମାତ୍ରାଧିକ ବ୍ଲିଚିଂ ପାଉଡର ପକାଇବା ପରେ ସମସ୍ୟା ବାହାରିଥିବା ସୂଚନା ମିଳିଛି। ତେବେ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଫଳରେ ଗୁରୁତର ଆହତ ଶ୍ରମିକଙ୍କୁ ପ୍ରଥମେ ଖନ୍ତାପଡ଼ା ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ସୁରଥି ମହାଳିକ, ସରସ୍ୱତୀ ବିଶ୍ୱାଳ, ମୁସ୍ତାରି ବିବି, ରାଣୀ ବେହେରା, ନଳିନୀ ବେହେରା, ସୁନୀତା ଜେନା ପ୍ରମୁଖ ଶତାଧିକ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଖନ୍ତାପଡ଼ା ପୁଲିସ ସହ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି. ଯୁଗଳ କିଶୋର, ଉପଜିଲାପାଳ ନିଲୁ ମହାପାତ୍ର ପ୍ରମୁଖ ଚିଙ୍ଗୁଡ଼ି କାରଖାନାରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତିି। ଅନ୍ୟପକ୍ଷରେ ପାଖରେ ଥିବା ଓଳିଆପାଟଣା, ନୂଆପଡ଼ା, ପଣପଣା ଆଦି ବିଭିନ୍ନ ଗ୍ରାମର ଲୋକମାନେ ବିଷାକ୍ତ ଗ୍ୟାସ ଲିକ୍‍ ଯୋଗୁ ନିଜ ଧନ ଜୀବନ ସୁରକ୍ଷା ନେଇ ଭୟଭୀତ ହୋଇପଡ଼ିଛନ୍ତି। ତେବେ କାରଖାନାରେ ଏପରି ବିଷାକ୍ତ ଗ୍ୟାସ କେଉଁଠି ଥିଲା ଏବଂ କିପରି ଅବସ୍ଥାରେ ନିର୍ଗତ ହେଲା, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି। ଏନଇ କାରାଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରିନି। ପ୍ରଶାସନ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି। ଘଟଣା ସ୍ଥିର ଥିବାରୁ ଅଞ୍ଚଳବାସୀ ଭୟଭୀତ ହେବାର କିଛି ନାହିଁ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ପରେ ବାଲେଶ୍ବର ଜିଲା ଚିକିତ୍ସାଳୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ସିଡିଏମଓ ବାନାର୍ଜି ପ୍ରତାପ ଛୋଟରାୟଙ୍କ ସହ ସବୁ ପ୍ରଶାସନିକ ଅଧିକାରୀ ଓ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାକୁ ତଦାରଖ କରୁଛନ୍ତି।

Comments are closed.