ନେସ୍କୋ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର: ସହଦେବଖୁଣ୍ଡା ଥାନା ଅନ୍ତର୍ଗତ ବାଲିଆସ୍ଥିତ ନେସ୍କୋର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏଥିରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଟଙ୍କାର ବିଦ୍ୟୁତ୍‌ ଟ୍ରାନ୍ସଫରମର ଓ ସମ୍ବନ୍ଧିତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ମିଳିବା ପରେ ଦମକଳ ବାହିନୀର ୬ଟି ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ୟ୍ୟ ଜାରି ରଖିଥିଲା। ସୂଚନା ଅନୁସାରେ ଗୋଦାମ ଗୃହରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ଗୋଦାମ ଗୃହରେ ଥିବା ବହୁ ସଂଖ୍ୟାରେ ନୂଆଁ ଓ ପୁରୁଣା ଟ୍ରାନ୍ସଫରମ ଜଳିଯାଇଥିଲା। ସେହିପରି ଲକ୍ଷାଧିକ ଟଙ୍କାର କେବୁଲ ତାର ମଧ୍ୟ ପୋଡିପାଉଁଶ ହୋଇଯାଇଥିଲା। ନିଆଁ ଲିଭା କାର୍ୟ୍ୟରେ ୬ଟି ସରକାରୀ ଓ ଘରୋଇ ସଂସ୍ଥାର ଦମକଳଗାଡ଼ି ନିଯୋଜିତ ଥିଲେ। ପ୍ରାୟ ସାଢ଼େ ୩ ଘଣ୍ଟାର ଉଦ୍ୟମ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଗୋଦାମ ଗୃହରେ ପ୍ରାୟ ୨୦ ହଜାର ଲିଟର ଟ୍ରାନ୍ସଫରମର ତେଲ ଗଚ୍ଛିତ ଥିଲା। ତାହା ମଧ୍ୟ ଜଳିଯାଇଥିଲା। ତେଣୁ କୁହାଯାଉଛି ଯେ, ଟ୍ରାନ୍ସଫରମ ତେଲ ଯୋଗୁଁ ନିଆଁ ଖୁବ ଶୀଘ୍ର ଜଳିବାରେ ସହାୟକ ହୋଇଥିଲା।ନେସ୍କୋର ମାନବ ସମ୍ବଳ ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ସୁବୁଦ୍ଧି କହିଛନ୍ତି, ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ସେ କହିଛନ୍ତି। ରାତି ହୋଇଯାଇଥିବାରୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ।

Comments are closed.