ବୟସର ଅପରାହ୍ନରେ ବି ସେ ତରୁଣ

ବାଲେଶ୍ୱର: ୬୫ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କଠାରୁ କ’ଣ ବା ଆଶା କରାଯାଇ ପାରେ? ପରିବାର, ନାତି ନାତୁଣୀଙ୍କ ସହ ସମୟ ବିତାଇବା, ଭତ୍ତା ପାଇଁ ଆବେଦନ କରିବା, ସମ ବୟସ୍କଙ୍କ ସହ ମିଶି ଗୁଲିଗପ କରିବା ବା ପରଚର୍ଚ୍ଚା କରିବା। ନହେଲେ କିଏ ବିଭିନ୍ନ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ବାଟ ଚାହିଁ ବସିଥିବ। ହେଲେ ପୃଥିବୀରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ବୟସର ଅପରାହ୍ଣରେ ବି ଯୁବକଙ୍କ ଭଳି ବଞ୍ଚି ରହିଥାନ୍ତି। ସେମାନଙ୍କ ପାଇଁ ବୟସ ଏକ ମିଛ ଗପ। ଜନ୍ମ ତାରିଖରୁ ବୟସକୁ ନଗଣି, ସଫଳତାର ମାନଦଣ୍ଡରେ ବୟସକୁ ଗଣି ଥାନ୍ତି। ସେଭଳି ଜଣେ ଅଦମ୍ୟ ଉଦ୍ୟମୀ ହେଉଛନ୍ତି ବାଲେଶ୍ବର ସହର ନୂଆ ବଜାର ଅଞ୍ଚଳର ତରୁଣ କୁମାର ଚାଟାର୍ଜୀ। ୬୫ ବର୍ଷ ବୟସରେ ବି ସେ ବଡି ବିଲଡିଂରେ ଜାତୀୟ ସ୍ତରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଚାକିରି ଜୀବନରୁ ଅବସର ପରେ ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବଳକୁ ସାଥୀ କରି ନିଜର ଶରୀରକୁ ଏମିତି ଗଢ଼ି ତୋଳିଛନ୍ତି ଯେ, ୨୨ ବର୍ଷର ଯୁବକ ମଧ୍ୟ ଲଜ୍ଜା ଅନୁଭବ କରିବ।

ତରୁଣ କୁମାର ଚାଟାର୍ଜୀ କେବଳ ବାଲେଶ୍ବରରେ ନୁହେଁ, ବଡି ବିଲଡିଂ କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ଏକ ଚର୍ଚ୍ଚିତ ନାମ। ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ, ପଞ୍ଜାବର ଲୁଧିଆନାରେ ହୋଇଥିବା ମାଷ୍ଟର୍ସ ବଡି ବଲିଡିଂ ଚମ୍ପିଆନସିପ (୬୦ ବର୍ଷରୁ ଅଧିକ ବର୍ଗ)ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି। ପ୍ରସ୍ତୁତି ପାଇଁ ମାତ୍ର ୭ ଦିନ ପାଇଥିବାରୁ ସନ୍ତୋଷଜନକ ପ୍ରଦର୍ଶନ କରିପାରି ନଥିଲେ, ତେବେ ଆସନ୍ତା ବର୍ଷ ଗୋଲଡ ପାଇବାର ଆଶା ରଖିଛନ୍ତି ସେ। ବଡି ବିଲଡିଂ ସାଙ୍ଗକୁ ବିଭିନ୍ନ ସଂଗଠନ ସହିତ ମଧ୍ୟ ସେ ଜଡିତ ରହିଛନ୍ତି। ୨୦୦୫ରୁ ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ବଡି ବିଲଡିଂ ଚମ୍ପିଆନସିପରେ ବିଚାରକ ରହିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲା ବଡି ବିଲଡିଂ ସଂଘର ସମ୍ପାଦକ, ଓଡ଼ିଶା ବଡି ବିଲଡିଂ ସଂଘର କୋଷାଧ୍ୟକ୍ଷ ଓ ଇଷ୍ଟର୍ଣ୍ଣ ଇଣ୍ଡିଆ ବଡି ବିଲଡିଂ ସଂଘର ସେ ଯୁଗ୍ମ ସମ୍ପାଦକ ରହିଛନ୍ତି। ଏହି ସଫଳତା ତାଙ୍କୁ ରାତାରାତି ମିଳିଯାଇନାହିଁ। ଏଥିପାଇଁ କଠିନ ପରିଶ୍ରମ, ଏକାଗ୍ରତା, ନିଷ୍ଠା ଓ ଶୃଙ୍ଖଳାଜ୍ଞାନରେ ବାନ୍ଧି ହେବାକୁ ପଡିଛି।

ସଫଳତା ସମ୍ପର୍କରେ ଶ୍ରୀ ଚାଟାର୍ଜୀ କହନ୍ତି କି ମାଟ୍ରିକ ପରୀକ୍ଷା ପରେ ୧୯୭୩ରେ ଜିମରେ ଯୋଗଦେଇଥିଲେ। ବାଲେଶ୍ବରରେ ଥିବା ବୀର ବଜରଙ୍ଗ ବ୍ୟାୟାମାଗାରରେ ଅଭ୍ୟାସ କରିବା ଭିତରେ ସେ ଓଡ଼ିଶା କୁମାର ସମ୍ମାନ ଦୁଇ ଥର, ଓଡ଼ିଶାଶ୍ରୀ ସମ୍ମାନ ଦୁଇ ଥର, ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ବରେଲିରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରର ଚମ୍ପିଆନସିପ (୧୯୭୬)ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ନିୟମିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହିତ ପୁଣି ୧୯୮୨ରେ ଅଗରତାଲାରେ ଅନୁଷ୍ଠିତ ଜାତୀୟ ସ୍ତରର ଚମ୍ପିଆନସିପରେ ତୃତୀୟ ହୋଇଥିଲେ। ହେଲେ ବ୍ୟାୟାମ କରିବା ଓ ବଡି ବିଲଡିଂ ତାଲିମ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିବାରୁ ଚାକିରି କରିବା ପାଇଁ ଆଗ୍ରହୀ ହୋଇଥିଲେ। ୧୯୮୨ରୁ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ଜୀବନ ଆରମ୍ଭ କରି ୨୦୧୬ ମସିହାରେ ଅବସର ଗ୍ରହଣ କରିଥିଲେ। ଅବସର ପରେ ପୁଣି ଥରେ ତାଙ୍କର ପୁରୁଣା କ୍ୟାରିୟରକୁ ଯିବାକୁ ମନ ବଳାଇଥିଲେ। ଅବଶ୍ୟ ନିୟମିତ ଭାବେ ଘରେ ସେ ବ୍ୟାୟାମ କରୁଥିଲେ, କିନ୍ତୁ ୬୦ ବର୍ଷ ବୟସରେ ପୁଣି ବଡି ବିଲଡିଂ କରିବା ଏତେ ସହଜ ନଥିଲା। ତେବେ ସହଦେବଖୁଣ୍ଟାରେ ଥିବା ରାଜକିଶୋର ସାହୁଙ୍କ ‘ରାଜା ଫିଟନେସ’ ସେଣ୍ଟରରେ ବରିଷ୍ଠ ଉପଦେଷ୍ଟା ଭାବେ ଯୋଗଦେଇଥିଲେ ଓ ନିୟମିତ କଷ୍ଟସାଧ୍ୟ ବ୍ୟାୟାମ କରି ଏଭଳି ବିରଳ ସଫଳତା ପାଇଛନ୍ତି।

ତରୁଣଙ୍କ ଭାଷାରେ, ‘ବୟସ୍କ ହେଲେ ଖେଳି ନ ପାରିବା କଥା ଠିକ ନୁହେଁ। ବାସ୍ତବରେ ନ ଖେଳିଲେ ଆମେ ବୟସ୍କ ହୋଇଯିବା।’ ଏବେକାର ଯୁବକ ଯୁବତୀମାନେ କମ ସମୟ ମଧ୍ୟରେ ବଡି ବିଲଡର ଭାବେ ନିଜକୁ ପ୍ରତିଷ୍ଠିତ କରାଇବାକୁ ପ୍ରୟାସ କରୁଛନ୍ତି। ଏଥିପାଇଁ ବିଭିନ୍ନ ନିଷିଦ୍ଧ ଔଷଧ ମଧ୍ୟ ସେବନ କରୁଛନ୍ତି, ଯାହା ଦେହ ପାଇଁ ସମ୍ପୂର୍ଣ୍ଣ କ୍ଷତିକାରକ। ନିୟମିତ କଠିନ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଓ ଧୈର୍ଯ୍ୟର ସହ ପରିଶ୍ରମ କଲେ ଦୁଇରୁ ତିନି ବର୍ଷ ମଧ୍ୟରେ ନିଶ୍ଚିତ ସଫଳତା ମିଳିବ। ଟ୍ରେନରଙ୍କ ପରାମର୍ଶ ମୁତାବକ ଖାଦ୍ୟ ଖାଇବା ଓ ପରିଶ୍ରମ କରିବା ସହ ଜଙ୍କଫୁଡ, ମିଠା, ମଇଦାରୁ ପ୍ରସ୍ତୁତ ଖାଦ୍ୟ ଏବଂ ଲୁଣ ବର୍ଜନ କରିବା ଦରକାର। ଏହା ସହିତ ୮ରୁ ୯ ଘଣ୍ଟା ଚିନ୍ତାମୁକ୍ତ ନିଦ୍ରା ଯିବା ମଧ୍ୟ ଜରୁରୀ ବୋଲି କହିଛନ୍ତି।

Comments are closed.