ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’ ଯୋଜନା

ଦୁଇ ବର୍ଷରେ ୭ଲକ୍ଷ ଚାଷୀଙ୍କୁ ୧୦୪୦ କୋଟି ଋଣ ଲକ୍ଷ୍ୟ

ଭୁବନେଶ୍ବର : ଭୂମିହୀନ ଚାଷୀଙ୍କୁ କୃଷି ଋଣ ଦେବା ପାଇଁ ରାଜ୍ୟ ସରକାର ‘ବଳରାମ’ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ୧୦୪୦କୋଟି ଟଙ୍କାର ଋଣ ଯୋଗାଇଦେବାର ବ୍ୟବସ୍ଥା ରହିଛି। ଆଗାମୀ ଦୁଇ ବର୍ଷରେ ପ୍ରାୟ ୭ଲକ୍ଷ ଭୂମିହୀନ ଚାଷୀ ଏହାଦ୍ବାରା ଉପକୃତ ହୋଇପାରିବେ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଏ ଯୋଜନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ନାବାର୍ଡ଼ ସହଯୋଗରେ ପ୍ରସ୍ତୁତ ଏହି ଯୋଜନା ସମ୍ପର୍କରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ତଥ୍ୟ ରଖିଥିଲେ। ଯୁଗ୍ମ ଲାଏବିଲିଟି ଗ୍ରୁପ (ଜେଏଲଜି) ଜରିଆରେ ସାମାଜିକ ସହଭାଗିତା ଭିତ୍ତିରେ ଭୂମିହୀନ ଚାଷୀଙ୍କ ପାଇଁ ଋଣ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ପ୍ରକୃତ ଚାଷୀଙ୍କୁ ଋଣ ସହାୟତା ମିଳିଲେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧିରେ ଏହା ବେଶ ସହାୟକ ହେବ ବୋଲି କହିଥିଲେ।
ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା ଋଣ ଯୋଜନାରୁ ବାହାରେ ରହୁଥିବା ଭୂମିହୀନ ଓ ଭାଗ ଚାଷୀଙ୍କୁ ଋଣ ସହାୟତା ଯୋଗାଇବା ପାଇଁ ଏସଏଲବିସି ଜରିଆରେ ବ୍ୟାଙ୍କିଙ୍ଗ ସେକ୍ଟରକୁ ନିୟୋଜିତ କରାଯିବା ଲାଗି ମତ ରଖିଥିଲେ। ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ଏହି ଯୋଜନାର ବାସ୍ତବ ରୂପାୟନ ନିମନ୍ତେ କୃଷକ ସାଥୀ ଓ ଗ୍ରାମ କୃଷି କର୍ମଚାରୀ (ଭିଏଡ଼ବ୍ଲୁ)ଙ୍କୁ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ।
ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଇମେଜ ଓ ଆତ୍ମା ଯଥାକ୍ରମେ ରାଜ୍ୟ ଓ ଜିଲା ସ୍ତରରେ ନୋଡ଼ାଲ ସଂସ୍ଥା ଭାବେ କାର୍ଯ୍ୟ କରିବେ। ଜେଏଲଜି ଗଠନ ପାଇଁ ଆତ୍ମା ଜରିଆରେ କୃଷକ ସାଥୀ ଓ ଭିଏଡ଼ବ୍ଲୁମାନଙ୍କୁ ‌ପ୍ରୋତ୍ସାହିତ କରାଯିବାକୁ ସ୍ଥିର ହୋଇଛି। ସେମାନଙ୍କୁ ବ୍ୟାଙ୍କ ସହିତ ସଂଯୋଜିତ କରାଯାଇ ଋଣ ପ୍ରଦାନ ଓ ପରିଶୋଧ ବ୍ୟବସ୍ଥା ସୁଗମ କରାଯିବାର ବ୍ୟବସ୍ଥା ହେବ। ପ୍ରତି ବ୍ୟାଙ୍କ ଗୋଟିଏ ବର୍ଷରେ ଅତି କମରେ ୧୦ଟି ଜେଏଲଜିକୁ ଋଣ ପ୍ରଦାନ କରିବ। ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ବିଭିନ୍ନ ବ୍ୟାଙ୍କ ଓ ପ୍ୟାକ୍ସର ୭ହଜାର ଶାଖା ରହିଛି। ପ୍ରତି ଜେଏଲଜିରେ ୫ଜଣ ସଦସ୍ୟ ରହିବେ। ପ୍ରତି ଗ୍ରୁପକୁ ୧.୬୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦିଆଯିବ। ଦୁଇ ବର୍ଷ ଭିତରେ ୧.୪୦ଲକ୍ଷ ଜେଏଲଜି ମାଧ୍ୟମରେ ପ୍ରାୟ ୭ଲକ୍ଷ ଭୂମିହୀନଙ୍କୁ ଏ ସୁବିଧା ଯୋଗାଇବାର ଲକ୍ଷ୍ୟ ରହିଛି। ସାଧାରଣ କୃଷି ଋଣ ଭାବେ ଏହା ଉପଲବ୍ଧ ହେବ। ଓଡ଼ିଶା ସରକାରଙ୍କ ପ୍ରଚଳିତ ସର୍ତ୍ତାବଳି ଅନୁସାରେ ସୁଧ ହାର ଓ ସୁଧ ରିଆତି ଲାଗୁ ହେବ। ନାବାର୍ଡ଼ର ସିଜିଏମ ଏ.ଚନ୍ଦ୍ରଶେଖର କହିଥିଲେ ଯେ ଦେଶରେ ଏଭଳି ଯୋଜନା ହେଉଛି ପ୍ରଥମ। ଏହା ଜରିଆରେ କ୍ଷେତ୍ରସ୍ତରୀୟ କୃଷି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୦୪୦କୋଟି ଋଣ ଅର୍ଥ ବିନିଯୋଗ ହୋଇପାରିବ। ଏହା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ ମଡ଼େଲ ହେବ।

Comments
Loading...