ବଲାଣି ଗୋପବନ୍ଧୁ ଛକର ହେବ ସୌନ୍ଦର୍ଯ୍ୟକରଣ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ପ୍ରସ୍ତାବ ଗୃହୀତ

ବଲାଣି: ଓଡ଼ିଶା ନବ ନିର୍ମାଣର ଅନ୍ୟତମ ମହାପୁରୁଷ, ଗରୀବ ନିଷ୍ପେସିତ ଓ ଅବହେଳିତଙ୍କ ଦରଦୀ ବନ୍ଧୁ , ବିଶିଷ୍ଟ କବି, ଲୋକସେବକ ମଣ୍ଡଳ ଓ ଦୈନିକ ଖବର କାଗଜ ‘ସମାଜ’ ଓ ‘ସତ୍ୟବାଦୀ’ ପତ୍ରିକାର ପ୍ରତିଷ୍ଠାତା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ କେନ୍ଦୁଝର ଜିଲ୍ଲା ଉପାନ୍ତ ଖଣି ଅଞ୍ଚଳ ବଲାଣି ସ୍ଥିତ ଗୋପବନ୍ଧୁ ଛକ ଠାରେ ଉତ୍କଳ ଦିବସ ପାଳନ ସମିତି ପକ୍ଷରୁ ପାଳିତ ହୋଇ ଯାଇଛି । ଉତ୍କଳ ଦିବସ ପାଳନ ସମିତିର ଅଧ୍ୟକ୍ଷ ନନ୍ଦକିଶୋର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଶ୍ବମହାମାରୀ କରୋନା କଟକଣାକୁ ପାଳନ କରି କେବଳ ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ଏହି ଦିବସକୁ ପାଳନ କରିଥିଲେ । ସମିତିର ଉପଦେଷ୍ଟା ଦେଵବ୍ରତ ଧଳ ସଭାକାର୍ୟ୍ୟ ଆରମ୍ଭ କରି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ । ପରେ ସମିତିର ଅଧ୍ୟକ୍ଷ ନନ୍ଦକିଶୋର ସେଠୀ, ଉପାଧ୍ୟକ୍ଷ ସଞ୍ଜୟ କୁମାର ଦେଓ ଓ ଅନ୍ୟ ଉପସ୍ଥିତ ସଦସ୍ୟ ମାନେ ଛକ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ୧୯୮୩ ମସିହା ଉତ୍କଳ ଦିବାସ ଅବସରରେ ବଲାଣି ଠାରେ ତତ୍କାଳୀନ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ତଥା ଦୈନିକ ଖବର କାଗଜ ‘ସମାଜ’ର ସମ୍ପାଦକ ଡ଼.ରାଧାନାଥ ରଥଙ୍କ ଦ୍ୱାରା ଉନ୍ମୋଚିତ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଥିବା ଛକର ସୌନ୍ଦର୍ୟ୍ୟକରଣ ନିମନ୍ତେ ପ୍ରସ୍ତାବ ଉପସ୍ଥିତ ସଦସ୍ୟ ମାନଙ୍କ ଦ୍ୱାରା ଆଗତ ହୋଇଥିଲା । ତେବେ ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉକ୍ତ ପ୍ରସ୍ତାବ ଉପରେ ଆଲୋଚନା କରି ଛକ ଭିତରେ ଥିବା ସ୍ଥାନରେ ଚେକର୍ସ ପ୍ଲେଟ ସହିତ ବାହ୍ୟ ସୌନ୍ଦର୍ଯ୍ୟକରଣ ନିମନ୍ତେ ରଙ୍ଗ ଓ ରାତିରେ ଆକର୍ଷଣ ଆଲୁଅରେ ସ୍ଥାନଟିର ସୌନ୍ଦର୍ଯ୍ୟକରଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସମିତିର ସମ୍ପାଦକ ରାଜେନ୍ଦ୍ର ଖଟୁଆ, ପୂର୍ବତନ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସଦସ୍ୟ ତରୁଣ ବଳଦେବ ନାଗ, ରୂପକ କୁମାର ଦାସ, କୁନା ମହାନ୍ତି , କୃଷ୍ଣା ମହାନ୍ତ, ଦୁର୍ଯ୍ୟଧନ ଦାସ, ଶିବାଶିଷ୍ ନନ୍ଦ, ଅବସରପ୍ରାପ୍ତ ବଲାଣି ଖଣି କର୍ମଚାରୀ ତ୍ରିନାଥ ପତ୍ର , ଅବସରପ୍ରାପ୍ତ ଶିକ୍ଷାବିତ ତଥା ସମାଜସେବୀ କମଳ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.