ପୁଣି ଚର୍ଚ୍ଚାରେ କଙ୍ଗାରୁକୋର୍ଟ; ଆଶାକର୍ମୀ ଓ ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ, ସଂପର୍କ ରଖିଲେ ଅର୍ଥ ଦଣ୍ଡ

ମିଲୁନି ପ୍ରଶାସନିକ ଓ ପୁଲିସର ସହଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ମହାମାରୀ ସମୟରେ ମାନିସକ ନିର୍ଯ୍ୟାତନାର ଶୀକାର ହୋଇଛନ୍ତି ଖପ୍ରାଖୋଳ ବ୍ଲକ ଜମୁନାପାଲିର ଜଣେ ଆଶାକର୍ମୀ ମହିମା ମହାନନ୍ଦ। ଗତ ଜୁଲାଇ ମାସରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜ କାମକରିବା ପାଇଁ ବାରଣ କରାଯାଇଥିବା ବେଳେ ଗାଁର କିଛି ବଡବଡିଆ ଆକ୍ରୋଶମୂଳକ ଭାବେ ତାଙ୍କୁ କଙ୍ଗାରୁକୋର୍ଟରେ ନିଆଁ ପାଣି ବାସନ୍ଦ କରିଛନ୍ତି। ଏହିଭଳି ଏକ ଦୁର୍ଭାଗ୍ୟଜନକ ଘଟଣାରେ କିନ୍ତୁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ନୀରବ ରହିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଦୁଃଖ ବଖାଣିଛନ୍ତି ମହିମା।

ଅଭିଯୋଗ ଅନୁଯାୟୀ, ବଲାଙ୍ଗିର ଜିଲା ଖପ୍ରାଖୋଳ ବ୍ଲକ ଜମୁନାପାଲିର ମହିମା ମହାନନ୍ଦ ଭାବେ ଆଶାକର୍ମୀ ଭାବେ କାମ କରନ୍ତି ୠତ ଏପ୍ରିଲ ୧୬ ତାରିଖରେ ଗାଁର ଗର୍ଭବତୀ ମହିଳା ଯୋଗେଶ୍ୱରୀ ନିଆଲଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ପୂର୍ବରୁ ସେ ଜଣ୍ଡିସ, ସିକିଲିନ ଭଳି ରୋଗରେ ଆକ୍ରାନ୍ତ ରହିଥିଲେ। ଡାକ୍ତରଙ୍କ ବାରଣ ସତ୍ୱେ ସେ ତୃତୀୟ ଗର୍ଭଧାରଣ କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପାଇଁ ସଂପୃକ୍ତ ଆଶାକର୍ମୀଙ୍କୁ ଦାୟୀ କରି ଲିଙ୍ଗରାଜ ନିଆଳ ନାମକ ଜଣେ ବ୍ୟକ୍ତି ଗାଁରେ ବୈଠକ ବସାଇ ତାଙ୍କ ପ୍ରତି ଆଶାଳୀନ ବ୍ୟବହାର କରିଥିଲେ। ଏହି ଦିନ ଠାରୁ ମହିମାଙ୍କ ପ୍ରତି ସ୍ଥାନୀୟ କିଛି ବ୍ୟକ୍ତିଙ୍କ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ମହିମାଙ୍କ ପରିବାରକୁ ନିଆ ପାଣି ବାସନ୍ଦ କରିଥିଲେ। ଗାଁରେ ବସିଥିବା କଙ୍ଗାରୁକୋର୍ଟରେ ଏହି ନିଷ୍ପତ୍ତି ହୋଇଥିଲା। ଯଦି କେହି ତାଙ୍କ ସହ ସଂପର୍କ ରଖେ ତେବେ ୨୦ହଜାର ଫାଇନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଫଳରେ ଗତ ଜୁଲାଇ ମାସରୁ ମହିମା ଓ ତାଙ୍କ ପରିବାର ଲୋକଙ୍କ ଜୀବନ ଦୁର୍ବିସହ ହୋଇଥିବା ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗାଁର ଲିଙ୍ଗରାମ ନିଆଲ କିଛି ବର୍ଷ ହେଲା ତାଙ୍କ ଉପରେ ଖରାପ ଦୃଷ୍ଟିଦେଇ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଆସୁଥିଲା। ଏପରିକି ସେ ଏକାଧିକ ଥର ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ସେଥିରେ ସେ ବିଫଳ ହୋଇଥିଲା। ଯାହାଫଳରେ ସେ ପ୍ରତୋଶୋଧ ପରାୟଣ ହୋଇ ବିଭିନ୍ନ ଆଳରେ ମହିମା ଓ ତାଙ୍କ ପରିବାରକି ନିର୍ଯ୍ୟାତନା ଦେଇଆସୁଥିବା ମହିମା ଅଭିଯୋଗ କରିଛନ୍ତି। ସେହିପରି ମହିମା ଆଶାକର୍ମୀ ଭାବେ ନିଯୁକ୍ତି ପାଇବା ପରେ ଅନ୍ୟ ଆଶାୟୀ ମାନେ ବିଭିନ୍ନ ଅପଚେଷ୍ଟା କରି ତାଙ୍କୁ ବହିଷ୍କାର କରିବା ପାଇଁ ମସୁଧା ଚଲାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ କର୍ତ୍ତବ୍ୟରୁ ବିରତ ରଖିବା ପାଇଁ ଅନେକ ଅପଚେଷ୍ଟା କରାଯାଉଥିବା ବେଳେ ଖପ୍ରାଖୋଳ ଡାକ୍ତରଖାନାରେ ମେଡିକାଲ ଅଫିସରଙ୍କୁ ମଧ୍ୟ ତାଙ୍କୁ ଚାକିରୀରୁ ବାହାର କରିବା ପାଇଁ ଧମକ ଦେଇଛନ୍ତି। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ଚଳିତ ସପ୍ତାହରୁ ମହିମା କିମ୍ବା ତାଙ୍କ ପରିବାର ଲୋକଙ୍କ ସହ କେହି କଥା ହେଲେ ତାଙ୍କୁ ଫାଇନ ମାଗିବା ସହିତ ଅଣ୍ଡାମାଳ ପିନ୍ଧାଇ ଲଣ୍ଡା କରି ଗାଁରେ ବୁଲାଯିବ ବୋଲି କଙ୍ଗାରୁକୋର୍ଟରେ ନିଷ୍ପତ୍ତି ହୋଇଥିବା ଅଭିଯୋଗ କରିଛନ୍ତି। ଏହିପରି ଭାବେ ଗତ କିଛି ମାସ ହେଲା ସେ ମାନସିକ ନିର୍ଯ୍ୟାତନାର ଶୀକାର ହେଉଥିବା ବେଳେ ବଞ୍ଚିବା ମୁସ୍କିଳ ହୋଇଛି। ଏନେଇ ସେ ପୁଲିସ, ପ୍ରଶାସନ ସମସ୍ତଙ୍କ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି। ସୋମବାର ସେ ବଲାଙ୍ଗିର ଆସି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଦିଆଯାଉଥିବା ନିର୍ଯ୍ୟାତନା କଥା ବଖାଣିଥିବେ ବେଳେ ତାଙ୍କ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି।

Comments are closed.