ସାଇକେଲ ଚଲାଇଲେ କୂଅରୁ ବାହାରିବ ପାଣି

0

ବଲାଙ୍ଗୀର : ଘରେ ବିଦ୍ୟୁତ ଥାଉ କି ନଥାଉ। ପାଣି ପମ୍ପ ଚଳେଇବା ପାଇଁ ଆଉ ଦରକାର ପଡିବନି ବିଦ୍ୟୁତ। ସାଇକେଲ ଚଲାଇଲେ କୂଅରୁ ପାଣି ବାହାରିବ। ଏଭଳି ଏକ ନିଆରା ଉଦ୍ୟମ କରି ସଫଳ ହୋଇଛନ୍ତି ବଲାଙ୍ଗୀର ଜିଲା ପୁଇଁନ୍ତଲା ବ୍ଲକ ଭାଲେର ପଞ୍ଚାୟତ ଅନ୍ତର୍ଗତ ଫଟକରା(କ) ଗ୍ରାମର ଶ୍ରୀବତ୍ସ ବଢେଇ। ତାଙ୍କର ଏହି ଉଦ୍ୟମ ଫଳରେ ନିଜେ ତଥା ତାଙ୍କ ପରିବାର ଦୀର୍ଘ ଦିନ ଧରି ଅସୁବିଧାକୁ ଦୂର କରିବାରେ ସକ୍ଷମ ହୋଇଛନ୍ତି। ମାତ୍ର ସ୍ୱଳ୍ପ ମୂଲ୍ୟ ଖର୍ଚ୍ଚରେ ସାଇକେଲ ଚାଳିତ ଏକ ମୋଟର ପମ୍ପ ନିର୍ମାଣ କରି ଗ୍ରାମରେ ଥିବା କାଠ ବଢେଇ ମାନେ ମଧ୍ୟ କୌଣସି ବୈଜ୍ଞାନିକଙ୍କ ଠାରୁ କମ ନୁହଁନ୍ତି ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ତାଙ୍କ କହିବା ଅନୁସାରେ,ବଲାଙ୍ଗୀର ଜିଲାରେ ପାଣିର ବହୁ ସମସ୍ୟା ରହିଛି। ଲୋକେ ପାଣି ପାଇଁ ହାହାକାର ହେଉଥିବା ବେଳେ ଏହା ଖରା ଦିନରେ ବେଶ୍ ବାରି ହୋଇ ପଡେ। ଖରା ଯାଇ ବର୍ଷା ଓ ଏବେ ଶୀତ ଚାଲିଛି। ତଥାପି ଦୈନିକ ଦୀର୍ଘ ସମୟ ଧରି ବିଜୁଳୀ କାଟ ହେଉଛି। ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏହା ଦିନକର କଥା ନୁହେଁ କାହିଁ କେତେ ବର୍ଷ ହେଲା ଏହା ନିତିଦିନିଆ ହୋଇଗଲାଣି। ଲୋକେ ମଧ୍ୟ ଏଥିରେ ଅଭ୍ୟସ୍ତ ବୋଲି ସେ କୁହନ୍ତି। ହେଲେ ନିଜ ଘର ବାରି ପଟେ ପାଣି ଭଣ୍ଡାର କୂଅ ଥାଇ ଯେ କୌଣସି ସମୟରେ ପାଣି କାଢି ନପାରିବା ତାଙ୍କୁ ଖୁବ ବାଧିଥିଲା। ତାଙ୍କ ସ୍ୱର୍ଗତ ପିତା ରାଧେଶ୍ୟାମ ବଢେଇ ଓ ମା ବେଟିଖାଇ ବଢେଇଙ୍କୁ ଚାଟଶାଳୀରେ ପଢେଇଥିଲେ ହେଁ ବାପାଙ୍କ ସହ ମିଛି ଛୋଟ ବେଳରୁ କାଠ କାମ କରି ଆସୁଥିଲେ। ତାଙ୍କ ପିତାଙ୍କ ଠାରୁ ଆହାରଣ କରିଥିବା ଜ୍ଞାନରେ ବିନା ବିଦ୍ୟୁତରେ କିଭଳି କୂଅରୁ ପାଣି କାଢିହେବ ସେଥିପାଇଁ ସେ ଚିନ୍ତା କରିଥିଲେ। ଏଥିପାଇଁ ତାଙ୍କୁ ୩ ଦିନ କଠିନ ପରିଶ୍ରମ କରିବାକୁ ପଡିଥିଲା। ପୂରୁଣା ଭଙ୍ଗା ସାଇକେଲ, ଫ୍ରେମ, ବିବି ସେଟ୍‍ ଚେନ ହ୍ୱିଇଲ, ବେଲ୍ଟ ସହ ଏକ ଖରାପ ହୋଇଯାଇଥିବା ଟୁଲୁ ପମ୍ପକୁ ନେଇ ନିର୍ମାଣ କରିଥିଲେ ସାଇକେଲ ଚାଳିତ ମୋଟର ପମ୍ପ। ଏଭଳି କିଛି ସାମଗ୍ରୀ ଯୋଗାଡ ସମୟରେ ତାଙ୍କୁ କିଛି ଲୋକ ପାଗଳ ହୋଇଗଲାଣି ବୋଲି କହୁଥିଲେ। କିନ୍ତୁ ତାଙ୍କ ନିଜ ବାଡି ପଟେ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀବତ୍ସ। ଏହି ପମ୍ପ ୨୫ ଫୁଟ ଗଭୀର ସ୍ତରରୁ ପାଣି କାଢିବାକୁ ସକ୍ଷମ ଥିବାବେଳେ ଏଥିରେ ସାମାନ୍ୟ ବିକାଶ ହେଲେ ୫୦ ଫୁଟରୁ ପାଣି କାଢି ପାରିବ ବୋଲି ସେ ଦୃଢତାର ସହ ପ୍ରକାଶ କରିଛନ୍ତି। କେବଳ କୂଅ ନୁହେଁ ବୋରିଂ ତଥା ଅନ୍ୟ ଜଳ ଉତ୍ସରେ ବି ଏହାକୁ ଅତି ସହଜରେ ବ୍ୟାବହାର କରାଯାଇ ପାରିବ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ଉଦ୍ୟମ ସଫଳ ହେବାପରେ ଅନେକ ଲୋକ ଘରକୁ ଆସି ଦେଖି ଯାଉଥିବା ବେଳେ ଗୋଟେ ନିର୍ମାଣ କରି ଦେବାକୁ ଅର୍ଡର କରି ଯାଉଛନ୍ତି। ଏଭଳି ଅନେକ ଅର୍ଡର ଆସିଥିଲେ ହେଁ ବର୍ତ୍ତମାନ ସେ ଏହା ଉପରେ ଆହୁରି ଗବେଷଣା ଜାରି ରଖିଛନ୍ତି। ଏଥିପାଇଁ ତାଙ୍କୁ ପ୍ରାୟ ୨୨ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ବର୍ତ୍ତମାନ ବଜାରରେ ଯେଉଁ ମୋଟର ପମ୍ପ କିଣୁଆ ମିଳୁଛି ତାହା ସାଢେ ୬ ହଜାର ଟଙ୍କାରୁ ଆରମ୍ଭ। ଯଦି ସ୍ୱଳ୍ପ ମୂଲ୍ୟରେ ଏଭଳି ଜିନିଷ ନିର୍ମାଣ ହୋଇ ପାରୁଛି ତାହା ପୁଣି ବିନା ବିଦ୍ୟୁତରେ ତାହେଲେ ଶ୍ରୀବତ୍ସଙ୍କ ପରି ଗାଁ ବୈଜ୍ଞାନିକ ମାନଙ୍କୁ ସରକାରୀ ସହୟତା ଓ ସୁଯୋଗ ମିଳିଲେ ଏହା ଆହୁରି ଉନ୍ନତ ହୋଇପାରନ୍ତା। ଚାଷୀଙ୍କୁ ଯଦି ସ୍ୱଳ୍ପ ମୂଲ୍ୟରେ ଏଭଳି ଯନ୍ତ୍ର ଯୋଗାଇ ଦିଆଯାଇ ପାରନ୍ତା ତାହା ହେଲେ ଚାଷୀକୂଳ ଲାଭ ପାଆନ୍ତେ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ବଢେଇଙ୍କୁ ୬୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଏବେ ମଧ୍ୟ ତାଙ୍କ କୌଳିକ ବୃତ୍ତିରୁ ଯାହା ମିଳେ ସେଥିରେ ତାଙ୍କ ଘରେ ଚୁଲି ଜଳେ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶ୍ରୀବତ୍ସଙ୍କ ପରି ପ୍ରତିଭାଙ୍କ ପ୍ରକଳ୍ପକୁ ଆହୁରି ବିକାଶିତ ସହ ସେମାନଙ୍କୁ ସହାୟତାର ସୁଯୋଗ ବଢାଇଲେ ଆହୁରି ଗ୍ରାମ ବୈଜ୍ଞାନିକ ସୃଷ୍ଟି ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

Leave A Reply