ବଲାଙ୍ଗିର ସହରରେ ଏମାନେ ସବୁ କିଏ?

ଆଇଁଷ ଖାଇବାକୁ ବାପା କରାଉଛି ଭିକ୍ଷାବୃତ୍ତି

ବଲାଙ୍ଗିର : ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ହେଉ କି ସରକାରୀ ବସଷ୍ଟାଣ୍ଡ। ଭାଗିରଥୀ ଛକ ହେଉ କି ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା। ଏପରିକି ପ୍ରେଟୋଲ ପମ୍ପ,ସପିଂ ମଲ, ମାର୍କେଟ କମ୍ଲେକ୍ସ, ଚା ଦୋକାନ, ହୋଟେଲ ସାମ୍ନାରେ ଶିଶୁମାନେ ହାତ ପତଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯେତେବେଳ ଯାଏଁ ଟଙ୍କା ନ ମିଳିଛି ସେମାନେ ଲୋକଙ୍କ ପିଛା ଛାଡୁ ନାହାନ୍ତି। ପଛେ ପଛେ ଗୋଡାଉଛନ୍ତି। ତେବେ ଏମାନେ ସବୁ କିଏ? କେଉଁଠୁ ଏମାନେ ଆସିଛନ୍ତି? ଏମାନେ ବଲାଙ୍ଗିର ସହରରେ ବସବାସ କରୁଥିବା ଶିଶୁ ନା ଅନ୍ୟ ରାଜ୍ୟର? ଏସବୁ ଅସମାହିତ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏହାର ପଛରେ ଥିବା ଗୁମର ଜାଣିବାକୁ ଆମେ ମିଶନ ଆମ୍ଭେ କରିଥିଲୁ।

ବଲାଙ୍ଗିର ସହରର ପୁଲିସ କଲୋନୀ। ପାଖରେ ରହିଛି ଜିଲା ସ୍ୱାସ୍ଥ୍ୟ ଭବନ। ଏହାରି ଆଖପାଖରେ ରହି ଆସୁଛନ୍ତି ଯାଯାବର। ଏମାନେ ବଲାଙ୍ଗିରର ହୋଇନଥିବା ବେଳେ ଏମାନେ ଋତୁ ଅନୁଯାୟୀ ବିଭିନ୍ନ କାମ କରିଥାନ୍ତି। ବିଶେଷ କରି କାଚ ବୋତଲ, ପ୍ଲାଷ୍ଟିକ ସଂଗ୍ରହ କରି କବାଡିରେ ବିକ୍ରି କରିଥାନ୍ତି। ଏହା ସହ ଝାଡୁ ତଥା ଅନ୍ୟାନ୍ୟ ଜିନିଷ ତିଆରି କରିବାରେ ଏମାନେ ମାହିର। କିଛି ବର୍ଷ ପୂର୍ବେ ସାମୟିକ ସମୟ ରହି ଚାଲିଯାଉଥିବା ଏହି ପରିବାର ମାନେ ଆଉ ପୂର୍ବପରି କାମ କରୁନାହାନ୍ତି। ବରଂ ବଲାଙ୍ଗିରର କେତେକ ସ୍ଥାନରେ ଜବରଦଖଲ କରି ଏମାନେ ନିଜକୁ ସୁରକ୍ଷିତ ଭାବେ ରହିବାକୁ ଲାଗିଲେଣି। ସବୁଠୁ ବଡ କଥା ହେଉଛି ଜଣେ ଜଣେ ପରିବାର ପାଖରେ ୫ ରୁ ୭ଟି ଲେଖାଏଁ ଶିଶୁ ଅଛନ୍ତି। ସେମାନଙ୍କୁ ସକାଳୁ ରାତି ପ୍ରାୟ ୮ଟା ଯାଏଁ ଭିକ୍ଷା ବୃତ୍ତି କରିବାକୁ କୁହାଯାଉଛି। ଆଉ ପ୍ରତିଦିନ ଟଙ୍କା ଆଣିଲେ ଆଇଁଷ ଖାଇବାକୁ ଦିଆଯିବ ବୋଲି ଲୋଭ ସୃଷ୍ଟି କରାଯାଉଛି। ଏମାନେ ଜଣକା ଲେକାଏଁ ଶିଶୁ ଦିନକୁ ୭ ଶହରୁ ୧୨ ଶହ ଟଙ୍କା ଯାଏଁ ରୋଜଗାର କରୁଥିବା ଶିଶୁମାନେ ସ୍ୱୀକାର କରିଛନ୍ତି। ଆଉ ସବୁତକ ଟଙ୍କା ସେମାନଙ୍କ ବାପା, ମା’କୁ ଦେଉଥିବା ସେମାନେ କହୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା କଥା କହି ଜାଣୁନଥିବା ଶିଶୁକୁ ମଧ୍ୟ ଅନ୍ୟ ୫/୭ ବର୍ଷୀୟା ଶିଶୁମାନେ ଧରି ବ୍ୟବହାର କରୁଛନ୍ତି। ଶୋଇବା ଅବସ୍ଥାରେ ସେମାନଙ୍କୁ ମୁହଁରେ ପାଣି ମାରି ଉଠାଯାଉଛି। ସେମାନଙ୍କ କାନ୍ଦ ବୋବାଳି କରି ଲୋକଙ୍କୁ ଭିକ୍ଷା ମାଗୁଥିବାରୁ ଲୋକେ ସହଜରେ ଟଙ୍କା ଦେଇ ଦେଉଛନ୍ତି। ଏଭଳି ଏକ ଇମୋସ୍‌ନାଲ ବ୍ଲାକମେଲିଂରେ ଶିଶୁମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଉଛି।

ତେବେ ଏମାନେ କୌଣସି ସ୍କୁଲ ମାଡିନଥିବା ବେଳେ ବିଭିନ୍ନ ସ୍ଥାନରେ ରହି ରହି ଭାଷା ବିଷୟରେ ଅବଗତ ହେଉଛନ୍ତି। ହିନ୍ଦୀ ଭାଷା ସମେତ ଓଡିଆ, ଆଞ୍ଚଳିକ ଭାଷାକୁ ବେଶ ଭଲ ଭାବେ ସେମାନେ ଗ୍ରହଣ କରି ପାରୁଛନ୍ତି। ବଲାଙ୍ଗିରରେ ଏଭଳି କାରନାମା ଚାଲିଥିବା ବେଳେ ଦିନକୁ ଦିନ ଭିକ୍ଷାବୃତ୍ତିରେ ଶିଶୁମାନଙ୍କୁ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଲୁଛି। ଏ ନେଇ ଜିଲା ପ୍ରଶାସନ ଆଖି ବୁଜି ଦେଇଥିବା ବେଳେ ବିଭାଗୀୟ ବାବୁମାନେ ଚୁପ୍ ପଡି ବସିଛନ୍ତି। ସରକାର ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନକୁ ଶିଶୁ ଶ୍ରମିକ ରୋକିବା ପାଇଁ ନିୟୋଜିତ କରିଥିଲେ ହେଁ ତାହା କେବଳ କାଗଜ କଳମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ଅନ୍ୟପକ୍ଷରେ ଓଡିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହାକୁ ନେଇ ମୁହଁ ଖୋଲିଛନ୍ତି। ବଲାଙ୍ଗିରରେ କିଭଳି ଭାବେ ଶିଶୁ ଶ୍ରମିକ ବଢୁଛନ୍ତି ଓ କେତେ ଚିନ୍ତାଜନକ ତାହାକୁ ନିଜ ଟ୍ୱିଟର ଯୋଗେ ଜଣାଇଛନ୍ତି। ଏଥି ପାଇଁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ବଲାଙ୍ଗିରରେ ହୁହୁ ହୋଇ ବଢୁଥିବା ଶିଶୁ ଶ୍ରମିକ ସଂଖ୍ୟା ପ୍ରତି ସ୍ଥାନୀୟ ଜନ ପ୍ରତିନିଧି,ରାଜନେତା, ପ୍ରଶାସନିକ ଅଧିକାରୀ ସଚେତନ ନଥିବା ବେଳେ ଏଥି ପ୍ରତି ସେଭଳି ଦୃଷ୍ଟି ଦିଆଯାଉ ନାହିଁ। ଯାହା ଫଳରେ ବଲାଙ୍ଗିର ଶିଶୁ ଶ୍ରମିକମାନଙ୍କ ପେଣ୍ଠସ୍ଥଳୀ ପାଲଟିବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

Comments are closed.