ନକଲି ସାର୍ଟିଫିକେଟ ଦେଇ ଚାକିରି ଘଟଣା: ପ୍ରଥମ ଦଫାରେ ୧୦ ହରାଇଲେ ଚାକିରି, ଆଗକୁ ଆହୁରି ଅନେକ

ଲମ୍ବା ଛୁଟିରେ ଥିବା ୧୦ଙ୍କୁ ସବୁଦିନିଆ ଛୁଟି,

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ନିଯୁକ୍ତି ପାଇଥିବା ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ ଦୃଢ କାର୍ୟ୍ୟାନୁଷ୍ଠାନ ନେଇସାରିଛି। ନକଲି ଶିକ୍ଷକତା ଯୋଗ୍ୟତା ପ୍ରମାଣପତ୍ର ଦେଇଥିବା ୧୦ ଜଣଙ୍କୁ ଶିକ୍ଷାବିଭାଗ ବହିଷ୍କାର କରିଥିବା ବେଳେ କିଛିଙ୍କ ନାମରେ ଥାନାରେ ମାମଲା ମଧ୍ୟ ହୋଇସାରିଛି। ତେବେ ଏହା କେବଳ ଆରମ୍ଭ ମାତ୍ର। ପରବର୍ତ୍ତୀ ସମୟରେ ଆହୁରି ଅନେକ ନକଲି ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିକା ମଧ୍ୟ ଆସିବ ବୋଲି ଶିକ୍ଷା ବିଭାଗ ସୂଚନା ଦେଇଛି। ୪୯ଟି ବିଶ୍ୱବିଦ୍ୟାଳୟର ୫୩୦ ସାର୍ଟିଫିକେଟ ଯାଞ୍ଚ ପାଇଁ ବଲାଙ୍ଗିର ଶିକ୍ଷା ବିଭାଗ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଆଗକୁ ଏହି ତାଳିକା ଲମ୍ବିବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ତେବେ ଏହିଭଳି ଏକ ବଡ ଧରଣର ଜାଲ୍ କାରବାର ପଛରେ ଏକ ରାକେଟ କାମ କରୁଥିବା ବେଳେ କାରବାର ପଛର ଅସଲ ନାୟକ କିଏ ? ତାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି।
ବିଭାଗୀୟ ସୂଚନା ଅନୁସାରେ ବଲାଙ୍ଗିର ଜିଲାରେ ୨୦୧୩ ମସିହା ପରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ରାଜ୍ୟସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ କିଛି ମାସ ତଲେ ସାତ ଦିନ ଧରି ଜିଲାସ୍ତରୀୟ ଯାଞ୍ଚ ପ୍ରକ୍ରିୟା ମଧ୍ୟ କରାଯାଇଥିଲା। ୨୦୧୩ ବର୍ଷ ପରେ ଜିଲାରେ ୨୦୧୨ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇବା ପରେ ୧୯୮୫ ଜଣ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇ ନିଜ ପ୍ରମାଣପତ୍ର ଯାଞ୍ଚ କରାଇଥିଲେ। ଏହି ଯାଞ୍ଚ ପ୍ରକ୍ରିୟାରେ ୨୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଥିଲେ। ଏଥିରୁ ୬ ଜଣ ଶିକ୍ଷୟତ୍ରୀ ପ୍ରସବକାଳୀନ ଛୁଟିରେ ରହିଥିବା ବେଳେ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିକ୍ଷୟତ୍ରୀଙ୍କ ଯୋଗଦାନ ପରେ ତାଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ ବୋଲି ଜଣାପଡିଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଯାଞ୍ଚ ପ୍ରକ୍ରିୟାରେ ୫୦୮ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ରହିଥିବା ବେଳେ ୫୩୦ଟି ସାଟିଫିକେଟ ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ମିଲିଛି। ୪୯ଟି ଶିକ୍ଷକ ତାଲିମ ବିଶ୍ୱବିଦ୍ୟାଳୟ କୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଆବେଦନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୧ଟି ବିଶ୍ୱବିଦ୍ୟାଳୟ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରୁ ଗୈାହାଟୀ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ଜାଲ ବୋଲି ଜଣାପଡିଛି। ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ବେଳେ ପ୍ରଥମ ଦଫାରେ ୧୦ ଜଣଙ୍କୁ ବହିଷ୍କାର କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି।

ତେବେ ଅନ୍ୟ ବିଶ୍ୱବିଦ୍ୟାଳୟର ରିପୋର୍ଟ ଆସିବା ପରେ ଏହି ତାଳିକା ଆହୁରୀ ଲମ୍ବା ହୋଇପାରେ ବୋଲି ସୂଚନା ମିଲିଛି। ତେବେ ଯାଞ୍ଚ ପ୍ରକ୍ରିୟାରେ ଅନୁପସ୍ଥିତ ଥିବା ୨୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରୁ କିଛି ଲମ୍ବା ଛୁଟିରେ ରହିଥିବା ବେଳେ ଆଉ କିଛି ଅନ୍ୟ ଜିଲାକୁ ବଦଳି ହୋଇସାରିଥିବା ଜଣାପଡିଛି। ତେବେ ଏହି ୨୧ ଜଣଙ୍କ ମଧ୍ୟରୁ ବିନା ସୂଚନାରେ ଦୀର୍ଘ ଦିନ ହେଲା ଛୁଟିରେ ଥିବା ୧୦ ଜଣଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି। ଜାଲ୍ ଶିକ୍ଷକତା ଯୋଗ୍ୟତା ସାର୍ଟିଫିକେଟ ଦେଇ ବର୍ଷ ବର୍ଷ ଧରି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଚାକିରୀ କରି ସରକାରଙ୍କ ଠାରୁ ମୋଟାଅଙ୍କର ଦରମା ନେଇସାରିଛନ୍ତି। ଏତେବଡ କାରସାଦି ପଛରେ କିଏ ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି। ନକଳି ସାଟିଫିକେଟ କାରବାରର ଏକ ବଡ ରାକେଟ ବଲାଙ୍ଗିରରେ ମଧ୍ୟ ସକ୍ରୀୟ ରହିଥିବା ଅଭିଯୋଗ ହୋଇଛି। ତେବେ ନିଯୁକ୍ତି ପ୍ରଦାନ ସମୟରେ ହୋଇଥିବା ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ କେମିତି ଏହି ସାର୍ଟିଫିକେଟ ନକଲି ବୋଲି ବିଭାଗ ଜାଣିପାରିଲାନାହିଁ ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହିଷ୍କାର ହୋଇଥିବା ଏହି ୧୦ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କ ନାଁରେ ସଂପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ମାନେ ଥାନାରେ ମାମଲା ହୋଇଛି। ତେବେ ଜାଳ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.