ବଲାଙ୍ଗୀର ଜଙ୍ଗଲରେ ମାଫିଆ ରାଜ: ରାତି ଅଧରେ ଜଙ୍ଗଲରୁ ଚାଲାଣ ହେଉଛି ମୂଲ୍ୟବାନ କାଠ

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ଦିନକୁ ଦିନ ବଢିବାରେ ଲାଗିଛି ବହୁମୂଲ୍ୟ ଗଛର ଚୋରା ଚାଲାଣ। ରାତିଅଧରେ କାଠ ମାଫିଆମାନେ ଗଛ କାଟି ଚାଲାଣ କରୁଥିବା ବେଳେ ଏନେଇ ବନ ବିଭାଗ ଅଧିକାରୀଙ୍କ ସମ୍ମତି ରହୁଥିବା ଅଭିଯୋଗ ହୋଇଛି। ଗାଁରୁ ଗଛ କଟି ସହରକୁ ଚାଲାଣ ହେଉଛି।ଚାଲାଣ ପରେ ନିର୍ମାଣ ହେଉଥିବା ଘର ପାଇଁ ସାମଗ୍ରୀ ତିଆରି ହେଉଛି। ସାମଗ୍ରୀ ତିଆରି ହେବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଏହିଭଳି ଭାବେ ବନ ବିଭାଗର ଏକ ଗୋଲକ ଧନ୍ଦା ବଲାଙ୍ଗିର ଜିଲାରେ ଚାଲିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ଜିଲା ବନ ଅଧିକାରୀ। ମୁଖ୍ୟତଃ ଦେଓଗାଁ ଓ ଲୋଇସିଂହା ରେଞ୍ଜରୁ ବଲାଙ୍ଗିର ସହରକୁ ଶାଗୁଆନ,ରେଙ୍ଗାଲ କାଠ ଚାଲାଣ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
ବଲାଙ୍ଗିର ଜିଲାକୁ ଲାଗି ରହିଥିଲା ସୁପରିବେଷ୍ଟିତ ଘଞ୍ଚ ଜଙ୍ଗଳ। ବଲାଙ୍ଗିର ସହର ଚାରିପଟେ ଲୋଇସିଂହା, ଦେଓଗାଁ ଓ ସଦର ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଘେରି ରହିଥିବା ବେଳେ ଏହି ଜଙ୍ଗଲ ଭିତରେ ଅନେକ ମୂଲ୍ୟବାନ ଗଛ ରହିଥିଲା। କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ଜଙ୍ଗଲ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିବା ଅଭିଯୋଗ ହୋଇଛି। ନିୟମିତ ଭାବେ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ ଉଭାନ ହେବାରେ ଲାଗିଥିବା ବେଳେ ବନ ବିଭାଗ ଏହାକୁ ରୋକିବାରେ ବିଫଳ ହୋଇଛି। ବଲାଙ୍ଗିର ସହରକୁ ଲାଗିରହିଥିବା ଦେଓଗାଁ ଓ ଲୋଇସିଂହା ରେଞ୍ଜ ଅଞ୍ଚଳରୁ ପ୍ରତ୍ୟହ ବିପୁଳ ପରିମାଣର ଶାଗୁଆନ ଓ ରେଙ୍ଗାଲ ଗଛ କଟି ଚାଲାଣ ହେଉଥିବା ସୂଚନା ରହିଛି। ରାତି ଅଧରେ ଏହି ରେଞ୍ଜରେ ଥିବା ଜଙ୍ଗଲ ଭିତରେ ମାଫିଆମାନେ ଗଛ କାଟି ରାତାରତି ପୁଣି ତାକୁ ସହରକୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ବଲାଙ୍ଗିରରେ ନିର୍ମାଣ ହେଉଥିବା ବଡ ବଡ କୋଠା, ଫ୍ଲାଟରେ କବାଟ, ଝରକା ତିଆରି କରିବା ପାଇଁ ଏହି କାଠ ସବୁ ବ୍ୟବହାର ହେଉଥିବା ବେଳେ ତିଆରି ସରିବା ପରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ କରାଯାଉଥିବା ଜଣାପଡିଛି। ଫଳରେ ବନ ବିଭାଗ କେବଳ ତିଆରି ସରିଥିବା ସାମଗ୍ରୀ ଜବତ କରି କିଛି ବଢିଆଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଏହି ଦୁଇ ରେଞ୍ଜରେ ଅଧିକାରୀଙ୍କ ଜାଣତରେ ଏହି ସବୁ କାରବାର ଚାଲୁଥିବା ବେଳେ ଦୈନିକ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ କରାଯାଉଛି। ଲୋଇସିଂହାରେ ଥିବା ଜନୈକ କାଠମାଫିଆ ପ୍ରତ୍ୟହ ବଲାଙ୍ଗିର ସହରକୁ ଚୋରାଚାଲାଣ କରୁଥିବା ବେଳେ ଏକାଧିକ ଥର ବନ ବିଭାଗ ସଂପୃକ୍ତ ମାଫିଆକୁ ଗିରଫ କରିଛି। କିନ୍ତୁ ଏବେ ବି ଏହି କାରବାର ଚାଲୁଥିବା ଜଣାପଡିଛି। ସେହିପରି ଦେଓଗାଁ ଫରେଷ୍ଟ ରେଞ୍ଜରେ ଗାଁ ଗାଁରେ କାଠ ମାଫିଆମାନେ ରହିଥିବା ବେଳେ ସଞ୍ଜ ନଇଁଲେ ସେମାନେ ଜଙ୍ଗଲ ଭିତରୁ ବଡ ବଡ ମୂଲ୍ୟବାନ ଗଛ କାଟି ଚାରିଚକିଆ ଗାଡିରେ ଲୋଡ କରି ସହରକୁ ଆଣୁଛନ୍ତି। ଏହି ଚୋରା କାରବାରରେ ବନ ବିଭାଗ କର୍ମଚାରୀମାନଙ୍କ ସଂପୃକ୍ତି ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେମାନେ ମଧ୍ୟ ଜାଣିଶୁଣି ଚୁପ ରହୁଥିବା ପ୍ରକାଶ କରିଛନ୍ତି। ଏମିତିରେ ଏହି ରେଞ୍ଜ ଅଧୀନରେ ଥିବା ଜଙ୍ଗଲଗୁଡିକ ଶ୍ରୀହିନ ହୋଇପଡୁଥିବା ବେଳେ ଏହାକୁ ରୋକିବାରେ ଜିଲା ବନ ବିଭାଗ ମଧ୍ୟ ଫେଲ ମାରିଛି।

Comments are closed.