‘ପ୍ରକୃତରେ ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର’: ନରସିଂହ ମିଶ୍ର

ବଲାଙ୍ଗୀର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବଲାଙ୍ଗୀର ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ପ୍ରଥମ ଜିଲାସ୍ତରୀୟ ପୁସ୍ତକ ମେଳା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ଠାରୁ ଆସନ୍ତା ୧୯ ତାରିଖ ଯାଏଁ ଦୀର୍ଘ ୫ ଦିନ ଧରି ହେବାକୁ ଥିବା ଏହି ପୁସ୍ତକ ମେଳାକୁ ସଫଳ କରିବା ପାଇଁ ଉଦଘାଟନୀ ଅବସରରେ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ। ପରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ୟ୍ୟରେ ବରେଣ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର,ବକ୍ତା ଭାବେ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦଗାତା ଓ ପ୍ରଫେସର ମଧୁସୂଦନ ପତି ଅତିଥି ଭାବେ ଯୋଗ ଦେଇଥିଲେ। ଉଦଘାଟନୀ ସନ୍ଧ୍ୟାର ବରେଣ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ପ୍ରକୃତରେ ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ମଣିଷ ଏହାର ସଦ ଉପଯୋଗ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। କାର୍ୟ୍ୟକ୍ରମକୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବା ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ ଜିଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ପ୍ରଦାନ କରିଥିଲେ। ସଭା ପରେ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଗୋପାଳ ପ୍ରଧାନ ପରିଚାଳନା କରିଥିଲେ।

Comments are closed.