ରାସିଂହାରେ ବାହାଲଭଟା ଫାଟି ଆଁ

ଟିଟିଲାଗଡ଼ : ସମ୍ପ୍ରତି କରୋନା ମହାମାରୀ ସମୟରେ ଗୋଟିଏ ପଟରେ କାଳିଆ ଟଙ୍କା ଖାଇଛ ଶୀଘ୍ର ଫେରାଅ ବୋଲି ସରକାରଙ୍କ ନାଲି ଆଖି ଦେଖି ଚାଷୀକୂଳ ପ୍ରମାଦ ଗଣିଲେଣି। ଅନ୍ୟପଟରେ ଆକାଶରେ ଟାଇଁଟାଇଁ ଖରା ଚାଷୀକୂଳର ହୋସ ଉଡାଇଦେଇଛି। ଟିଟିଲାଗଡ ବ୍ଲକ ଅଞ୍ଚଳର ସର୍ବବୃହତ ମାଥନପଲା ଡ୍ୟାମ୍ କେନାଲ ତଳି ତରାସିଂହା ଅଞ୍ଚଳରେ ଚାଷୀଙ୍କ ବାହାଲ, ଭଟା, ଆନ୍ଟ ଚାଷ ଜମି ଫାଟି ଆଁ କଲାଣି। ଦୀର୍ଘ ଦିନ ଧରି ବର୍ଷାର ଦେଖା ନଥିବା ବେଳେ ଋଆ ବିହୁଡା କାର୍ଯ୍ୟ ସରିପାରୁନଥିବା ନେଇ ଚାଷୀ ମହଲରେ ହାହାକାର ଛାଡିଲାଣି। ଏପରିକ୍ଷେତ୍ରରେ ମାଥନପଲା ଡ୍ୟାମରୁ ପାଣି ଆଶାରେ ରହିଥିବା ଚାଷୀଙ୍କ ପାଇଁ ଉଜୁଡା କେନାଲ ଦାଉ ସାଧିଛି। ଅନାବନା ଘାସ, ଘଞ୍ଚ ବୁଦା, ମାଟି ଢେଲାରେ କେନାଲର ଅସ୍ତିତ୍ୱ ନଥିବା ପରିଲ୍ଲଖିତ ହେଉଛି। କେହି ଭଲ କରି ନ ଠଉରାଇଲେ କେନାଲ ଅଛି ବୋଲି ଜାଣି ପାରିବେନି। ଏପରିପ୍ରେକ୍ଷୀରେ କେନାଲରେ ପାଣି ଆସିବା ଚାଷୀଙ୍କ ଭାଗ୍ୟକୁ ଦୁଃସ୍ୱପ୍ନ ପ୍ରାୟ ହୋଇପଡିଛି। ଏନେଇ ଶଙ୍କାଗ୍ରସ୍ତ ଚାଷୀ କେନାଲ ସହ ଦାୟିତ୍ୱରେ ଯନ୍ତ୍ରୀ ଅଧିକାରୀ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି। ବର୍ଷକୁ ବର୍ଷ କେନାଲ ସଫା ନାମରେ ଟଙ୍କା ଖାଇ ଅଧିକାରୀ ଯନ୍ତ୍ରୀ ଚାଷୀଙ୍କ ଦୁର୍ଦ୍ଦିନରେ ଲୁଚି ବସିଥିବା ଅଭିଯୋଗ ହୋଇଛି। ଆଜି ନୁହେଁ ବର୍ଷ ବର୍ଷ ଧରି ଚାଷୀ ଉଜୁଡା କେନାଲ ନେଇ ବର୍ଷା ଭରସାରେ ଚାଷ କାର୍ଯ୍ୟ କରୁଛନ୍ତି। ବର୍ଷାଭାବ ହେଲେ ମରୁଡିର ସମ୍ମୁଖିନ ହୋଇଚାଲିଛନ୍ତି। କେନାଲ ସବୁ ଜାମ୍ ନେଇ ଥଳକୂଳ ପାଉନଥିବା ଡ୍ୟାମ ପାଣି ସରପ୍ଲସ ବାଟ ଦେଇ ବାହାରି ସିଧାସଳଖ ତେଲନଦୀ ଗର୍ଭରେ ବିଲିନ ହେଉଛି ହେଲେ ଚାଷୀଙ୍କ ଭାଗକୁ ଟୋପେ ମିଳୁନାହିଁ। ଅନ୍ୟପକ୍ଷରେ ନିର୍ବାଚନ ସମୟରେ ଶାସକ, ବିରୋଧି ନେତା ମନ୍ତ୍ରୀ ଏନେଇ ପ୍ରତିଶ୍ରୁତି ପରେ ନିର୍ବାଚନ ସରିଲେ ଆଉ ଦେଖା ଦେଉନଥିବା ବୋଲି ଚାଷୀଙ୍କ ରୋଷ ଦ୍ୱିଗୁଣିତ ହୋଇଛି। ଏଅଂଚଳକୁ କୃଷିର ବିକାଶ ପାଇଁ ଆସୁଥିବା ଟଙ୍କା ଯନ୍ତ୍ରୀ ଅଧିକାରୀ ଉଦରସ୍ଥ କରିଚାଲିଥିବା ବିଜେପୁର ସରପଞ୍ଚ ପ୍ରତିନିଧି ସୁବାଶ ମହାନନ୍ଦ, ଚାଷୀ ଘନଶ୍ୟାମ ରଣା, ଅଭିରାମ ବଗର୍ତି, ଲକ୍ଷ୍ମଣ ରଣା, ବିର ରଣା, ଖେଣ ପୋଢ, ଗୋକୁଲ ରଣା, ସନ୍ତୋଷ ରଣା, ଗଣେଶ ରଣା, ଇନ୍ଦ୍ର ଚନ୍ଦନ, କୃଷ୍ଣ ରଣା, ଚୈତନ୍ୟ ଭୋଇ ମହିନ୍ଦ୍ର ଝାଙ୍କର, ହଂସରାଜ ବେହେରା, କପୁରଚନ୍ଦ ମନହିରା ପ୍ରମୁଖ ଅଭିଯୋଗ କରିଛନ୍ତି। ପାଣି ଅଭାବ ନେଇ ଅଦ୍ୟାବଧି ଋଆବିହୁଡା ବାକି ରହିଥିବା ବେଳେ ଋଆ ଜମିରେ ଜମି ଫାଟି ପହ୍ଲା ଧାନ ମରିବା ଆଶଙ୍କା ଦେଖାଦେଲାଣି। ସେହିପରି ଡ୍ୟାମ ତଳି ଅଂଚଳ ରିଗଡୁଲ ଗ୍ରାମର ରବିଚନ୍ଦ୍ର ରଣା, ସୁରେନ୍ଦ୍ର ରଣା, ଘାସିରାମ ରଣା, ଯୁଜେଷ୍ଟି ଭରାସାଗର, ଜଗତରାମ ଭରାସାଗର, ଶୁକମୁନି ଭରାସାଗର, ଗରୁଡ ଭରାସାଗର, ଦେବ ଧରୁଆ, ରାମେଶ୍ୱର ଧରୁଆ ପ୍ରମୁଖ ଅନେକ ଚାଷୀଙ୍କ କେନାଲ କଡ ଜମି ଫସଲ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ ବୋଲି ଅଭିଯୋଗ ହୋଇଛି। ଏନେଇ ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଏସ. ପରିଡାଙ୍କୁ ଯୋଗାଯୋଗ କରିବାରୁ ପାଣି ପଂଚାୟତଗୁଡିକୁ କେନାଲ ସଫା କରିବା ପାଇଁ ଗୁଡାଏ ଟଙ୍କା ଦିଆଯାଉଛି। ଖର୍ଚ୍ଚ କାହିଁକି କରୁନାହାନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଏନେଇ ପାଣି ପଂଚାୟତ ସଭାପତି ବିକାଶ ପାଣିଗ୍ରାହୀ କମ ଟଙ୍କାରେ ପ୍ରାୟ ୨୦/୨୫ କିଲୋମିଟର କେନାଲ ସଫା କାମ କିଭଳି ହେବ ବୋଲି କହିଛନ୍ତି। ବାରମ୍ବାର ପାଣି ପଂଚାୟତ ପକ୍ଷରୁ କେନାଲ ଦୁଇ କଡ ଲାଇନିଂ ସହ କଂକ୍ରିଟ କରିବା ପାଇଁ ପ୍ରସ୍ତାବ ପଠାଯାଉଛି। ହେଲେ ବିଭାଗ ପକ୍ଷରୁ କେନାଲ ସୁଦୃଢ କାର୍ଯ୍ୟ ନକରି କୋଟିକୋଟି ଟଙ୍କାରେ କେନାଲ କଡ ରାସ୍ତା ନିର୍ମାଣ କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜ ମନକୁ ମନ କାଳିଆ ସହାୟତା ଆଦି ପ୍ରଦାନ ବଦଳରେ ଫସଲ ରକ୍ଷା ପାଇଁ ଚାଷ ଜମିକୁ ତୁରନ୍ତ ପାଣି ଯୋଗାଇଦେବା ବ୍ୟବସ୍ଥା କରିବାକୁ ଚାଷୀ ଦାବି କରିଛନ୍ତି।

Comments are closed.