ଭିନ୍ନ ନିଶା ଓ ପେଶା; ଗଜଲ ପାଇଁ ସୀତାରାମରୁ ‘ଶଲୀଲ’

ବଲାଙ୍ଗିର : ’ଆଜ୍‍ କଲ୍‍ ଦିଲ୍‍ ବୁଝା ବୁଝାସା ଲଗେ…ୱୋ ଭି ତୋ କୁଛ ଖପା ଖପାସା ଲଗେ….ଜାନେ ୟେ ଦୌର୍‍ ଆଗେୟା କୈସେ? ହରକୋଇ ଅବ ଡରା ଡରାସା ଲଗେ…ୟାଦ୍‍ ଯବ୍‍ ଭି ଶଲୀଲ ୱ ଆୟେ….ବେ ବଜାହ୍‍ ଦିଲ୍‍ ଭରା ଭରସା ଲଗେ।’ ବାପା-ମା ନାଁ ଦେଇଥିଲେ ସୀତାରାମ। ସାୟରୀ, ଗଜଲରେ ନାଁ ପରିବର୍ତ୍ତନ ପରମ୍ପରା ରହିଛି। ସେହି ଅନୁସାରେ ଗଜଲ ଲେଖନୀ ପାଇଁ ବଦଳି ଯାଇଛି ନାଁ। ଗଜଲ ଦୁନିଆ ପାଇଁ ସୀତାରାମଙ୍କ ପରିଚୟ ‘ଶଲୀଲ’।
ବଲାଙ୍ଗିର ସାଗରପଡ଼ାରେ ସ୍ତ୍ରୀ ଚପଳା ଓ ଝିଅ ଶାସ୍ୱତୀଙ୍କ ସହ ରୁହନ୍ତି ଶଲୀଲ ଓରଫ ସୀତାରାମ ଶତପଥୀ। ସର୍କିଟ୍‍ ହାଉସ୍‍ ରୋଡ୍‌ରେ ଔଷଧ ଦୋକାନ କରିଛନ୍ତି ସେ। ରାଜେନ୍ଦ୍ର କଲେଜରେ ପଢିବା ବେଳୁ ଗଜଲ ପ୍ରତି ତାଙ୍କର ସଉକ। ଫିଲ୍ମୀ ଗୀତ ଶୁଣୁଥିଲେ ବି ଗଜଲ ପ୍ରତି ବିଶେଷ ଆଗ୍ରହ ରହିଥିଲା। ନିଜ ପକେଟ ଖର୍ଚ୍ଚରୁ ସେ ଗଜଲ କ୍ୟାସେଟ୍ କିଣି ଶୁଣୁଥିଲେ। ନିଜେ ବି କିଛି କିଛି ଲେଖୁଥିଲି। ତେବେ ୪/୫ ବର୍ଷ ତଳେ ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ଗଜଲ ଲେଖକ ତଥା ଗାୟକଙ୍କ ସହ ତାଙ୍କ ସଂପର୍କ ହୋଇଥିଲା। ଲଣ୍ଡନରେ ରହୁଥିବା ରୂପ ସାଗରଙ୍କ ସହ ସେ କଥାବାର୍ତ୍ତା କଲେ। ଗଜଲ ପ୍ରତି ରୁଚି ରହିଥିବା ଜଣାଇଲେ ଶ୍ରୀ ସାଗରଙ୍କୁ। ଆଉ ତା’ ପରେ ସୀତାରାମଙ୍କ ପରାମର୍ଶଦାତା ସାଜିଥିଲେ ଶ୍ରୀ ସାଗର। ମନଇଚ୍ଛା ଗଜଲ ଲେଖି ହେବ ନାହିଁ। ଗଜଲ ଲେଖିବାର ଏକ ଫର୍ମାଟ(ଶୈଳୀ) ବୁଝାଇଲେ। ଶ୍ରୀ ସାଗରଙ୍କ ପରାମର୍ଶରେ ବହି କିଣି ଗଜଲ ଲେଖିବାର ଶୈଳୀ ଶିଖିଲି। ଅଭ୍ୟାସ କରୁ କରୁ ଅନେକ ଶିଖିବାକୁ ମିଳିଛି। ବର୍ଷେ, ଦେଢ ବର୍ଷ ହେଲା ତାଙ୍କ ଗଜଲ ଲେଖନୀର ଧାରା ବଦଳି ଯାଇଥିବା କହନ୍ତି ସୀତାରାମ ଓରଫ ଶଲୀଲ। ନିକଟରେ ‘ତୁମ୍‍ହାରି ମହୋବତ୍‍ ଅଗର ସାଥ୍‍ ହୋଗୀ…ଗମୋଁ ସେ କାହାଁ ଫିର୍‍ ମୁଲାକାତା ହୋଗୀ….’ ଗଜଲ ବେଶ ପରିଚୟ ଦେଇଛି ତାଙ୍କୁ। ଓଡ଼ିଶାର ଜଣାଶୁଣା ସୁବାସ ପଣ୍ଡାଙ୍କ ସ୍ୱର ସଂଯୋଜନାରେ ଜଣାଶୁଣା ଗଜଲ ଗାୟିକା ଅପର୍ଣ୍ଣା ତ୍ରିପାଠୀ ଗାଇଛନ୍ତି। ଏହି ଗଜଲକୁ ଏବେ ଅନେକ ଶ୍ରେତାଙ୍କ ହୃଦୟକୁ ଛୁଇଁଛି।
ହିନ୍ଦୀ, ଉର୍ଦ୍ଦୁର ଅଂଶ ବିଶେଷ ଗଜଲ। ମାତୃଭାଷା ସହ ଗଜଲର ଭାଷାଗତ ସମସ୍ୟା ରହିଛି। ଗୋଟିଏ ଶବ୍ଦକୁ ଉର୍ଦ୍ଦୁରେ କ’ଣ କୁହାଯାଏ, ତାହା ବୁଝିବା ପ୍ରଥମେ ସମସ୍ୟା ହେଉଥିଲା ଶଲୀଲଙ୍କ ପାଇଁ। ଗଜଲ ଲେଖିବା ପରେ ସେ ତାକୁ ପରାମର୍ଶଦାତା ଶ୍ରୀ ସାଗରଙ୍କ ପାଖକୁ ପଠାନ୍ତି। ବ୍ୟାକରଣ ଠିକ୍‍ ଅଛି କି ନାହିଁ ତାହା ଦେଖନ୍ତି ସେ। ଗଜଲ ଲେଖିବା ପାଇଁ ଉର୍ଦ୍ଦୁ ଜାଣିବା ଜରୁରୀ ନୁହେଁ, ହିନ୍ଦୀରେ ଲେଖିହେବ ବୋଲି କହନ୍ତି ଶଲୀଲ। ବହୁତ ଲୋକ ହିନ୍ଦୀରେ ଲେଖୁଛନ୍ତି। କିନ୍ତୁ ଗଜଲ ଲେଖିବା ବେଳେ ଉର୍ଦ୍ଦୁ ଉପରେ ସାଧାରଣ ଜ୍ଞାନ ରହିବା ଦରକାର କହନ୍ତି ଶଲୀଲ। ମୂଳତଃ ଗଜଲ ପରମ୍ପରା ପାକିସ୍ତାନରୁ ଆସିଥିବା କୁହାଯାଏ। ତେବେ ଭାରତରୁ ହିଁ ଗଜଲର ଆରମ୍ଭ। ଆମିର ଖୁସ୍ରୁ ହିଁ ଗଜଲ ଟ୍ରେଣ୍ଡକୁ ଲୋକପ୍ରିୟ କରିଥିଲେ। ବହୁତ ସାୟର୍‍ ଅଛନ୍ତି…ଗାଲିବ ହେଉଛନ୍ତି ଗଜଲ ଓ ସାୟରଙ୍କ ମୁକୁଟ। ରୂପ ସାଗର, ଗୁଲଜାର, ସ୍ୱର୍ଗତ ରାହତ ଇନ୍ଦୋରୀ, ୱାସିର ଭଦୁର ଶଲୀଲଙ୍କ ପସନ୍ଦର ଗଜଲ ଲେଖକ।
ବଲାଙ୍ଗିର କାହିକି, ଓଡ଼ିଶାରେ ଗଜଲର ଚଳଣି ସେଭଳି ଖାସ୍‍ ନୁହେଁ। ଫିଲ୍ମ ଗୀତ ଶୁଣନ୍ତୁ। କିନ୍ତୁ ଯୁବ ପୀଢିକୁ ଅନୁରୋଧ, ଗଜଲ ଉପରେ ନିହାତି ଧ୍ୟାନ ଦିଅନ୍ତୁ। ଗଜଲରେ ନିଜ କାହାଣୀ ଅନୁଭବ ହେବ ବୋଲି ଶଲୀଲଙ୍କ ମତ। ତାଙ୍କ ଲିଖିତ ସାୟରୀକୁ ଆଲବମ୍‍ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକାରେ ରହୁଥିବା ଗଜଲ ଗାୟକ ଯତିନ୍ଦର ଶର୍ମା। ମୋ ଗୀତ ବହୁ ଲୋକ ଶୁଣିଛନ୍ତି ଓ ଦେଖିଛନ୍ତି। ଯାହାକି ବହୁତ ପ୍ରେରଣା ଦେଉଛି। ଜଣେ ଶିଖିବା ପାଇଁ, ଗଜଲକୁ ଜାଣିବା ପାଇଁ ଚାହିବ ତାକୁ ରାସ୍ତା ମିଳିଯିବ କହନ୍ତି ସୀତାରାମ ଓରଫ ଶଲୀଲ।

Comments are closed.