ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରତୀକ୍ଷାର ଅନ୍ତନାହିଁ, ଗଡୁନି ବିଛୁପାଲି ଟ୍ରେନ

ବଲାଙ୍ଗିର: ପଶ୍ଚିମ ଓଡିଶାର ଏମିତି ଅନେକ ଜିଲା ରହିଛି ଯେଉଁଠି ରେଳ ଗଡିବା ଦୂରେ ଥାଉ ଆଜି ଯାଏଁ ରେଳଲାଇନ ପଡିନି। ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡିଶାର ଲୋକଙ୍କୁ ସିଧାସଲଖ ରାଜ୍ୟ ରାଜଧାନୀ ସହ ଯୋଡିବାକୁ ଯୋଜନା ହୋଇଥିଲା। ଆଉ ପ୍ରକଳ୍ପ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ। ଏହି ପ୍ରକଳ୍ପ ଅନେକ ଲୋକଙ୍କ ସ୍ୱପ୍ନ ହୋଇଥିବା ବେଳେ ଦଶନ୍ଧି ପରେ ଦଶନ୍ଧି ଗଡୁଥିଲେ ହେଁ ଶେଷ ହେବାର ନା ଧରୁନାହିଁ। ବଲଙ୍ଗିର ଜିଲା ଗସ୍ତକୁ ଆଜି ପ୍ରଧାନମନ୍ତ୍ରୀଙ୍କ ତିନି ବର୍ଷର ଗସ୍ତ ପୂର୍ତ୍ତି ହୋଇଛି। ଗତ ୨୦୧୯ ମସିହା ଜାନୁଆରୀ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଜିଲାଗସ୍ତରେ ଆସି ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣଧୀନ ରେଳ ପ୍ରକଳ୍ପର ବଲାଙ୍ଗିର ପଟୁ ବିଛୁପାଲି ପର୍ଯ୍ୟନ୍ତ ୧୬.୫ କିମି ରେଳ ର ରେଳ ଚଳାଚଳ ଲୋକାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପରେ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣଧୀନ ରେଳ ପଥ ସଂଲଗ୍ନ ଜିଲା ଜନସାଧାରଣଙ୍କ ଭିତରେ ଅଶା ଓ ଉତ୍ସାହ ଦେଖାଦେଇଥିଲା। କାରଣ ୧୯୯୩-୯୪ ମସିହାରେ ଏହି ରେଳ ପଥ ମଞ୍ଜୁରୀପ୍ରାପ୍ତ ହେଲା ପରେ ଏହି ମନ୍ଥର ନିର୍ମାଣ ଗତିକୁ ନେଇ ଓଡିଶାରେ ଅନେକ ଚର୍ଚ୍ଚା ହୋଇଛି। ଏହି ରେଳପଥ ସମ୍ପୁର୍ଣ୍ଣ ହେଲେ ବଲାଙ୍ଗିର ଜିଲା ସମେତ ସୋନପୁର,ବୌଦ୍ଧ,କନ୍ଧମାଳ,ନୟାଗଡ ଜିଲାକୁ ଏକାଧାରାରେ ଯୋଡା ଯାଇପାରିବ। ଏହି ଜିଲାମାନଙ୍କରେ ରେଳ ଚଳାଚଳ ହେଲେ ଗମନାଗମନ ସୁବିଧା ବଢିବା ସାଙ୍ଗକୁ ଲୋକେ ରୋଜଗାରକ୍ଷମ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବେ। ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣର ମନ୍ଥର ଗତିକୁ ନେଇ କଟାକ୍ଷ କରି ଇତିହାସ ବହିରେ ଏହାକୁ ସ୍ଥାନିତ କରାଯିବ ବୋଲି ଏକଦା ମତ ପ୍ରକାଶ କରିଥିଲେ।
କାର୍ଯ୍ୟକାରୀ ହୋଇନି ରାଜିନାମା
୨୦୧୫ ମସିହାରେ ଏହି ରେଳ ପଥ ସଂଯୋଗ କରୁଥିବା ଜିଲାମାନଙ୍କର ଜନସାଧାରଣଙ୍କର ଭାବାବେଗକୁ ଦେଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଗେଇ ଆସିଥିଲେ। ଏହାର ନିର୍ମାଣ କାର୍ଯ୍ୟକୁ ତୀବ୍ରତର କରିବା ପାଇଁ ଏକ ରାଜିନାମା ଏକ ରାଜିନାମା ୨୦୧୫ ମସିହା ଜୁଲାଇ ୧୫ ତାରିଖରେ ସ୍ୱାକ୍ଷରିତ ହୋଇଥିଲା। ଏହି ରାଜିନାମାକୁ ଦେଶର ଏକ ଉଦାହରଣୀୟ ପଦକ୍ଷେପ ବୋଲି ରାଜ୍ୟ ସରକାର ଡିଣ୍ଡିମ ପଟିଥିଲେ। ରାଜିନାମାର ସମୟ ଅବଧି ୬ ବର୍ଷ ଥିବା ବେଳେ ଏହାରି ମଧ୍ୟରେ ଉକ୍ତ ରାଜିନାମା ଶେଷ ହୋଇଯାଇଛି। କିନ୍ତୁ ରାଜିନାମା ଅନୁଯାୟୀ ୫୦-୫୦ ପ୍ରତିଶତ ଲେଖାଏଁ ଅର୍ଥ ଖର୍ଚ୍ଚ କରାଯାଇ ନାହିଁ କି ମାଗଣାରେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଜମି ହସ୍ତାନ୍ତର ମଧ୍ୟ କରିନାହାନ୍ତି। ରାଜିନାମାର କୌଣସି ଅଂଶକୁ ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇ ପାରି ନାହିଁ।
ରାଜିନାମା ଅନୁଯାୟୀ, ରେଳ ପଥରେ ଖୋର୍ଦ୍ଧା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ରେଳ ପଥ କାର୍ଯ୍ୟକ୍ଷମ ହେବା କଥା। ନିର୍ମାଣଧୀନ ରେଳ ପଥର ୧୧୨ କିମି ପଏଣ୍ଟ ତଥା ଦଶପଲ୍ଲାରୁ ୨୮୯ କିମି ପଏଣ୍ଟ ବଲାଙ୍ଗିର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବା କଥା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୬ ପଏଣ୍ଟ ୫ କିଲୋମିଟର ବଲାଙ୍ଗିର ରୁ ବିଛୁପାଲି ପର୍ଯ୍ୟନ୍ତ ଏଟ୍ରେନ ଚଳାଚଳ କରୁଛି। ଯାହାକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ୩ ବର୍ଷ ତଲେ ଲୋକାର୍ପଣ କରିଥିଲେ।
ଏହି ପ୍ରକଳ୍ପ ୨୦୦୦ ମସିହାରେ ଶେଷ ହେବାର ଥିଲା। କିନ୍ତୁ ପରେ ଏହା ୨୦୧୩ ମସିହାକୁ ଘୁଞ୍ଚି ଯାଇଥିଲା। ପରେ ୨୦୨୧ ମସିହାକୁ ଘୁଞ୍ଚେଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପୁଣି ୨୦୨୪ ମସିହା ଯାଏଁ ଘୁଞ୍ଚେଇ ଦିଆଯାଇଥିବା ଜଣାପଡିଛି।
ଜଙ୍ଗଲ ଜମିକୁ ମିଳିନି ମଞ୍ଜୁରୀ
ଏହି ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ମିଳୁନି। ଜଙ୍ଗଲ ଜମି ମଞ୍ଜୁରୀ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ। ଦୀର୍ଘ ୨୭ ବର୍ଷ ପରେ ଦୁଇ ସରକାର ଅର୍ଥାତ କେନ୍ଦ୍ର ଓ ରାଜ୍ୟ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଆଗେଇ ଆସିଥିବା ବେଳେ କେଉଁ କାରଣ ପାଇଁ ଜଙ୍ଗଲ ଜମିକୁ ମଞ୍ଜୁରୀ ମିଳିବାରେ ସମସ୍ୟା ହେଉଛି? ତାହା ରେଳ ବିଭାଗର ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିଛି।
୪ ଶହ କୋଟିରୁ ୪ ହଜାର କୋଟି
ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ୧୯୯୩-୯୪ ମସିହାରେ ନିର୍ମାଣ ପାଇଁ ମୂଳ ବଜେଟ୍ ୪ ଶହ କୋଟି ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୪ ହଜାର କୋଟିରୁ ଅଧିକ ବଜେଟ୍କୁ ପହଞ୍ଚିଗଲାଣି। ଗତ ବର୍ଷ ବଜେଟ୍ ଘୋଷଣାରେ ଏହି ରେଳ ପଥ ପାଇଁ ୧୦୫୦ କୋଟି ଟଙ୍କାର ଆର୍ଥରାଶି ଘୋଷଣା କରାଯାଇଥିଲା। କିନ୍ତୁ ଖର୍ଚ୍ଚ ହୋଇଛି ୨୦୦ ଶହ କୋଟିରୁ କମ।
ଗଡୁନି ବିଛୁପାଲି ଟ୍ରେନ
ଆଜକୁ ୩ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବଲାଙ୍ଗିର ପଟୁ ବିଛୁପାଲି ଯାଏଁ ବଲାଙ୍ଗିର-ବିଛୁପାଲି ଟ୍ରେନ ଲାଇନର ଶୁଭାରମ୍ଭ କରିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଟ୍ରେନ ଲାଇନରେ ଯେଉଁ ଟ୍ରେନ ଗଡୁଥିଲା ତାହା ଆଉ ଗଡୁନି। ବନ୍ଦ ହୋଇଯାଇଛି ବଲାଙ୍ଗିର-ବିଛୁପାଲି ଟ୍ରେନ। କରୋନାର ପ୍ରଥମ ଲହରରୁ ଏହାକୁ ବନ୍ଦ କରାଯାଇଥିବା ବେଳେ ଆଜି ଯାଏଁ ଗୋଟିଏ କିମି ମଧ୍ୟ ଗଡି ନାହିଁ। ଏହି ଲାଇନରେ ଆଦୌ ରେଳ ଚଳାଚଳ ହେଉନଥିବା ବେଳେ ବର୍ତ୍ତମାନ ସୁଦ୍ଧା ବନ୍ଦ କରି ରଖାଯାଇଛି ବୋଲି ବଲାଙ୍ଗିର ରେଳ ଷ୍ଟେସନର ବରିଷ୍ଠ ଷ୍ଟେସନ ମାଷ୍ଟର ସୁରେଶ ଚନ୍ଦ୍ର ଦାଶ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଉପରୁ ନଆସିବା ଯାଏଁ ତାହା ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛନ୍ତି।
ମଉଳି ଗଲାଣି ଆଶା
ଏହି ପ୍ରକଳ୍ପକୁ ନେଇ ବିଭିନ୍ନ ସମୟରେ ବିଧାନସଭାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଧାନସଭାରେ ଦଳ-ଦଳର ନେତାଙ୍କ କଟାକ୍ଷ କରାଯାଉଥିବା ବେଳେ ଦେଶର ସଂସଦରେ ମଧ୍ୟ ଏହାକୁ ନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଆସିବା ପରେ ଯେଉଁ ସ୍ୱପ୍ନ ବାସ୍ତବତାର ରୂପ ନେବ ବୋଲି ଲୋକେ ଲୋକେ ଆଶା ବନ୍ଧିଥିଲେ,ତାହା ମଉଳି ଯାଇଛି।

Comments are closed.